ପୁଣି ପାକିସ୍ତାନର ଘୃଣ୍ୟ କାମ, ଚାମ୍ପିଅନ୍ସ ଟ୍ରଫି ପାଇଁ ସମସ୍ତ ଦେଶର ପତାକା ଲାଗିଥିବା ବେଳେ ଲାଗିନି ଭାରତୀୟ ପତାକା

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ପାକିସ୍ତାନରେ ହେଉଛି । ହେଲେ ଏହା ପୂର୍ବରୁ ବିବାଦ ସାମ୍ନାକୁ ଆସିଛି । କେବେ ଷ୍ଟାଡିୟମକୁ ନେଇ ତ କେବେ ଆୟୋଜନକୁ ନେଇ । ଏବେ ପତାକାକୁ ନେଇ ନୂଆ ବିବାଦ ଦେଖାଦେଇଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ କରାଚିର ନ୍ୟାସନାଲ ଷ୍ଟାଡିୟମରେ ଭାରତୀୟ ପତାକା ନ ଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ୍ ହେଉଛି । ଚାମ୍ପିଅନ୍ସ ଟ୍ରଫିରେ ଅଂଶଗ୍ରହଣ କରୁଥିବା ଅନ୍ୟ ଦେଶର ପତାକା ଦେଖାଯାଉଛି ହେଲେ ଭାରତୀୟ ପତାକା ଲଗାଯାଇନାହିଁ । ଏହା ଦେଖିବା ପାଇଁ ଭାରତୀୟ କ୍ରିକେଟ ଫ୍ୟାନ୍ସ ନିରାଶ ହୋଇଛନ୍ତି ।

ଭାରତୀୟ ପତାକା ଅନୁପସ୍ଥିତି ପଛର ସଠିକ୍ କାରଣ ଜଣାପଡିନାହିଁ । ଭାରତ ସମସ୍ତ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ଖେଳୁଥିବା ଯୋଗୁଁ ହୁଏତ ପତାକା ଲାଗିନଥାଇ ପାରେ ବୋଲି ଅନୁମାନ କରାଯାଇଛି । ଟିମ୍ ଇଣ୍ଡିଆ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଯିବନାହିଁ । ଟିମ୍ ଇଣ୍ଡିଆ ଫାଇନାଲ ଗଲେ ମଧ୍ୟ ମ୍ୟାଚ ଦୁବାଇରେ ହିଁ ହେବ ।

କରାଚି ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ, ପାକିସ୍ତାନ ଏବଂ ଇଂଲଣ୍ଡ ଦଳ ପାଇଁ ମ୍ୟାଚ୍ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଇଭେଣ୍ଟ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ମଇଦାନରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଠାରେ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକର ପତାକା ଦେଖିବାକୁ ମିଳିଥିଲା । ହେଲେ ଭାରତୀୟ ପତାକା ନଥିବା କ୍ରିକେଟ ଫ୍ୟାନ୍ସଙ୍କ ନିରାଶ କରିଛି । ଆଉ ପିସିବି ଏଭଳି କାମ କରିପାରେ ବୋଲି କ୍ରିକେଟପ୍ରେମୀ କହୁଛନ୍ତି ।

ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯାତ୍ରା କରିବାକୁ ବିସିସିଆଇ ମନା କରିଦେଇଥିଲା । ଏଥିପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ୍ ମୋଡ୍‌ରେ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲା ।

ଟୁର୍ଣ୍ଣାମେଣ୍ଟ ୧୯ ଫେବୃଆରୀରୁ ଆରମ୍ଭ ହୋଇ ୯ ମାର୍ଚ୍ଚ ପର୍ଯ୍ୟନ୍ତ ହାଇବ୍ରିଡ ମଡେଲରେ ଖେଳାଯିବ । ଗ୍ରୁପ୍ Aରେ ଥିବା ଭାରତ ୨୦ ତାରିଖରେ ବାଂଲାଦେଶ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ୮ଟି ଟିମ୍ ମୋଟ୍ ୧୫ଟି ମ୍ୟାଚ ଖେଳିବ । ଦୁଇଟି ଗ୍ରୁପରେ ଟିମ୍ ବଣ୍ଟାଯାଇଛି । ୮ଟି ଟିମରେ ନିଜ ନଜ ଗ୍ରୁପରେ ୩-୩ଟି ମ୍ୟାଚ ଖେଳାଯିବ । ଗ୍ରୁପ-ଏରେ ଟିମ ଇଣ୍ଡିଆ ସହିତ ବାଂଲାଦେଶ, ପାକିସ୍ତାନ, ନ୍ୟୁଜିଲାଣ୍ଡ ରହିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ୨୩ ଫେବୃଆରୀରେ ଦୁବାଇରେ ମ୍ୟାଚ ଖେଳାଯିବ । ଟିମ ଇଣ୍ଡିଆର ଗ୍ରୁପ ଷ୍ଟେଜ ମ୍ୟାଚର ତୃତୀୟ ତଥା ଶେଷ ମ୍ୟାଚ ୨ ମାର୍ଚ୍ଚ ନ୍ୟୁଜିଲାଣ୍ଡ ସହିତ ଦୁବାଇରେ ଖେଳାଯିବ ।