ଇଂଲଣ୍ଡ ସାହସ ଦେଖାଇଲା, ଆମେ ଫେଲ୍ ମାରିଲୁ : କୋହଲି

ଲଣ୍ଡନ : ଚତୁର୍ଥ ଟେଷ୍ଟରେ ହାରିଗଲା ଟିମ୍ ଇଣ୍ଡିଆ । ତା ସହିତ ସିରିଜ୍ ବି ହାରିଲା । ୩ୟ ଟେଷ୍ଟ ଜିତିବା ପରେ ଯେଉଁ ମନୋବଳ ନେଇ ଖେଳିବା କଥା ତାହା ଦେଖାଇଲେ ନାହିଁ ଭାରତୀୟ ବ୍ୟାଟ୍ସମ୍ୟାନ୍ । ଅଧିନାୟକ ବିରାଟ କୋହଲି ସ୍ବୀକାର କରିଛନ୍ତି ଯେ ତାଙ୍କ ବ୍ୟାଟ୍ସମ୍ୟାନ୍ ବିଶେଷ କରି ଓପ୍ନର ଓ ଶେଷ ଭାଗ ଖେଳାଳିଙ୍କ ବିଫଳତା ପରାଜୟର କାରଣ । ତେବେ ଇଂଲଣ୍ଡ ଖେଳାଳି ତାଙ୍କ ଦଳକୁ ମାତ୍ ଦେବା ଲାଗି ପୂରା ଦମ୍ ଲଗାଇ ଦେଇଥିଲେ । ଠିକଣା ସମୟରେ ସାହସର ସହ ଖେଳିଲେ । ଯାହା ଭାରତୀୟ ଖେଳାଳିଙ୍କ ଠାରେ ଦେଖଇବାକୁ ମିଳିଲଶ ନାହିଁ ।

ତେଣୁ ଘରୋଇ ଦଳ ସହଜରେ ସିରିଜ୍ ଜିତିଲେ ବୋଲି ସେ କହିଛନ୍ତି । ଚତୁର୍ଥ ଟେଷ୍ଟରେ ବଡ଼ ଭାଗିଦାରୀ ହୋଇ ପାରିଲା ନାହିଁ । ଯାହା ପରାଜୟର ଆଉ ଏକ କାରଣ ବୋଲି ବିରାଟ କହିଛନ୍ତି । ପ୍ରଥମ ଇନିଂସରେ ପୂଜାରା ଶତକ କଲେ । କିନ୍ତୁ ତାଙ୍କୁ ଭଲ ସହଯୋଗ ନମିଳିବାରୁ ଭାରତ ବଡ଼ ସ୍କୋରରେ ଅଗ୍ରଣୀ ନେଇ ପାରିଲା ନାହିଁ । ସେହିଭଳି ଦ୍ବିତୀୟ ଇନିଂସରେ ପାଣ୍ଡ୍ୟାଙ୍କ ଭଳି ଖେଳାଳି ଫେଲ ମାରିଲେ । ଅନ୍ୟପକ୍ଷରେ ଇଂଲଣ୍ଡ ପାଇଁ କୁରାନ୍ ବେଶ୍ ଫଳପ୍ରଦ ହୋଇଛନ୍ତି । ଏମିତିକି ସ୍ପିନର ମୋଇନ ଅଲୀ ମଧ୍ୟ ୱିକେଟ୍ ନେବା ସହ ଭଲ ବ୍ୟାଟିଂ କରିଛନ୍ତି । ଯାହା ଇଂଲଣ୍ଡ ଓ ଭାରତ ମଧ୍ୟରେ ଫରକ ଆଣିଥିଲା ।

ଅବଶ୍ୟ ୩ୟ ଟେଷ୍ଟର ବିଜୟ ଦଳ ପାଇଁ ଏକ ବଡ଼ ସଫଳତା ଏବଂ ସେଥିରୁ ପ୍ରେରଣା ନେଇ ପଞ୍ଚମ ତଥା ଶେଷ ଟେଷ୍ଟରେ ଖେଳିବା ପାଇଁ ସେ ତାଙ୍କ ଖେଳାଳିମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଜବାଷ୍ଟନ ଓ ନଟିଂହାମରେ ଦଳ ବହୁତ ବଡ଼ ବ୍ୟବଧାନରେ ହାରି ନାହିଁ । ତେଣୁ ଅଧିକ ଟିକିଏ ବଳ ଲଗାଇଲେ ଆମେ ସଫଳ ହୋଇ ପାରିବୁ । କିନ୍ତୁ ଏବେବି ତାଙ୍କ ଖେଳାଳିମାନେ ଗୁରୁତ୍ବପୂର୍ଣ୍ଣ ପରିସ୍ଥିତିର ସଠିକ ଭାବେ ସାମନା କରି ପାରୁ ନାହାନ୍ତି ବୋଲି କହିଛନ୍ତି ଅଧିନାୟକ । ଆସନ୍ତା ଶୁକ୍ରବାରରୁ ଓଭାଲରେ ଆରମ୍ଭ ହେବ ପଞ୍ଚମ ତଥା ଶେଷ ଟେଷ୍ଟ । ତ୍ରୁଟି ସୁଧାରି ଇଂଲଣ୍ଡକୁ ହରାଇବା ପାଇଁ ତାଙ୍କ ଦଳ ସବୁମତେ ଉଦ୍ୟମ କରିବ ବୋଲି କୋହଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.