ମାହି କହିଲେ ୨୦୧୯ ବିଶ୍ୱକପ୍‌ ପରେ ଅବସର କଥା ଭାବିବି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇ ସାରିଛନ୍ତି । ହେଲେ ଦିନିକିଆ ଆନ୍ତର୍ଜାତିକ ଓ ଟି-ଟ୍ବେଣ୍ଟିରୁ କେବେ ଅବସର ନେବେ ତାକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ସବୁ କଳ୍ପନା ଜଳ୍ପନାକୁ ଖଣ୍ଡନ କରି ଧୋନି କହିଛନ୍ତି ସେ ୨୦୧୯ ବିଶ୍ୱକପ୍‌ ପରେ ଅବସର ନେଇ ନିଷ୍ପତ୍ତି ନେବେ। ଇଂଲଣ୍ଡ ସହ ଲଡ଼୍ସରେ ଖେଳା ଯାଇଥିବା ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌ରେ ଧୋନି ଅମ୍ପାୟାରଙ୍କ ଠାରୁ ବଲ୍‌ ମାଗି ନେଇଥିଲେ । ତେଣୁ ମନେ କରାଯାଉଥିଲା ଯେ ଏହା ହେଉଛି ତାଙ୍କର ଶେଷ ମ୍ୟାଚ୍‌ । ତେବେ ଏ ସମ୍ପର୍କରେ ମାହି କହିଛନ୍ତି କି ସେ ଦେଖିବାକୁ ଚାହୁଁଥିଲେ ଇଂଲଣ୍ଡ ଦଳ କିଭଳି ରିଭର୍ସ ସୁଇଂ କରି ପାରୁଛି । ଆମ ବୋଲର୍‌ କାହିଁକି କରିପାରୁ ନାହାନ୍ତି । ବଲ୍‌କୁ ନେଇ ସେ ବୋଲିଂ କୋଚ୍‌ ଭରତ ଅରୁଣଙ୍କୁ ଦେଖାଇଥିଲେ । ଆଗାମୀ ବିଶ୍ୱ କପ୍‌ ଇଂଲଣ୍ଡରେ ଖେଳାଯିବ । ସେଥିପାଇଁ ସେ ପ୍ରସ୍ତୁତି କରୁଥିବା ମଧ୍ୟ କହିଛନ୍ତି ।

ସେପଟେ ତାଙ୍କର ଉତ୍ତରାଧିକାରୀ ବିରାଟ କୋହଲିଙ୍କ ପ୍ରଶଂସା କରି ଧୋନି କହିଛନ୍ତି ବିରାଟ ଜଣେ କିମ୍ବଦନ୍ତୀ ଖେଳାଳି ହେବାକୁ ଯାଉଛନ୍ତି । ତା ସହିତ ଜଣେ ଟାଣୁଆ ଅଧିନାୟକ ମଧ୍ୟ ହୋଇଗଲେଣି । ତାଙ୍କ ହାତରେ ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ ଆହୁରି ଉଜ୍ଜ୍ୱଳ ହେବ । ମୁମ୍ବାଇରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଏକଥା କହିଛନ୍ତି ୩୭ ବର୍ଷ ବୟସ୍କ ଧୋନି । ଏବେ ସେ ବିଶ୍ରାମ ନେଉଛନ୍ତି । ଆସନ୍ତା ମାସ ହେବାକୁ ଥିବା ଏସିଆ କପ୍‌ରେ ଦଳ ପକ୍ଷରୁ ଖେଳିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.