ଚୟନକର୍ତ୍ତାଙ୍କୁ ଆକ୍ରମଣ କରି କ୍ରିକେଟ୍ରୁ ଆଜୀବନ ବାସନ୍ଦ ହେଲେ ଯୁବ ଖେଳାଳି

ନୂଆଦିଲ୍ଲୀ : ପୂର୍ବତନ ଖେଳାଳି ତଥା ଦିଲ୍ଲୀ କ୍ରିକେଟ୍ ସଂଘର ଚୟନକର୍ତ୍ତା ଅମିତ ଭଣ୍ଡାରୀଙ୍କୁ ଲୁହା ରଡ୍ରେ ଆକ୍ରମଣ କରିଥିବା ଯୁବ ଖେଳାଳି ଆଉ ଜୀବନରେ କେବେବି କ୍ରିକେଟ୍ ଖେଳି ପାରିବେ ନାହିଁ । ତାଙ୍କୁ ସବୁ ପ୍ରକାର କ୍ରିକେଟ୍ରୁ ଆଜୀବନ ବାସନ୍ଦ କରାଯାଇଛି । ଦିଲ୍ଲୀ ଜିଲ୍ଲା କ୍ରିକେଟ୍ ଆସୋସିଓନ୍ (ଡିଡିସିଏ) ମୁଖ୍ୟ ରଜତ ଶର୍ମା ଆଜି ଏହି ଘୋଷଣା କରିଛନ୍ତି । ଖେଳାଳି ଚୟନରେ ଅସନ୍ତୁଷ୍ଟ ହୋଇ ୨୩ ବର୍ଷରୁ କମ୍ ଯୁବ କ୍ରିକେର୍ ଅନୁଜ ଦେଧା ଗତ ସୋମବାର ଦିନ ଚୟନ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ଖେଳାଳି ଅମିତ ଭଣ୍ଡାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଦିଲ୍ଲୀର କଶ୍ମିରୀ ଗେଟ୍ ନିକଟରେ ଥିବା ସେଣ୍ଟ ଷ୍ଟିଫେନ୍ ଗ୍ରାଉଣ୍ଡରେ ଦିଲ୍ଲୀର ୨୩ ବର୍ଷରୁ କମ୍ ଦଳ ଚୟନ ନେଇ ଟ୍ରାଏଲ୍ ଚାଲିଥିବା ବେଳେ କିଛି ଲୋକ ସଂଗଠିତ ହୋଇ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣକାରୀମାନେ ଅମିତଙ୍କୁ ଲୁହା ରଡ୍ ଓ ହକି ଷ୍ଟିକ୍ରେ ପିଟିଥିଲେ । ଏଥିରେ ଅମିତ ଗୁରୁତର ଆହତ ହୋଇଛନ୍ତି । ଏହି କାରଣରୁ ଅନୁଜଙ୍କୁ କ୍ରିକେଟ୍ରୁ ବହିଷ୍କାର କରାଯାଇଛି ।