ଭୁବନେଶ୍ୱର : ରାଜ୍ୟର ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ମନୋନୀତଙ୍କ ନାମ ମଙ୍ଗଳବାର ପ୍ରକାଶ ପାଇଛି । ଓଡ଼ିଶାର ଜାଭେଲିନ୍ ଥ୍ରୋ ତାରକା କିଶୋର ଜେନା ରାଜ୍ୟର ସର୍ବୋଚ୍ଚ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ‘ଆଥଲେଟ୍ ଅଫ୍ ଦି ଇୟର’ ବର୍ଗରେ ସେ ଏହି ପୁରସ୍କାର ପାଇବେ । ସେହିପରି ହକି ଅଲିମ୍ପିଆନ ଲାଜରୁସ ବାର୍ଲାଙ୍କୁ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାର ପ୍ରଦାନ କରାଯିବ । କ୍ରୀଡ଼ାକୁ ଆଜୀବନ ସେବା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ମିଳିଥିବା ସୂଚନା ଅନୁସାରେ ନିକଟରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର କମିଟି ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି ।
ବିଶ୍ବକପ୍ ବିଜେତା ଦୃଷ୍ଟିବାଧିତ କ୍ରିକେଟର୍ ମହମ୍ମଦ ଜାଫର ଇକ୍ବାଲ୍ଙ୍କୁ ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍, ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇଙ୍କୁ ଶ୍ରେଷ୍ଠ ଉଦୀୟମାନ ଖେଳାଳି, ‘ପ୍ରମେୟ’ର କଟକ ଜିଲ୍ଲା ପ୍ରତିନିଧି ସୁକେଶ ବେହେରାଙ୍କୁ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ, ହକି ଗୁରୁ ବିଜୟ ଲାକ୍ରାଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ, ରୂପନ୍ବିତା ପଣ୍ଡାଙ୍କୁ ଶ୍ରେଷ୍ଠ ଟେକ୍ନିକାଲ୍ ଅଫିସର୍ ଏବଂ ନାଲ୍କୋକୁ କ୍ରୀଡ଼ା ବିକାଶ ଲାଗି ଶ୍ରେଷ୍ଠ ଅନୁଷ୍ଠାନ ଭାବେ ମନୋନୀତ କରାଯାଇଛି । ଅଗଷ୍ଟ ୨୯ ତାରିଖ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଏକ ସ୍ବତନ୍ତ୍ର ଉତ୍ସବରେ ସମସ୍ତଙ୍କୁ ଆର୍ଥିକ ପୁରସ୍କାର ସହ ସମ୍ମାନିତ କରାଯିବ ।
ପ୍ରକାଶଯୋଗ୍ୟ ଯେ, ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ପାଇଁ ଫଳକ ଓ ମାନପତ୍ର ସହ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ। ସେହିପରି ଶ୍ରେଷ୍ଠ କ୍ରୀଡ଼ାବିତ୍ଙ୍କୁ ୨ ଲକ୍ଷ, ଶ୍ରେଷ୍ଠ କୋଚ୍, ଉଦୀୟମାନ ଆଥଲେଟ୍, ପାରା କ୍ରୀଡ଼ାବିତ୍, ଟେକ୍ନିକାଲ ଅଫିସିଆଲ, ଖବରଦାତା ଓ ସ୍ପୋଟର୍ସ ପ୍ରମୋଶନ ପାଇଁ ୧ ଲକ୍ଷ ଟଙ୍କା ଲେଖାଏ ଏବଂ ଫଳକ ଓ ମାନପତ୍ର ପ୍ରଦାନ କରାଯିବ।