ICC ଚେୟାରମ୍ୟାନ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଜୟ ଶାହ, ଡିସେମ୍ବର ୧ରୁ ସମ୍ଭାଳିବେ କାର୍ଯ୍ୟଭାର

ICC ଚେୟାରମ୍ୟାନ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିସିସିଆଇ ସଚିବ ଜୟ ଶାହ । ଏପର୍ଯ୍ୟନ୍ତ ବିସିସିଆଇ ସଚିବ ଦାୟିତ୍ୱ ସମ୍ଭାଳୁଥିବା ଜୟ ଶାହ ଡିସେମ୍ବର ୧ ତାରିଖରୁ ଆଇସିସି ଚେୟାରମ୍ୟାନ ପଦ ସମ୍ଭାଳିବେ । ଆଇସିସି ଚେୟାରମ୍ୟାନ ପଦ ସମ୍ଭାଳିଥିବା ୫ମ ଭାରତୀୟ ହେଉଛନ୍ତି ଜୟ ଶାହ । ପୂର୍ବରୁ ଜଗମୋହନ ଡାଲମିଆ, ଶରତ ପାଓ୍ଵାର, ଏନ ଶ୍ରୀନିବାସନ, ଶଶାଙ୍କ ମନୋହର ଆଇସିସିର ଚେୟାରମ୍ୟାନ ପଦ ସମ୍ଭାଳିଛନ୍ତି ।

ଗତକାଲି ଏହି ପଦ ପାଇଁ ନାମାଙ୍କନ ଭରିବାର ଶେଷ ତାରିଖ ଥିଲା । ଜୟ ଶାହଙ୍କ ବ୍ୟତୀତ ଆଉ କେହି ବି ନାମାଙ୍କନ ଦାଖଲ କରି ନାହାନ୍ତି । ଜୟ ଶାହ ଆଇସିସିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ଡିସେମ୍ବର ୧ରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ । ବର୍ତ୍ତମାନ ଆଇସିସି ଅଧ୍ୟକ୍ଷ ଭାବେ କାମ କରୁଥିବା ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେବ । ଏହାପରେ ଜୟ ଶାହ ଏହି ପଦକ ସମ୍ଭାଳିବେ । ଆଇସିସି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଦୁଇ -ଦୁଇ ବର୍ଷ ପାଇଁ ତିନିଟି ଟର୍ମ ଥାଏ । ନୂଆ ଚେୟାରମ୍ୟାନ କାର୍ଯ୍ୟକାଳ ଡିସେମ୍ବର ୨୦୨୪ରୁ ଆରମ୍ଭ ହେବ ।

ଆଇସିସି ଅଧ୍ୟକ୍ଷ ପଦ ରେସରେ ସାମିଲ ହେବାକୁ ଜଣେ ଆଶାୟୀଙ୍କୁ ପ୍ରୋପଜର ଓ ସେକେଣ୍ଡରର ଆବଶ୍ୟକତା ରହିଥିଲା । ଏହାକୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କରିଥିଲେ । ନୂଆ ଦାୟିତ୍ୱ ପାଇଁ ନିର୍ବାଚିତ ହୋଇଥିବାରୁ ଶ୍ରୀ ଶାହ ଆଇସିସିକୁ କୃତଜ୍ଞତା ଜଣାଇଛନ୍ତି ।  ତେବେ ଜୟ ଶାହ ଆଇସିସି ବୋର୍ଡରେ ସବୁଠାରୁ ପ୍ରଭାବଶାଳୀ ଚେହେରା ଭାବେ ଜଣାଶୁଣା ।

ସୂଚନାଯୋଗ୍ୟ, ଜଗମୋହନ ଡାଲମିଆ ୧୯୯୭ରୁ ୨୦୦୦, ଶରଦ ପାଓ୍ଵର ୨୦୧୦ରୁ ୨୦୧୨, ଏନ ଶ୍ରୀନିବାସନ ୨୦୧୪ ରୁ ୨୦୧୫ ଏବଂ ଶଶାଙ୍କ ମନୋହର ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ଆଇସିସି ଚେୟାରମ୍ୟାନ ପଦବୀରେ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like