ମୁମ୍ବାଇ ଇଣ୍ଡିଆନ୍ସର ନୂଆ କୋଚ୍ ଭାବେ ନିଯୁକ୍ତ ହେଲେ ମାର୍କ ବାଉଚର, କିଛିଦିନ ତଳେ ଦକ୍ଷିଣ ଆଫ୍ରିକା ଟିମରୁ ଦେଇଥିଲେ ଇସ୍ତଫା

ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟ୍ ଖେଳାଳି ମାର୍କ ବାଉଚରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ (କୋଚ୍‌) ଭାବେ ନିଯୁକ୍ତ କରାଯାଇଛି । ତାଙ୍କ କାର୍ଯ୍ୟକାଳ ଆଇପିଏଲ୍ ୨୦୨୩ରୁ ଆରମ୍ଭ ହେବ । ଜଣେ ୱିକେଟ୍ ରକ୍ଷକ, ବ୍ୟାଟ୍‌ସମ୍ୟାନ୍ ଭାବେ ମାର୍କ ବାଉଚରଙ୍କ ଏକ ଲମ୍ବା ଓ ଗୌରବମୟ କ୍ୟାରିୟର ରହିଥିଲା ଓ ଜଣେ ୱିକେଟ ରକ୍ଷକ ଭାବେ ଟେଷ୍ଟରେ ସର୍ବାଧିକ ଆଉଟ୍ କରାଇବାର ରେକର୍ଡ ତାଙ୍କ ନାମରେ ରହିଛି । ଖେଳାଳି ଭାବେ ଅବସର ଗ୍ରହଣ କରିବା ପରେ ଦକ୍ଷିଣ ଆଫ୍ରିକାର ଏକ ଶୀର୍ଷ ସ୍ତରର କ୍ରିକେଟ୍ ଫ୍ରାଞ୍ଚାଇଜି ଟାଇଟନ୍ସର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ ଓ ତାଙ୍କ ଅଧୀନରେ ଟାଇଟନ୍ସ ୫ଟି ଘରୋଇ ଟାଇଟଲ ବିଜୟୀ ହୋଇଛି ।

ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଏମ୍ ଅମ୍ବାନି କହିଛନ୍ତି ଯେ, ‘ମାର୍କ ବାଉଚରଙ୍କୁ ମୁମ୍ବାଇ ଇଣ୍ଡିଆନ୍‌ସକୁ ସ୍ୱାଗତ କରିବା ଆମ ପାଇଁ ଖୁସିର ବିଷୟ । ପଡ଼ିଆ ଭିତରେ ଓ ବାହାରେ ଜଣେ କୋଚ୍ ଭାବରେ ପ୍ରମାଣିତ ଦକ୍ଷତା ବଳରେ ନିଜ ଟିମ୍‌କୁ ଏକାଧିକ ବିଜୟ ଦିଗରେ ମାର୍ଗଦର୍ଶନ କରିଥିବା ମାର୍କ ଏମ୍‌ଆଇରେ ଉଲ୍ଲେଖନୀୟ ଯୋଗଦାନ କରିବେ ଓ ଏହାର ପରମ୍ପରାକୁ ଆଗକୁ ବଢ଼ାଇବେ ।’’

ମୁମ୍ବାଇ ଇଣ୍ଡିଆନ୍‌ସର ମୁଖ୍ୟ କୋଚ୍ ଶ୍ରୀଯୁକ୍ତ ମାର୍କ ବାଉଚର କହିଛନ୍ତି ଯେ, ‘ଏମ୍‌ଆଇର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହେବା ସମ୍ମାନର ବିଷୟ । ଏକ ଫ୍ରାଂଚାଇଜି ଭାବେ ସେମାନଙ୍କ ଇତିହାସ ଓ ସଫଳତା ସେମାନଙ୍କୁ ସ୍ପଷ୍ଟ ଭାବେ କ୍ରୀଡ଼ା ଦୁନିଆରେ ଅନ୍ୟତମ ସଫଳ ସ୍ପୋର୍ଟସ୍ ଫ୍ରାଂଚାଇଜିରେ ପରିଣତ କରିଛି । ଶ୍ରେଷ୍ଠ ନେତୃତ୍ୱ ଓ ଖେଳାଳିଙ୍କ ସହ ଏହା ହେଉଛି ଏକ ଦୃଢ଼ ୟୁନିଟ୍ । ଏହି ଚମତ୍କାର ୟୁନିଟ୍‌ରେ ଯୋଗଦାନ କରି ସମୃଦ୍ଧ କରିବାକୁ କରିବାକୁ ମୁଁ ଚାହିରହିଛି ।’’

ସୂଚନାଯୋଗ୍ୟ, ବାଉଚର ଡିସେମ୍ବର ୨୦୧୯ରେ ଦକ୍ଷିଣ ଆଫ୍ରିକା ଟିମର ହେଡ କୋଚ ଦାୟିତ୍ୱ ସମ୍ଭାଳିଥିଲେ। ବାଉଚର କୋଚ ଥିବା ବେଳେ ଦକ୍ଷିଣଆଫ୍ରିକା ୧୦ଟି ଟେଷ୍ଟ ମ୍ୟାଚ ଜିତିଛି। ଭାରତ ବିପକ୍ଷରେ ଚଳିତ ଜାନୁଆରୀରେ ମଧ୍ୟ ୨-୧ରେ ସିରିଜ ଜିତିଥିଲା ଦକ୍ଷିଣ ଆଫ୍ରିକା। ସାଉଥ ଆଫ୍ରିକା ଟିମ୍‌ ଏବେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ବାଉଚରଙ୍କ ଅଧିନରେ ଟିମ୍‌ ଏପର୍ଯ୍ୟନ୍ତ ୧୨ଟି ଦିନିକିଆ ଏବଂ ୨୩ଟି ଟି-୨୦ ମ୍ୟାଚ ଜିତିଛି।

Also Read : ଟି-୨୦ ବିଶ୍ୱକପ ପୂର୍ବରୁ ସାଉଥ ଆଫ୍ରିକାକୁ ବଡ ଝଟକା, ମୁଖ୍ୟ କୋଚ ପଦରୁ ଇସ୍ତଫା ଦେବେ ମାର୍କ ବାଉଚର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.