ଲକ୍ଷ୍ୟ ସେନ୍‌ ପ୍ରି-କ୍ୱାର୍ଟର ଫାଇନାଲରେ କଲେ ପ୍ରବେଶ, ବିଶ୍ୱ ୪ର୍ଥ ନମ୍ବର ଜୋନାଥନ୍‌ ଖ୍ରୀଷ୍ଟିଙ୍କୁ ହରାଇଲେ

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ଷ୍ଟାର୍‌ ବ୍ୟାଡମିଣ୍ଟନ୍ ଖେଳାଳି ଲକ୍ଷ୍ୟ ସେନ୍ ଆଜି ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଇଣ୍ଡୋନେସିଆର ଜୋନାଥନ୍‌ ଖ୍ରୀଷ୍ଟିଙ୍କୁ ସେ ମାତ୍‌ ଦେଇଛନ୍ତି । ଲକ୍ଷ୍ୟଙ୍କର ଏହା ହେଉଛି ପ୍ରଥମ ଅଲିମ୍ପିକ୍‌ ।

ପ୍ୟାରିସ୍‌ରେ ଚମତ୍କାର ପ୍ରଦର୍ଶନ କରି ଲକ୍ଷ୍ୟ ସେନ୍ ବିଶ୍ୱ ୪ର୍ଥ ନମ୍ବର ଜୋନାଥନ୍ ଖ୍ରୀଷ୍ଟିଙ୍କୁ ସିଧାସଳଖ ଖେଳରେ ପରାସ୍ତ କରିଛନ୍ତି । ଏହି ମ୍ୟାଚ୍ ଜିତି ପ୍ରି-କ୍ୱାର୍ଟର ଫାଇନାଲରେ ସେ ଜାଗା ସୃଷ୍ଟି କରିଛନ୍ତି । ୨୩ ବର୍ଷୀୟ ବ୍ୟାଡ୍‌ମିଣ୍ଟନ ତାରକାଙ୍କ ପାଇଁ ଏହି ବିଜୟ ଅତ୍ୟନ୍ତ ସ୍ୱତନ୍ତ୍ର, କାରଣ ତାଙ୍କଠାରୁ ଉଚ୍ଚ ର‍୍ୟାଙ୍କିଙ୍ଗ୍‌ର ଖେଳାଳିଙ୍କୁ ସେ ପରାସ୍ତ କରିଛନ୍ତି । ଖ୍ରୀଷ୍ଟିଙ୍କୁ ଅଲିମ୍ପିକ୍ସରେ ତୃତୀୟ ସିଡ୍ ଦିଆଯାଇଛି ।

ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଗ୍ରୁପ୍ ଖେଳ ପର୍ଯ୍ୟାୟର ଗ୍ରୁପ୍ L ମ୍ୟାଚ୍‌ରେ ଲକ୍ଷ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ । ଲକ୍ଷ୍ୟ ଓ ଖ୍ରୀଷ୍ଟିଙ୍କ ମଧ୍ୟରେ ଏହି ମ୍ୟାଚ୍ ୫୧ ମିନିଟ୍ ଧରି ଚାଲିଥିଲା । ପ୍ରଥମ ଗେମ୍‌ରେ ଇଣ୍ଡୋନେସିଆର ଖେଳାଳିଙ୍କୁ ସେ ରୋମାଞ୍ଚକର ଢଙ୍ଗରେ ୨୧-୧୮ରେ ପରାସ୍ତ କରିଥିଲେ । ଖ୍ରୀଷ୍ଟିଙ୍କ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଜିତିବା ପାଇଁ ତାଙ୍କୁ ୨୮ ମିନିଟ୍ ସମୟ ଲାଗିଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ସେ ମାତ୍ର ୨୩ ମିନିଟ୍‌ରେ ଖ୍ରୀଷ୍ଟିଙ୍କୁ ୨୧-୧୨ରେ ହରାଇ ଦେଇଥିଲେ ।

You might also like