କ୍ରିକେଟ୍‌ରେ ‘ମାଙ୍କଡିଂ’କୁ ରନ୍‌ଆଉଟ୍‌ର ମାନ୍ୟତା ମିଳିଲା, ଜାଣନ୍ତୁ ଏହି ନିୟମ କଣ

ମୁମ୍ବାଇ : ବିଭିନ୍ନ ସମୟରେ ଅନ୍ତର୍ଜାତୀୟ କ୍ରିକେଟ୍‌ ନିୟମରେ ପରିବର୍ତ୍ତନ କରାଯାଇଛି । ପରିସ୍ଥିତିକୁ ଦେଖି ବେଶ୍‌ କିଛି ବଦଳିଛି ନିୟମ କାନୁନ । ତେବେ ଅନେକ ଦିନରୁ ଦାବି ଥିବା ଏକ ନିୟମରେ ଏବେ ପରିବର୍ତ୍ତନ କରାଯାଇଛି । ‘ମାଙ୍କଡିଂ’ ନାମରେ ପରିଚିତ ଏକ ଆଉଟ୍‌କୁ ରନ୍‌ଆଉଟ୍‌ ଭାବେ ପରିଗଣିତ କରିବା ଲାଗି ନିଷ୍ପତ୍ତି ହୋଇଛି । ଅନ୍ତର୍ଜାତୀୟ କ୍ରିକେଟ୍‌ର ନିୟମ ତିଆରି କରୁଥିବା ମେରିଲବୋନ୍‌ କ୍ରିକେଟ୍‌ କ୍ଲବ୍‌ (ଏମ୍‌ସିସି) ଏହି ନିୟମ କରିଛି ।

ତେବେ ଏହି ‘ମାଙ୍କଡ଼ିଂ’ କଣ ଆସନ୍ତୁ ଜାଣିବା । ଯାହା ଜଣେ ଭାରତୀୟ ଖେଳାଳିଙ୍କ ସହିତ ପ୍ରାୟ ୭୫ ବର୍ଷ ଧରି ଜଡ଼ିତ ରହିଛି । ‘ମାଙ୍କଡ଼ିଂ’ ହେଉଛି ବ୍ୟାଟିଂ ବେଳେ ନନ୍‌ଷ୍ଟ୍ରାଇକର ପଟରେ ଥିବା ବ୍ୟାଟ୍‌ସମ୍ୟାନ୍‌ଙ୍କୁ ରନ୍‌ଆଉଟ୍‌ କରିବା । ତେବେ ଏହା ସ୍ୱାଭାବିକ ରନ୍‌ଆଉଟ୍‌ ନୁହେଁ । ବୋଲିଂ ଚାଲିଥିବା ବେଳେ ନନ୍‌ଷ୍ଟ୍ରାକ୍‌ ବ୍ୟାଟ୍‌ସମ୍ୟାନ୍‌ମାନେ ଅନେକ ସମୟରେ ଆଗୁଆ ରନ୍‌ ନେବା ଲାଗି କ୍ରିଜ୍‌ ବାହାରକୁ ଚାଲି ଆସନ୍ତି । ଏହି ସମୟରେ ବୋଲିଂ କରୁଥିବା ବୋଲର ଯଦି ତାଙ୍କ ଓ୍ଵିକେଟ୍‌ ଭାଙ୍ଗି ଦିଅନ୍ତି ତେବେ ନିୟମ ଅନୁସାରେ ସେ ଆଉଟ୍‌ ହେବେ । ପ୍ରଥମେ ଏଭଳି ଘଟଣାକୁ ଅଣଖେଳୁଆଡ଼ ମନୋବୃତ୍ତି ବୋଲି ଧରା ଯାଉଥିଲା । ଏବେ କିନ୍ତୁ ଏହାକୁ ରନ୍‌ଆଉଟ୍‌ ଭାବେ ଧରାଯିବ ।

ଇଏ ତ ଗଲା ନିୟମର କଥା କିନ୍ତୁ ଏହି ‘ମାଙ୍କଡିଂ’ କେବେ ଠାରୁ ଆରମ୍ଭ ହେଲା ସେ ବିଷୟରେ ଆସନ୍ତୁ ଜାଣିବା । ୧୯୪୮ ମସିହାରେ ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍‌ ବେଳେ ବୋଲିଂ କରୁଥିଲେ ଭାରତୀୟ ବୋଲର ବିନୁ ମଙ୍କଡ଼ । ସେତେବେଳ ତାଙ୍କର ନଜର ପଡ଼ିଲା ନନ୍‌ଷ୍ଟ୍ରାଇକ୍‌ରେ ଥିବା ବ୍ୟାଟର ବିଲ୍‌ ବ୍ରାଉନ୍‌ ନିଜ କ୍ରିଜ୍‌ ବାହାରେ ଅଛନ୍ତି । ମଙ୍କଡ଼ ତାଙ୍କୁ ଚେତାବନୀ ଦେଲେ । ହେଲେ ସେ ନଶୁଣି କ୍ରିଜ୍‌ ଠାରୁ ବହୁତ ଆଗକୁ ଠିଆ ହୋଇଥିଲେ । ତେଣୁ ମଙ୍କଡ଼ ବୋଲିଂ ନକରି ତାଙ୍କ ଓ୍ଵିକେଟ୍‌ ଭାଙ୍ଗି ଦେଇ ଆବେଦନ କରିଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । କାରଣ ସେ ସମୟରେ ଏହାକୁ ନେଇ କିଛି ସ୍ପଷ୍ଟ ନିୟମ ନଥିଲା । ତେବେ ମଙ୍କଡ଼ଙ୍କ ଏପରି ଆଉଟ୍‌କୁ ସେହିଦିନଠାରୁ ଅଣଖେଳୁଆଡ଼ ମନୋବୃତ୍ତି କହି ‘ମାଙ୍କଡ଼ିଂ’ ନାମ ଦିଆଯାଇଥିଲା ।
ପରେ ୨୦୧୯ ମାର୍ଚ୍ଚ ୨୫ରେ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରବିଚନ୍ଦ୍ର ଅଶ୍ୱିନ୍‌ ପ୍ରତିପକ୍ଷ ଖେଳାଳି ଜୋଶ୍‌ ବଟଲରଙ୍କୁ ଏଭଳି ଭାବେ ଆଉଟ୍‌ କରିବା ପରେ ପୁଣି ବିବାଦ ଉଠିଥିଲା । ଏ ମ୍ୟାଚ୍‌ ଥିଲା ରାଜସ୍ଥାନ ରୟାଲ୍‌ସ ଓ କିଙ୍ଗସ ଇଲେଭେନ୍‌ ପଞ୍ଜାବ ଭିତରେ । ବଟଲରଙ୍କୁ ୬୯ ରନ୍‌ରେ ଅଶ୍ୱିନ୍‌ ରନ୍‌ଆଉଟ୍‌ କରି ଦେଇଥିଲେ। ଯାହାକୁ ‘ମାଙ୍କଡିଂ’ କୁହାଯାଇଥିଲା ।
ତେବେ ଏହି ‘ମଙ୍କଡ଼ିଂ’ ଶବ୍ଦଟି ଖୁବ୍‌ ଅପମାନଜନକ ଥିଲା ବୋଲି ଅନେକ ଖେଳାଳିମାନେ ମନେ କରୁଥିଲେ । ସେଥିପାଇଁ ଅନେକ ଦିନରୁ ବିନୁ ମଙ୍କଡ଼ଙ୍କ ପୁଅ ରାହୁଲ ମଙ୍କଡ଼ ଏହା ବିରୋଧରେ ଏମ୍‌ସିସିରେ ଅଭିଯୋଗ କରିଥିଲେ । ଯାହାକୁ ଏବେ ଉଚ୍ଛେଦ କରାଯାଇ ଏହି ଆଉଟ୍‌କୁ ରନ୍‌ଆଉଟ୍‌ ଭାବେ ଅନ୍ତର୍ଭୁକ୍ତ କରାଯାଇଛି ।

ଆଉ ବଲ୍‌ରେ ଛେପ ଲଗାଇ ପାରିବେ ନାହିଁ

ସେହିପରି ଏମ୍‌ସିସି ଆଉ ଏକ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି । ତାହା ହେଉଛି ଖେଳାଳିମାନେ ଆଉ ବଲ୍‌ରେ ଛେପ ଲଗାଇ ପାରିବେ ନାହିଁ । ଏହାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ବୋଲିଂ କଲା ବେଳେ ବୋଲର୍‌ କିମ୍ବା ତାଙ୍କ ସାଥୀ ଖେଳାଳିମାନେ ବଲ୍‌୍‌ରେ ଛେପ ଲଗାଉଥିଲେ । ଏଥିରେ ବଲ୍‌ ଭଲ ସୁଇଂ ହୁଏ ବୋଲି କୁହାଯାଉଥିଲା । ଅବଶ୍ୟ କୋଭିଡ୍‌ ପରେ ଏହାକୁ ବନ୍ଦ କରାଯାଇଥିଲା । ଏବେ ଏହି ପ୍ରଥାଟିକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି । ତେବେ ଦୁଇଟି ଯାକ ନିୟମ ଆସନ୍ତା ଅକଟୋବର ମାସରୁ ଲାଗୁ ହେବ ।