IND vs PAK: ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପାଇଁ ଇରଫାନ ପଠାନ୍‌ ବାଛିଲେ ଟିମ୍‌ ଇଣ୍ଡିଆର ପ୍ଲେଇଙ୍ଗ୍‌ ଇଲେଭେନ୍‌, ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କୁ କଲେ ବାହାର

ଟି-୨୦ ବିଶ୍ୱ କପ୍‌ ୨୦୨୧ର ଓ୍ଵାର୍ମ ଅପ ମ୍ୟାଚ୍‌ଗୁଡ଼ିକରେ ଟିମ୍‌ ଇଣ୍ଡିଆର ପ୍ରଦର୍ଶନ ଜୋରଦାର ରହି ଆସିଛି। ଇଂଲଣ୍ଡକୁ ଏକତରଫା ଉପାୟରେ ହରେଇବା ପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ମଧ୍ୟ ଖେଳର ତିନୋଟି ହିଁ ବିଭାଗରେ ହରେଇ ଦେଇଛି। ବିରାଟ କୋହଲିଙ୍କ ଅଧିନାୟିକତ୍ୱରେ ଭାରତୀୟ ଟିମ୍‌ ଦେଖାଇ ଦେଲା କି, ସେ ଏହି ଟୁର୍ନାମେଣ୍ଟ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ଭାରତ ବିଶ୍ୱ କପ୍‌ରେ ନିଜର ଅଭିଯାନ ଚିର ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ୨୪ ଅକ୍ଟୋବରରେ ଆରମ୍ଭ କରିବ। ଏହି ମହା ମୁକାବିଲା ଉପରେ ସମସ୍ତଙ୍କର ନଜର ରହିଛି। ଏହାରି ଭିତରେ ଭାରତର ପୂର୍ବତନ ଦ୍ରୁତ ବୋଲର ଇରଫାନ ପଠାନ ପାକିସ୍ତାନ ବିପକ୍ଷରେ ହେବାକୁ ଥିବା ହାଇ-ଭୋଲଟେଜ ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆର ପ୍ଲେଇଙ୍ଗ୍‌ ଇଲେଭେନ୍‌ ଚୟନ କରିଛନ୍ତି।

ଇରଫାନ ନିଜର ପ୍ଲେଇଙ୍ଗ ଇଲେଭେନ୍‌ରେ ବ୍ୟାଟ୍ସମ୍ୟାନ କେଏଲ୍‌ ରାହୁଲ ଓ ରୋହିତ ଶର୍ମାଙ୍କୁ ବାଛି ଛନ୍ତି, ଯେତେବେଳେ କି, ଇନଫର୍ମ ବ୍ୟାଟ୍ସମ୍ୟାନ ଇଶାନ କିଶନଙ୍କୁ ଟିମ୍‌ରେ ସାମିଲ କରି ନାହାନ୍ତି। ତୃତୀୟ ନମ୍ବରରେ ଇରଫାନ, ବିରାଟ କୋହଲିଙ୍କୁ ରଖିଛନ୍ତି। ସେପଟେ ଅଲରାଉଣ୍ଡର ଭାବେ ଖରାପ ଫର୍ମ ଦେଇ ଗତି କରୁଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ରବିନ୍ଦ୍ର ଜଡେଜାଙ୍କୁ ମଧ୍ୟ ଟିମ୍‌ରେ ସାମିଲ କରିଛନ୍ତି। ଫାଷ୍ଟ ବୋଲରଙ୍କ ମଧ୍ୟରେ ଜସ୍‌ପ୍ରୀତ ବୁମରାହ, ମହମ୍ମଦ ଶାମୀ ଓ ଭୁବନେଶ୍ୱର କୁମାରଙ୍କ ଅନୁଭବକୁ ଇରଫାନ୍‌ ପସନ୍ଦ କରିଛନ୍ତି। ସେଠି ସ୍ପିନ୍‌ ବିଭାଗରେ ପଠାନ୍‌, ରାହୁଲ ଚାହରଙ୍କ ଉପରେ ବରୁଣ ଚକ୍ରବର୍ତ୍ତୀଙ୍କୁ ଅଗ୍ରାଧିକାର ଦେଇ ତାଙ୍କୁ ପ୍ଲେଇଙ୍ଗ୍‌ ଇଲେଭେନ୍‌ରେ ନେଇଛନ୍ତି। ଇରଫାନ୍‌ ଓ୍ଵାର୍ମ ଅପ୍‌ ମ୍ୟାଚ୍‌ରେ ବଢ଼ିଆ ପ୍ରଦର୍ଶନ କରିଥିବା ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ନିଜ ଟିମ୍‌ରେ ଜାଗା ଦେଇ ନାହାନ୍ତି।

ଭାରତ ଓ ପାକିସ୍ତାନ ଟିମ୍‌, ଟି-୨୦ ବିଶ୍ୱ କପ୍‌ରେ ଏ ପର୍ଯ୍ୟନ୍ତ ୫ ଥର ପରସ୍ପର ବିପକ୍ଷରେ ପଡ଼ିଆକୁ ଓହ୍ଲାଇ ସାରିଛନ୍ତି। ଏହି ୫ ଥର ଯାକ ଟିମ୍‌ ଇଣ୍ଡିଆ ପଡ଼ୋଶୀ ଦେଶକୁ ପରାଜୟର ସ୍ୱାଦ ଚଖେଇ ସାରିଛି। କେବଳ ଏତିକି ନୁହେଁ, ୫୦ ଓଭର ବିଶିଷ୍ଟ ବିଶ୍ୱ କପ୍‌ରେ ମଧ୍ୟ ଭାରତୀୟ ଟିମ୍‌ ପାକିସ୍ତାନକୁ ୭ ଥର ହରାଇଛି। ବିଶ୍ୱ କପ୍‌ରେ ପାକିସ୍ତାନ ଟିମ୍‌ ଆଜି ପର୍ଯ୍ୟନ୍ତ ଭାରତଠାରୁ ଜିତିପାରି ନାହିଁ ଏବଂ ବିରାଟ ଏହି ରେକର୍ଡକୁ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ମଧ୍ୟ ନିଶ୍ଚୟ ବଜାୟ ରଖିବାକୁ ଚାହିଁବେ।

ଇରଫାନ୍‌ ପଠାନ ପ୍ଲେଇଙ୍ଗ XI: କେଏଲ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜଡେଜା, ମହମ୍ମଦ ଶାମୀ, ଜସ୍‌ପ୍ରୀତ ବୁମରାହ, ଭୁବନେଶ୍ୱର କୁମାର, ବରୁଣ ଚକ୍ରବର୍ତ୍ତୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.