ମନୁ ଭାକର ଏବଂ ଡି ଗୁକେଶଙ୍କ ସମେତ ୪ ଜଣଙ୍କୁ ମିଳିବ ଧ୍ୟାନଚନ୍ଦ ଖେଳରତ୍ନ ଆୱାର୍ଡ, ୩୨ ଖେଳାଳିଙ୍କୁ ମିଳିବ ଅର୍ଜୁନ ଆୱାର୍ଡ

ମେଜର ଧ୍ୟାନଚନ୍ଦ ଖେଳରତ୍ନ ଆୱାର୍ଡର ଘୋଷଣା ହୋଇଛି । ଖେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ଅଲମ୍ପିକ ମେଡାଲ ବିଜେତା ମନୁ ଭାକର ଏବଂ ଚେସ୍ ୱାର୍ଲ୍ଡ ଚାମ୍ପିଅନ୍ ଡି ଗୁକେଶଙ୍କ ସମେତ ୪ ଜଣ ଖେଳାଳିଙ୍କୁ ମିଳିବ ଧ୍ୟାନଚନ୍ଦ ଖେଳରତ୍ନ ପୁରସ୍କାର । ମନୁ ଭାକର ଏବଂ ୱାର୍ଲଡ ଚାମ୍ପିଅନ ଡି ଗୁକେଶଙ୍କ ବ୍ୟତୀତ ହରମନପ୍ରୀତ ସିଂହ ଏବଂ ପାରା ଆଥଲେଟ୍ ପ୍ରବୀଣ କୁମାରଙ୍କୁ ଧ୍ୟାନଚନ୍ଦ ଖେଳ ରତ୍ନ ଆୱାର୍ଡରେ ସମ୍ମାନିତ କରାଯିବ । ଏହି ଚାରିଜଣ ଆଥଲେଟ ୧୭ ଜାନୁଆରୀରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ହାତରୁ ଏହି ଖେଳରତ୍ନ ସମ୍ମାନ ଗ୍ରହଣ କରିବେ ।

ଏହାଛଡା ଖେଳ ମନ୍ତ୍ରଣାଳୟ ଅର୍ଜୁନ ଆୱାର୍ଡ ପାଇଁ ୩୨ ଖେଳାଳିଙ୍କୁ ଚୟନ କରାଯାଇଛି । ଏମାନଙ୍କ ମଧ୍ୟରୁ ୧୭ ଜଣ ପାରା ଆଥଲେଟ୍ ରହିଛନ୍ତି । ୩୨ ଖେଳାଳିଙ୍କ ମଧ୍ୟରୁ ଜଣେ ବି କ୍ରିକେଟର ନାହାନ୍ତି । ୪ ଜଣ ଖେଳାଳିଙ୍କୁ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିିର ହୋଇଥିବା ବେଳେ ୩୨ ଜଣଙ୍କୁ ଅର୍ଜୁନ ପୁରସ୍କାର ଏବଂ ତିନିଜଣ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯିବ ।

ଭାରତରେ କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠ ପୁରସ୍କାର ହେଉଛି ଖେଳ ରତ୍ନ । ୨୦୨୪ର ପ୍ୟାରିସ ଅଲିମ୍ପିକ୍ସରେ ୧୦ ମିଟର ଏୟାର ପିସ୍ତଲର ବ୍ୟକ୍ତିଗତ ଇଭେଣ୍ଟ ଏବଂ ୧୦ ମିଟର ଏୟାର ପିସ୍ତଲର ମିକ୍ସଡ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଲେ ମନୁ ଭାକର । ୧୮ ବର୍ଷୀୟ ଡି ଗୁକେଶ, ବିଶ୍ୱ ଚେସ୍ ଚାମ୍ପିଅନସିପ୍ ଟାଇଟଲ ବିଜେତା । ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ସେ ଏହି ସୌଭାଗ୍ୟ ଲାଭ କରିଥିଲେ । ଚୀନର ଡିଫେଣ୍ଡିଂ ଚାମ୍ପିଅନ ଡିଙ୍ଗ୍ ଲିରେନଙ୍କୁ ପରାଜିତ କରି ଡି. ଗୁକେଶ ହୋଇଥିଲେ ନୂଆ ଚାମ୍ପିଅନ ।

ହରମନପ୍ରୀତ ସିଂଙ୍କ ନେତୃତ୍ବରେ ଭାରତ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପୁରୁଷ ହକିରେ ବ୍ରୋଞ୍ଜ ପଦକ ଜିତିଥିଲା । ପାରାଅଲିମ୍ପିକ୍ସରେ ପ୍ରବୀଣ କୁମାର ହାଇଜମ୍ପରେ ସ୍ୱର୍ଣ୍ଣ ପଦକ ଜିଥିଲେ । କିଟ୍ ର ୩ ଅଲିମ୍ପିଆନଙ୍କୁ ମିଳିଛି ଜାତୀୟ କ୍ରୀଡ଼ା ସମ୍ମାନ । ପାରାଅଲିମ୍ପିଆନ ପ୍ରବୀଣ କୁମାରଙ୍କୁ ଖେଳ ରତ୍ନ ପୁରସ୍କାର । ଜ୍ୟୋତି ୟାରାଜୀ ଏବଂ ଅନୁରାଣୀଙ୍କୁ ଅର୍ଜୁନ ପୁରସ୍କାର ମିଳିଛି । ୩ ଜଣଙ୍କୁ ଶୁଭେଚ୍ଛା ଜଣାଇଲେ କିଟ୍ ଏବଂ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ।