ଲିଜେଣ୍ଟସ୍‌ ଲିଗ୍‌ କ୍ରିକ୍ରେଟ୍‌ ଟୁର୍ଣ୍ଣାମେଣ୍ଟ ବାହାନାରେ ଭାରତ ମାଟିରେ ଖେଳିବାକୁ ଆସିବେ ପାକ୍‌ ଖେଳାଳି, ଭାରତ ସରକାରଙ୍କ ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କ ନଜର

ସନ୍ନ୍ୟାସ ନେଇସାରିଥିବା କ୍ରିକେଟରଙ୍କ ପାଇଁ ଆୟୋଜିତ ହେଉଥିବା ଲିଜେଣ୍ଟସ୍‌ ଲିଗ୍‌ କ୍ରିକ୍ରେଟ୍‌ ଟି୨୦ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଏଡିସନ୍‌ ଚଳିତବର୍ଷ ଓମାନ ବଦଳରେ ଭାରତରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ଟୁର୍ଣ୍ଣାମେଣ୍ଟର ଆୟୋଜକ ଏ ନେଇ ଜୁଲାଇ ୨୩ରେ ଘୋଷଣା କରିଛନ୍ତି। ଆୟୋଜକଙ୍କ ମୁତାବକ, ଭାରତରେ ଅଧିକ ସଂଖ୍ୟକ କ୍ରିକେଟ୍‌ପ୍ରେମୀଙ୍କୁ ନଜର ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ଏଲ୍‌ଏଲ୍‌ସିର ଦ୍ୱିତୀୟ ଏଡିସନ୍‌ ସେପ୍ଟେମ୍ବର ୨୦ରୁ ଆରମ୍ଭ ହେବ। ଏଥିରେ ଭାରତ ବ୍ୟତୀତ ୯ଟି ଅନ୍ୟ ଦେଶର ଅବସରପ୍ରାପ୍ତ ଖେଳାଳି ଅଂଶଗ୍ରହଣ କରିବେ। ତେବେ ଲିଜେଣ୍ଟସ୍‌ ଲିଗ୍‌ କ୍ରିକ୍ରେଟ୍‌ ଟି୨୦ ଟୁର୍ଣ୍ଣାମେଣ୍ଟ କେଉଁ କେଉଁ ଷ୍ଟାଡିୟମ୍‌ରେ ହେବ ଏବେ ଯାଏଁ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଖୁବ୍‌ ଶୀଘ୍ର ଏ ନେଇ ନିଷ୍ପତ୍ତି ହେବ ବୋଲି ଜଣାଯାଇଛି।

ଲିଜେଣ୍ଟସ୍‌ ଲିଗ୍‌ କ୍ରିକ୍ରେଟ୍‌ ଟି୨୦ ଟୁର୍ଣ୍ଣାମେଣ୍ଟର ସବୁଠୁ ଦାମୀ ଖେଳାଳିଙ୍କ ମଧ୍ୟରେ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି ଅଛନ୍ତି ବୋଲି ନିକଟରେ ଲିଗ୍‌ ଘୋଷଣା କରିଥିଲା। ତେବେ ଏଠାରେ ପ୍ରଶ୍ନ ଆସୁଛି ଯେ ବିସିସିଆଇ ଓ ଭାରତ ସରକାର କ’ଣ ଏହି ଲିଗ୍‌ରେ ପାକିସ୍ତାନର ଖେଳାଳି ଖେଳିବାକୁ ସମର୍ଥନ କରିବେ?

ଏହି ଲିଗ୍‌ରେ ପୂର୍ବ ପାକ୍‌ କ୍ରିକେଟରଙ୍କର ଲମ୍ବା ତାଲିକା ରହିଛି। ଏଥିରେ ସୋଏବ ଅଖତର, ମିସ୍‌ବାହ-ଉଲ୍‌-ହକ୍‌, ଶାହିଦ ଆଫ୍ରିଦି ଓ ଏସିଆର ଅନ୍ୟ ବଡ଼ ବଡ଼ କ୍ରିକେଟରଙ୍କ ନାଁ ରହିଛି। ଏଣୁ ଏବେ ଦେଖିବାକୁ ବାକି ରହିଲା ଯେ ଭାରତ ସରକାର କେମିତି ପାକିସ୍ତାନ କ୍ରିକେଟରଙ୍କୁ ଭାରତ ମାଟିରେ ଖେଳିବାକୁ ଅନୁମତି ଦେଉଛନ୍ତି। କାରଣ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ଭାରତ ଏମିତିରେ ବି ଅସନ୍ତୁଷ୍ଟ ରହିଛି। କେବଳ ଏହି ଗୋଟିଏ କାରଣରୁ ହିଁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ପାକ୍‌ ଖେଳାଳିଙ୍କୁ ବ୍ୟାନ୍‌ କରାଯାଇଛି। ଏଭଳି ସ୍ଥିତିରେ ଲିଜେଣ୍ଟସ୍‌ ଲିଗ୍‌ରେ ଭାରତ ମାଟିରେ ପାକ୍‌ ଖେଳାଳି ଖେଳିବାକୁ ଭାରତ ଅନୁମତି ଦେବ କି ନାହିଁ ଏବେ ତା’ ଉପରେ ସମସ୍ତଙ୍କ ନଜର।

ଏଥିସହ ବର୍ତ୍ତମାନର ଓ ପୂର୍ବର ସମସ୍ତ ପାକ୍‌ କ୍ରିକେଟର କାଶ୍ମୀର ପ୍ରିମିୟର ଲିଗ୍‌କୁ ମଧ୍ୟ ଦୃଢ଼ ସମର୍ଥନ କରୁଛନ୍ତି। ଆଉ ଏଥିପାଇଁ ଓକିଲାତି କରିବାକୁ ମଧ୍ୟ ପଛାଉନାହାନ୍ତି। କାଶ୍ମୀର ପ୍ରିମିୟର ଲିଗ୍‌କୁ ଉଭୟ ଭାରତ ସରକାର ଓ ବିସିସିଆଇ ତୀବ୍ର ବିରୋଧ କରୁଛନ୍ତି। ଏଥିସହ କେପିଏଲ୍‌ରେ ଖେଳିଥିବା କ୍ରିକେଟରଙ୍କୁ ଭାରତର ସମସ୍ତ କ୍ରିକେଟ୍‌ ଫର୍ମରେ ଖେଳିବାକୁ ବ୍ୟାନ୍‌ କରାଯାଇଛି।

ଏଭଳି ସ୍ଥିତିରେ ସୌରଭ ଗାଙ୍ଗୁଲି ଲିଜେଣ୍ଟସ୍‌ ଲିଗ୍‌ କ୍ରିକ୍ରେଟ୍‌ ଟି୨୦ ଟୁର୍ଣ୍ଣାମେଣ୍ଟରେ ଖେଳିବା ବିସିସିଆଇକୁ ଏକ ଶକ୍ତ ଚାପୁଡ଼ା ସଦୃଶ ହୋଇଛି। ତେବେ ସୌରଭ ଗାଙ୍ଗୁଲି ଏହି ଲିଗ୍‌କୁ ଅନୁମୋଦନ ଦେବା ନେଇ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ବିସିସିଆଇ ସଚିବ ତଥା ରାଷ୍ଟ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହା ଭାରତରେ ଏହି ଲିଗ୍‌କୁ ବନ୍ଦ କରିବା ଉଚିତ୍‌ ବୋଲି ଏବେ ଦାବି ଜୋର ଧରିଛି।

Also Read: ରାଜରାସ୍ତାରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ: ରାହୁଲ ଗାନ୍ଧୀଙ୍କ ପରେ ପ୍ରିୟଙ୍କାଙ୍କୁ ବି ଉଠାଇନେଲା ପୋଲିସ

Leave A Reply

Your email address will not be published.