ଶ୍ରେୟସ ଆୟର ଟି-୨୦ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର୍‌, ଜାଣନ୍ତୁ କେତେ ବଲ୍‌ରୁ କଲେ କେତେ ରନ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଏବେ ଚାଲିଛି ଜାତୀୟ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି-୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ । ଗତକାଲି ପ୍ରଥମ ଦିନରେ ଶତକ ହାସଲ କରିଛନ୍ତି କିଛି ଜଣାଶୁଣା ଖେଳାଳି । ତେବେ ସେମାନଙ୍କ ମଧ୍ୟରେ ବେଶି ଚର୍ଚ୍ଚା ସାଉଁଟିଛନ୍ତି ଶ୍ରେୟସ ଆୟର ଏବଂ ଚେତେଶ୍ୱର ପୂଜାରା । ଆୟର ମାତ୍ର ୫୫ ବଲ୍‌ରେ ୧୪୭ ରନ୍‌ (୭ ଚୌକା, ୧୫ ଛକା) କରିବା ଫଳରେ ମୁମ୍ବାଇ ଦଳ ସିକ୍କିମ ୧୫୪ ରନ୍‌ର ବିଶାଳ ବ୍ୟବଧାନରେ ହରାଇଛି । ଆହୁରି ମଧ୍ୟ ଆୟରଙ୍କ ଏହି ୧୪୭ ରନ୍‌ ଭାରତ ପକ୍ଷରୁ ଟି-୨୦ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ସେ ୠଷଭ ପନ୍ତଙ୍କ ୧୨୮ ରନ୍‌ (ଆଇପିଏଲ୍‌) ରେକର୍ଡ଼କୁ ଭାଙ୍ଗିଛନ୍ତି ।
ଅନ୍ୟପଟେ ଜଣେ ଟେଷ୍ଟ କ୍ରିକେଟ୍‌ ସ୍ପେସାଲିଷ୍ଟ ବ୍ୟାଟ୍‌ସମ୍ୟାନ୍‌ ଭାବେ ଜଣାଶୁଣା ଚେତେଶ୍ୱର ପୂଜାରା ଅନ୍ୟ ଏକ ମ୍ୟାଚ୍‌ରେ ବସ୍ଫୋରକ ଶତକ କରି ଚମକାଇ ଦେଇଛନ୍ତି । ସେ ରେଳବାଇ ବିପକ୍ଷରେ ୬୧ ବଲ୍‌ରୁ ୧୦୦ ରନ୍‌ କରିଥିଲେ । ଏଥିରେ ତାଙ୍କ ଦଳ ସୌରାଷ୍ଟ୍ର ବିଜୟୀ ହୋଇଛି । ଏହା ସହିତ ପୂଜାରା ଦେଖାଇ ଦେଇଛନ୍ତି ଯେ ସେ କେବଳ ଜଣେ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍‌ ହୋଇ ରହିବାକୁ ଚାହାନ୍ତି ନାହିଁ ।