ଧୋନିଙ୍କୁ ନୋଟିସ ଜାରି କଲେ ଝାଡ଼ଖଣ୍ଡ ହାଇକୋର୍ଟ, ହାଜର ଦେବାକୁ ନିର୍ଦ୍ଦେଶ

ବଢ଼ିଲା ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅଡୁଆ । ଝାଡ଼ଖଣ୍ଡ ହାଇକୋର୍ଟ ଧୋନିଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଅଦାଲତରେ ହାଜର ହେବାକୁ ଧୋନିଙ୍କୁ କୋର୍ଟ ନୋଟିସ ପଠାଇଛନ୍ତି । ତାଙ୍କ ପୂର୍ବତନ ସହଯୋଗୀ ମିହିର ଦିବାକର ଏବଂ ସୌମ୍ୟା ଦାସଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ମାମଲାରେ ଧୋନିଙ୍କୁ ହାଇକୋର୍ଟ ନୋଟିସ ପଠାଇଛନ୍ତି।  କୋର୍ଟ ଧୋନିଙ୍କୁ ଏହି ମାମଲାରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ, ମିହିର ଦିବାକର ଓ ସୌମ୍ୟା ଦାସ ‘ଆର୍‌କା ସ୍ପୋର୍ଟସ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡ’ର ନିର୍ଦ୍ଦେଶକ । ତାଙ୍କ ନାମରେ କ୍ରିକେଟ୍ ଏକାଡେମୀ ଖୋଲିବା ପାଇଁ ଉଭୟେ ମହେନ୍ଦ୍ର ସିଂହ ଧୋନିଙ୍କ ସହ ଚୁକ୍ତି କରିଥିଲେ । ତେବେ ଏହାର କିଛି ଦିନ ପରେ ଏମଏସ ଧୋନି ମିହିର ଦିବାକର ଏବଂ ସୌମ୍ୟା ଦାସଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଥିଲେ । ଧୋନି ଜାନୁଆରୀ ୫ ତାରିଖରେ ଏମାନଙ୍କ ବିରୋଧ ରାଞ୍ଚିରେ ଅପରାଧିକ ମାମଲା ରୁଜୁ କରିଥିଲେ ।

ମାମଲା ରୁଜୁ କରି ଧୋନି ସୌମ୍ୟା ଓ ମିହିର ଦିବାକାରଙ୍କ ବିରୋଧରେ ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଥିଲେ । ଧୋନି ଦାବି କରିଛନ୍ତି ଯେ, ୨୦୨୧ ମସିହାରେ ସେ ଏକାଡେମୀ ପାଇଁ ଚୁକ୍ତିନାମା ଅଧିକାରକୁ ବାତିଲ କରି ଦେଇଥିଲେ । ଏହାପରେ ମଧ୍ୟ ଧୋନିଙ୍କ ନାମ ମିହିର ଏବଂ ସୌମ୍ୟା ଦାସଙ୍କ ଦ୍ୱାରା ବ୍ୟବହାର କରାଯାଉଥିଲା ।

ପରବର୍ତ୍ତୀ ସମୟରେ, ରାଞ୍ଚିରେ ଜଣେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟ ଦ୍ୱାରା ମିହିର ଏବଂ ସୌମ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ତେବେ ଏହାକୁ ବିରୋଧ କରି ଦୁହେଁ ଝାଡଖଣ୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବର୍ତ୍ତମାନ ହାଇକୋର୍ଟ ଧୋନିଙ୍କୁ ଏହି ମାମଲାରେ ଅଦାଲତରେ ହାଜର ହେବାକୁ ନୋଟିସ୍‌ ପଠାଇଛନ୍ତି । ଧୋନି କୋର୍ଟରେ ହାଜର ହୋଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ହେବ ।

You might also like