ଟିମ୍ ଇଣ୍ଡିଆକୁ ଝଟକା, ମୁମ୍ବାଇ ସ୍ପିନର ପଦ୍ମାକର ଶିଭାଲକରଙ୍କ ପରଲୋକ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସେମିଫାଇନାଲ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ମୁମ୍ବାଇର ସ୍ପିନର ପଦ୍ମାକର ଶିଭାଲକରଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁଁ ତାଙ୍କ ନିଧନ ହୋଇଛି ବୋଲି ଜଣାପଡିଛି । ତାଙ୍କ ମୃତ୍ୟୁରେ ସାରା କ୍ରିକେଟ ଜଗତରେ ଶୋକର ଲହରୀ ଖେଳିଯାଇଛି ।

ପଦ୍ମାକର ଘରୋଇ କ୍ରିକେଟରେ ମୁମ୍ବାଇ ପାଇଁ ୧୨୪ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ । ତାଙ୍କୁ ଭାରତୀୟ କ୍ରିକେଟରେ ଯୋଗଦାନ ପାଇଁ ବିସିସିଆଇ ୨୦୧୭ ମସିହାରେ ନମନ ଆୱାର୍ଡରେ କର୍ଣ୍ଣଲ ସିକେ ନାଇଡୁ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରିଥିଲା । ମୁମ୍ବାଇ ପାଇଁ ଦୀର୍ଘବର୍ଷ ଧରି ଖେଳିଥିବା ଘରୋଇ କ୍ରିକେଟରେ ୫୦୦ରୁ ଅଧିକ ୱିକେଟ ନେଇଛନ୍ତି ।

ଏହି ମହାନ୍ କ୍ରିକେଟରଙ୍କ ବିୟୋଗରେ ବିସିସିଆଇ ମଧ୍ୟ ଶୋକ ପ୍ରକାଶ କରିଛି ।  ଶିଭାଲକରଙ୍କ ନିଧନରେ ପ୍ରମୁଖ ଭାରତୀୟ କ୍ରିକେଟ ଶୋକ ପ୍ରକାଶ କରିଛନ୍ତି । ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର, ଏମସିଏର ଅଧ୍ୟକ୍ଷ ଆଜିଙ୍କ୍ୟ ନାଏକ ଏବଂ ଅନ୍ୟ ଖେଳାଳି ଶୋକ ପ୍ରକାଶ କରିଛନ୍ତି ।

ପଦ୍ମାକର ଘରୋଇ କ୍ରିକେଟରେ ଶାନଦାର ପ୍ରଦର୍ଶନ କରିବା ପରେ ମଧ୍ୟ କେବେ ବି ଭାରତୀୟ ଟିମ ପାଇଁ ଖେଳିପାରିନଥିଲେ । ଟିମ ଇଣ୍ଡିଆରେ ସେହି ସମୟରେ ବିଶନ ସିଂହ ବେଦୀ ଖେଳୁଥିଲେ, ଏହି କାରଣ ପାଇଁ ଶିଭାଲକରଙ୍କୁ ଖେଳିବାର ସୁଯୋଗ ମିଳିନଥିଲା ।

ପଦ୍ମାକର ଶିଭାଲକର ବାମହାତୀ ସ୍ପିନର ଭାବେ ମୁମ୍ବାଇ ପାଇଁ ୧୨୪ଟି ମ୍ୟାଚ ଖେଳିଥିଲେ । ଘରୋଇ କ୍ରିକେଟରେ ୫୦୦ରୁ ଅଧିକ ୱିକେଟ ନେଇଛନ୍ତି । ଏହି ସମୟରେ ସେ ୪୨ ଥର ୫ ୱିକେଟ୍ ହଲ ଏବଂ ୧୩ ଥର ୧୦ ୱିକେଟ୍ ନେଇଥିଲେ । ପଦ୍ମାକର ୧୯୭୮ରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ । ପଦ୍ମାକରଙ୍କ ସମୟରେ ମୁମ୍ବାଇ ଟିମ ଚମତ୍କାର ପ୍ରଦର୍ଶନ କରୁଥିଲା ।

Also Read : ଆଇପିଏଲ ୨୦୨୫ : ଅଧିନାୟକ ଘୋଷଣା କଲା କୋଲକତା ନାଇଟ ରାଇଡର୍ସ, ଆଜିଙ୍କ୍ୟ ରାହାଣେଙ୍କୁ ମିଳିଲା ଦାୟିତ୍ବ