ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟର ତଥା ଓ୍ଵିକେଟ କିପର ଈଶାନ କିଶନ ଦୀର୍ଘଦିନରୁ ଟିମରୁ ବାଦ୍ ପଡିଛନ୍ତି । ଏବେ ଟିମରେ ସ୍ଥାନ ପାଇବା ପାଇଁ ଈଶାନଙ୍କୁ ସୁଯୋଗ ମିଳିପାରେ । ଈଶାନ ବୁଚି ବାବୁ ଟ୍ରଫି ଖେଳି ଘରୋଇ କ୍ରିକେଟକୁ ଫେରିଛନ୍ତି । ଈଶାନ କିଶନ ଝାଡ଼ଖଣ୍ଡ ଟିମର ଅଧିନାୟକ ହୋଇଛନ୍ତି । ସେ ଟିମ ସହିତ ଚେନ୍ନାଇରେ ପହଞ୍ଚିଛନ୍ତି । ଦୀର୍ଘଦିନରୁ କ୍ରିକେଟ ଠାରୁ ଦୂରେଇ ଥିବା ଈଶାନ ପୁଣ ପ୍ରଥମ ଶ୍ରେଣୀ କ୍ରିକେଟକୁ ଫେରିଛନ୍ତି ।
ଗତବର୍ଷ ସାଉଥ ଆଫ୍ରିକା ଗସ୍ତ ବେଳେ ଟିମରୁ ବାଦ୍ ପଡିଥିଲେ ଈଶାନ କିଶନ । ବିସିସିଆଇ ସହିତ ବାର୍ଷିକ ଚୁକ୍ତିରୁ ବାଦ୍ ପଡିଥିଲେ ଈଶାନ । ଏହାପର ଠାରୁ ଭାରତୀୟ ଟିମର ସ୍ଥାନ ପାଇବାକୁ ଅପେକ୍ଷା କରି ରହିଛନ୍ତି ।
ଈଶାନ ୨୦୨୩ରେ ଦକ୍ଷିଣ ଆଫ୍ରିକା ସିରିଜ ବିପକ୍ଷରେ ମାନସିକ ଥକ୍କାପଣ ଯୋଗୁ ବ୍ରେକ ନେଇଥିଲେ । ତେବେ ଆଫ୍ରିକା ଟୁରରୁ ଫେରିବା ପରେ ଈଶାନଙ୍କୁ ଘରୋଇ କ୍ରିକେଟ ଖେଳିବାକୁ କୁହାଯାଇଥିଲା । ପୂର୍ବରୁ ବିସିସିଆଇ ଈଶାନ କିଶନଙ୍କୁ ରଣଜୀ ମ୍ୟାଚ ନ ଖେଳିବାକୁ ନେଇ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଚେତାବନୀ ଦେଇସାରିଥିଲା । ଯଦି କୌଣସି ଖେଳାଳି ୩ରୁ ୪ଟି ରଣଜୀ ଟ୍ରଫି ନ ଖେଳିବେ, ତା’ହେଲେ ସେମାନଙ୍କୁ ଆଇପିଏଲରେ ଭାଗ ନେବାକୁ ସୁଯୋଗ ମିଳିବ ନାହିଁ ବୋଲି ବିସିସିଆଇ କହିଥିଲା । କିନ୍ତୁ ସେ ରଣଜୀ ମ୍ୟାଚ ଖେଳିନଥିଲେ । ଏଥିପାଇଁ ତାଙ୍କୁ ବିସିସିଆଇ ବାର୍ଷିକ କଣ୍ଟ୍ରାକ୍ଟରୁ ବାଦ୍ ଦେଇଥିଲା । ତେବେ ଏବେ ଈଶାନ ପୁଣିଥରେ ଫେରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ସୂଚନାଯୋଗ୍ୟ, ଈଶାନ କିଶନ ଭାରତ ପାଇଁ ୩ଟି ଯାକ ଫର୍ମାଟରେ ଖେଳିଥିବା ବ୍ୟାଟର । ସେ ଏପର୍ଯ୍ୟନ୍ତ ୨ଟି ଟେଷ୍ଟ, ୨୭ ଦିନିକିଆ ଏବଂ ୩୨ ଟି୨୦ ମ୍ୟାଚ ଖେଳିସାରିଛନ୍ତି । ଟେଷ୍ଟରେ ୭୮ ରନ୍ ଏବଂ ଦିନିକିଆରେ ୯୩୩ ରନ ଏବଂ ଟି୨୯ରେ ୭୯୬ ରନ୍ କରିଛନ୍ତି ।