ଜସପ୍ରୀତ ବୁମରା ରଚିଲେ ଇତିହାସ, ଅଷ୍ଟ୍ରେଲିଆରେ ରେକର୍ଡ କରିଥିବା ଦ୍ବିତୀୟ ଭାରତୀୟ

ଗାବାରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ କମାଲ କରିଛନ୍ତି ଜସପ୍ରୀତ ବୁମରା । ୫ ୱିକେଟ ନେଇ ଇତିହାସ ରଚିଛନ୍ତି ବୁମରା । ପ୍ରଥମ ଇନିଂସରେ ୬ ଓ୍ବିକେଟ ନେଇ ରେକର୍ଡ କରିଛନ୍ତି । ଟିମ ପାଇଁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇ କ୍ରିକେଟ କିମ୍ବଦନ୍ତୀ କପିଲ ଦେବଙ୍କ ବରାବର ହୋଇଛନ୍ତି ବୁମରା ।

ରବିବାର ମ୍ୟାଚର ଦ୍ୱିତୀୟ ଦିନରେ ଟ୍ରାଭିସ୍ ହେଡ୍ ଓ ଷ୍ଟିଭ୍ ସ୍ମିଥଙ୍କ ଶତକୀୟ ପାଳି ଆଗରେ ଭାରତୀୟ ବୋଲିଂ ପ୍ରଦର୍ଶନ ଫିକା ପଡ଼ିଥିଲା । ହେଲେ ବୁମରାଙ୍କ କମାଲ ବୋଲିଂ ଯୋଗୁଁ ରନ ୪୪୫ ରନରେ ସୀମିତ ରହିଥିଲା । ଗୋଟିଏ ପଟେ ଅନ୍ୟ ଭାରତୀୟ ବୋଲରମାନେ ରନ ରୋକିବାକୁ ସଂଘର୍ଷ କରୁଥିବାବେଳେ ବୁମରା ଏକୁଟିଆ ୫ଟି ୱିକେଟ ଅକ୍ତିଆର କରିଥିଲେ ।

ଦେଶରେ ସର୍ବାଧିକ ଥର ୫ ୱିକେଟ ସଫଳତା ହସଲ କରିଥିବା ଭାରତୀୟ ବୋଲର ହୋଇପାରିଛନ୍ତି । ବୁମରାଙ୍କ ପୂର୍ବରୁ ଏହି ରେକର୍ଡ ଭାରତର ପୂର୍ବତନ କ୍ରିକେଟର କପିଲ ଦେବଙ୍କ ନାଁରେ ରହିଥିଲା । କପିଲ ଦେବ ସାଉଥ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଦେଶରେ ୭ଥର ୫ ୱିକେଟ ସଫଳତା ହାସଲ କରିଥିଲେ । ଏହି ତାଲିକାରେ ତୃତୀୟରେ ରହିଛନ୍ତି ଜାହିର ଖାନ (୬ଥର) ଓ ଚତୁର୍ଥରେ ରହିଛନ୍ତି ବି.ଚନ୍ଦ୍ରଶେଖର (୬ଥର) ।

ବୁମରା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ୨୮ ଓଭରରେ ୭୬ ରନ୍ ସହିତ ୬ ୱିକେଟ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟରେ ୧୨ତମ ୫ଟି ୱିକେଟ ନେଇଛନ୍ତି । ଦମଦାର ବୋଲିଂ ପାଇଁ ଅଷ୍ଟ୍ରେଲିଆରେ ନିଜର ୫୦ ତମ ଟେଷ୍ଟ ୱିକେଟ ପୂରଣ କରିଛନ୍ତି । ଅଷ୍ଟ୍ରେଲିଆରେ ୫୦ କିମ୍ବା ତା’ ଠାରୁ ଅଧିକ ଟେଷ୍ଟ ୱିକେଟ ନେଇଥିବା ଦ୍ବିତୀୟ ଭାରତୀୟ । ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆ ମାଟିରେ କପିଲ ଦେବ ୫୧ ଟେଷ୍ଟ ୱିକେଟ ନେଇଛନ୍ତି ।

ଅଷ୍ଟ୍ରେଲିଆ ମାଟିରେ ସବୁଠାରୁ ଅଧିକ ଟେଷ୍ଟ ୱିକେଟ ନେଇଥିବା ଭାରତୀୟ ବୋଲର :

କପିଲ ଦେବ : ୫୧ ୱିକେଟ
ଜସପ୍ରୀତ ବୁମରା : ୫୦ ୱିକେଟ
ଅନିଲ କୁମ୍ବଲେ : ୪୯ ୱିକେଟ
ରବିଚନ୍ଦ୍ରନ ଅଶ୍ବନି : ୪୦ ୱିକେଟ
ବିଶନ ସିଂ ବେଦୀ : ୩୫ ୱିକେଟ

ସୂଚନାଯୋଗ୍ୟ, ଭାରତ-ଅଷ୍ଟ୍ରେଲିଆ ୩ୟ ମ୍ୟାଚ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି । ଭାରତ ୪୮/୪ ୱିକେଟ ହରାଇ ୩୯୭ ରନ ପଛୁଆ ରହିଛି । କେଏଲ ରାହୁଲ ଏବଂ ରୋହିତ ଶର୍ମା ବ୍ୟାଟିଂ କରୁଛନ୍ତି ।