ମୁମ୍ବାଇର ଧରାବୀରେ ଚାଞ୍ଚଲ୍ୟ! କ୍ରିକେଟ ଷ୍ଟମ୍ପ୍‌ରେ ପିଟି ପିଟି କବାଡ଼ି ଖେଳାଳିଙ୍କୁ ହତ୍ୟା; ପୋଲିସ କହିଲା ଏହି କାରଣ

ମୁମ୍ବାଇର ଧରାବୀରେ ରହୁଥିବା ୨୬ ବର୍ଷୀୟ ଜଣେ କବାଡ଼ି ଖେଳାଳିଙ୍କୁ ଶୁକ୍ରବାର ପିଟି ପିଟି ହତ୍ୟା କରାଯାଇଛି। ତାଙ୍କ ନାମ ବିମଲରାଜ ନାଦର। ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ବିମଲଙ୍କୁ କ୍ରିକେଟ ଷ୍ଟମ୍ପ୍‌ରେ ପିଟି ପିଟି ମାରି ଦିଆଯାଇଛି। ଏଥିରେ ଧାରୁଆ ଅସ୍ତ୍ର ବି ବ୍ୟବହୃତ ହୋଇଛି। ବିମଲ ପେସାରେ ଟେକ୍ନିସିଆନ ଥିଲେ। ପୋଲିସ ଏହି ମାମଲାରେ ଏ ପର୍ଯ୍ୟନ୍ତ ୩ ଜଣଙ୍କୁ ଗିରଫ କରିଛି।

କୁହାଯାଉଛି କି, ବିମଲଙ୍କ ହତ୍ୟା ପରେ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇ ନ୍ୟାୟ ଭିକ୍ଷା କରିଥିଲେ। ବହୁ ସଂଖ୍ୟାରେ ଲୋକେ ଏକଜୁଟ ହୋଇ ଥାନା ଘେରାଉ ବି କରିଥିଲେ। ପୋଲିସର କହିବା ହେଲା, ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି।

ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୩ଟାରେ ୩/୪ ଜଣ ଲୋକ ପୂର୍ବ ଶତ୍ରୁତାକୁ ନେଇ ବିମଲରାଜଙ୍କ ଘର ବାହାରେ ଏକାଠି ହୋଇଥିଲେ। ଏହାପରେ ତାଙ୍କ ସହିତ ମାରପିଟ କରି ତାଙ୍କୁ ହତ୍ୟା କରିଥିଲେ।

ପୋଲିସ କହିଛି ଯେ ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ ସେଠାରେ ପହଞ୍ଚିଥିଲା। ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଇଛି। ଏଥିରେ ଦେଖିବାକୁ ମିଳୁଛି, ୩ ଜଣ ଲୋକ ଘଟଣା ଘଟାଇ ସେଠାରୁ ତୁରନ୍ତ ଫେରାର ହୋଇଯାଉଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ତେବେ ମୃତ ବିମଲଙ୍କର ଦୁଇ ସନ୍ତାନ ଥିବା ଜଣାପଡ଼ିଛି। କବାଡ଼ି ଆସୋସିଏସନ ଏବଂ ଅନ୍ୟାନ୍ୟ ଏଜେନ୍ସି ତରଫରୁ ତାଙ୍କ ପରିବାରକୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ କରାଯିବ ବୋଲି ସ୍ଥାନୀୟ ନେତା ତମିଲ ସେଲଭନ୍‌ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.