ଗୌତମ ଗମ୍ଭୀର ଓ ତାଙ୍କ ପରିବାରକୁ ହତ୍ୟା ଧମକ ଦେଲା ISIS, ରାତିରେ ମିଳିଛି ଇ-ମେଲ; ଘର ବାହାରେ ସୁରକ୍ଷା ବଢ଼ାଇ ଦେଲା ପୋଲିସ

ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକପୂର୍ଣ୍ଣ ଏକ ଇମେଲ ମିଳିଛି। ଏହି ମେଲ ପରେ ଦିଲ୍ଲୀ ପୋଲିସ ଗମ୍ଭୀରଙ୍କ ଘର ବାହାରେ ସୁରକ୍ଷା ବଢ଼ାଇ ଦେଇଛି। କହି ରଖୁଛୁ, ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର କ୍ରିକେଟ ବ୍ୟତୀତ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ନିଜର ସ୍ପଷ୍ଟବାଦୀ ରାୟ ଦେବାରେ ଜଣାଯାଇ ଥାଆନ୍ତି। ସେଣ୍ଟ୍ରାଲ ଡିସିପି ଶ୍ୱେତା ଚୌହାନ କହିଛନ୍ତି କି, ଏହି ଧମକପୂର୍ଣ୍ଣ ମେଲ ‘ISIS କଶ୍ମୀର’ଠାରୁ ମିଳିଛି। ଏହି ମାମଲାରେ ତଦନ୍ତ କରାଯାଉଛି। ଚୌହାନ କହିଛନ୍ତି, ଗମ୍ଭୀର ଏ ସମ୍ପର୍କରେ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲେ। ସେ କହିଥିଲେ କି, ତାଙ୍କୁ ଜୀବନରୁ ମାରି ଦେବା ପାଇଁ ISIS କଶ୍ମୀରଠାରୁ ଧମକପୂର୍ଣ୍ଣ ମେଲ ଆସିଛି।

ସ୍ପଷ୍ଟବାଦୀ ରାୟ ପାଇଁ ଜଣାଯାଇ ଥାଆନ୍ତି ଗମ୍ଭୀର

କ୍ରିକେଟରୁ ରାଜନେତା ହୋଇଥିବା ଗମ୍ଭୀର ପ୍ରତ୍ୟେକ ପ୍ରସଙ୍ଗ ଉପରେ ନିଜର ସ୍ପଷ୍ଟବାଦୀ ରାୟ ରଖି ଥାଆନ୍ତି। ସେ ଅନେକ ବାର ଆତଙ୍କବାଦ ବିରୋଧରେ ମଧ୍ୟ ବୟାନ ଦେଇଛନ୍ତି। ଗମ୍ଭୀର ୨୦୧୧ରେ ବିଶ୍ୱକପ୍‌ ଜିତିଥିବା ଇଣ୍ଡିଆ ଟିମ୍‌ର ଅଂଶ ରହିଥିଲେ।

ରାତିରେ ମିଳିଛି ମେଲ

ଦିଲ୍ଲୀ ପୋଲିସକୁ ଲେଖିଥିବା ଏକ ଚିଠିରେ ଗୌତମ ଉଲ୍ଲେଖ କରିଛନ୍ତି ଯେ ମଙ୍ଗଳବାର ରାତି ୯ଟା ୩୨ ମିନିଟ୍‌ରେ ତାଙ୍କୁ ଏହି ଧମକପୂର୍ଣ୍ଣ ଇ-ମେଲ ଆସିଛି। ଏଥିରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଜୀବନରୁ ମାରି ଦିଆଯିବାକୁ ଧମକ ଦିଆଯାଇଛି। ତେବେ ଏହି ଧମକ ପରେ ଦିଲ୍ଲୀ ପୋଲିସ ସବୁ ଦିଗରୁ ତଦନ୍ତ ଆରମ୍ଭ କରି ଦେଇଛି।

କିଛି ଦିନ ତଳେ ସିଦ୍ଧୁଙ୍କ ଉପରେ ବର୍ଷିଥିଲେ

ଗୌତମ ଗମ୍ଭୀର ଗତ ଶନିବାର ଏକ ଟ୍ଵିଟ୍‌ କରି ସିଦ୍ଧୁଙ୍କ ନାମ ନ ନେଇ ତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ କି, ‘ନିଜ ପୁଅ କିମ୍ବା ଝିଅଙ୍କୁ ସୀମାକୁ ପଠାଅ ଏବଂ ତା’ ପରେ ଆତଙ୍କବାଦୀ ଦେଶର ମୁଖ୍ୟଙ୍କୁ ନିଜର ବଡ଼ ଭାଇ ବୋଲି ଡାକ’! ଗମ୍ଭୀର ନିଜର ହ୍ୟାଶଟ୍ୟାଗରେ Disgusting ଏବଂ Spineless ଭଳି ଶବ୍ଦ ବ୍ୟବହାର କରିଥିଲେ। ଗମ୍ଭୀର ଆହୁରି କହିଥିଲେ ଯେ ‘କ’ଣ ତାଙ୍କୁ ମନେ ଅଛି କି, ପାକିସ୍ତାନୀ ଆତଙ୍କବାଦୀମାନେ ଗତ ଏକ ମାସ ଭିତରେ କଶ୍ମୀରରେ ଆମର ୪୦ରୁ ଅଧିକ ନାଗରିକ ଏବଂ ଯବାନମାନଙ୍କୁ ମାରି ଦେଇଛନ୍ତି’? ସୂଚନାଥାଉ କି, କରତାରପୁର ପହଞ୍ଚିବା ପରେ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ବଡ଼ ଭାଇ ବୋଲି କହିଥିଲେ। ବିଜେପି ଏ ନେଇ ସିଦ୍ଧୁଙ୍କୁ ଟାର୍ଗେଟ କରିଥିଲା। ସେହିପରି ଅରବିନ୍ଦ କେଜରିଓ୍ଵାଲଙ୍କ ଅଯୋଧ୍ୟା ଯାତ୍ରା ଉପରେ ମଧ୍ୟ ଗମ୍ଭୀର ଟାର୍ଗେଟ କରିଥିଲେ। କହି ରଖୁଛୁ, ଗୌତମ ଗମ୍ଭୀର ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଟିକେଟରେ ପୂର୍ବ ଦିଲ୍ଲୀ ନିର୍ବାଚନ ମଣ୍ଡଳୀରୁ ଜିତିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.