ଆଇପିଏଲ୍ : ରିୟାନ୍ ପରାଗଙ୍କ ଦମଦାର ବ୍ୟାଟିଂ ବେକାର ଗଲା, କୋଲକାତା ଠାରୁ ମାତ୍ର ୧ ରନରେ ହାରିଗଲା ରାଜସ୍ଥାନ

କୋଲକାତା : ଆଜି ଇଡେନ୍ ଗାର୍ଡନସରେ ଆଇପିଏଲ୍ ମ୍ୟାଚ୍ ବେଶ ରୋମାଞ୍ଚକର ହୋଇଛି । ତେବେ ଶେଷରେ ରାଜସ୍ଥାନ ରୟାଲ୍ସ କୋଲକାତା ନାଇଟ୍ ରାଇଡର୍ସ ଠାରୁ ୧ ରନରେ ହାରି ଯାଇଛି । ଏହି ବିଜୟ ସହ କୋଲକାତା ୧୧ଟି ମ୍ୟାଚରୁ ୧୧ ପଏଣ୍ଟ ହାସଲ କରିଛି । ଦଳ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି । ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ୧୨ଟି ମ୍ୟାଚ୍ ଖେଳି ମାତ୍ର ୬ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହିଛି ।

ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ୪ ୱିକେଟ୍ ହରାଇ ୨୦୬ ରନ୍ କରିଥିଲା । ଦଳ ପକ୍ଷରୁ ରସେଲ ସର୍ବାଧିକ ୫୭, ରଘୁବଂଶୀ ୪୪, ଗୁରବାଜ ୩୫, ଅଧିନାୟକ ରାହାଣେ ୩୦ ରନ୍ ସ୍କୋର କରିଥିଲେ ।

ପରେ ରାଜସ୍ଥାନ ରୟାଲ୍ସ ୭୧ ରନରେ ୫ଟି ପ୍ରମୁଖ ୱିକେଟ୍ ହରାଇବା ଫଳରେ ପରାଜୟ ଆଶଙ୍କା ବଢ଼ି ଯାଇଥିଲା । କାରଣ ଦୁଇ ଓପ୍ନର ଯଶସ୍ବୀ ଜୟସ୍ବାଲ ୩୪ ରନ୍ କରିଥିବା ବେଳେ ୧୪ ବର୍ଷ ବୟସ୍କ ବୈଭବ ସୂର୍ଯ୍ୟବଂଶୀ ୪, କୁନାଲ ସିଂହ ରାଠୋର, ଧ୍ରୁବ ଜୁରେଲ ଏବଂ ହସରଙ୍ଗା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇ ଯାଇଥିଲେ ।

ଏହି ସମୟରେ ଦମ୍ ଦେଖାଇ ଥିଲେ ଅଧିନାୟକ ରିୟାନ ପରାଗ ।  ସେ ହେଟମେୟରଙ୍କ ସହ ମିଶି ଷଷ୍ଠ ୱିକେଟରେ ୯୨ ରନ୍ (ମାତ୍ର ୭ ଓଭର) ଯୋଡ଼ିଥିଲେ । ହେଟମେୟର ୨୩ ବଲରେ ୨୯ ରନ୍ କରିଥିଲେ । ଏହାପରେ ଶୁଭମ ଦୁବେ ସାଥ୍ ଦେଇଥିଲେ ରିୟାନ ପରାଗଙ୍କର । ପରାଗ କୋଲକାତା ବୋଲରଙ୍କୁ ନିର୍ଦ୍ଧୁମ ପିଟି ୪୫ ବଲରେ ୯୫ ରନ୍ କରିଥିଲେ । ଏଥିରେ ୮ଟି ଛକା ଓ ୬ଟି ଚୌକା ସାମିଲ । ତେବେ ପରାଗ ଆଉଟ ହେବା ବେଳକୁ ରାଜସ୍ଥାନ ୭ ୱିକେଟରେ ୧୭୩ ରନ୍ କରିଥିଲା । ୧୭.୪ ଓଭର ବେଳକୁ ଦଳ ୧୪ ବଲରେ ୩୪ ରନ୍ ଦରକାର କରୁଥିଲା ମ୍ୟାଚ୍ ଜିତିବା ପାଇଁ । ଶେଷ ଦୁଇ ଓଭରରେ ଆବଶ୍ୟକ ହେଉଥିଲା ୩୩ ରନ୍ । ଦୁବେ ଓ ଜୋଫ୍ରା ଆର୍ଚ୍ଚର ପୂରା ଦମ୍ ଲଗାଇ ଚେଷ୍ଟା କରିଥିଲେ । ଶେଷ ବଲରେ ଜିତିବାକୁ ୩ ରନ୍ ଦରକାର ହେଉଥିଲା । ଏ ଦୁହେଁ ଗୋଟିଏ ରନ୍ ନେଇ ପାରିଲେ । ରାଜସ୍ଥାନ ଶେଷରେ ୧ ରନରେ ହାରି ଯାଇଥିଲା । ଦୁବେ ୨୫ ଓ ଆର୍ଚ୍ଚର ୧୨ରନ୍ କରି ଅପରାଜିତ ରହିଥିଲେ ।

କୋଲକାତା ପକ୍ଷରୁ ମୋଇନ ଅଲୀ, ହର୍ଷିତ ରାଣା ଏବଂ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି ।

ସ୍କୋର : କୋଲକାତା ନାଇଟ୍ ରାଇଡର୍ସ -୨୦୬/୪ । ରାଜସ୍ଥାନ ରୟାଲ୍ସ-୨୦୫/୮ ।