ଟି-୨୦ ବିଶ୍ୱକପ୍‌ ପାଇଁ ପାକିସ୍ତାନ ଦଳର ମେଣ୍ଟର ନିଯୁକ୍ତ ହେଲେ ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନ୍‌

ଲାହୋର : ଆଗକୁ ଅଛି ଟି-୨୦ ବିଶ୍ୱ କପ୍‌ । ଠିକ୍‌ ଏହାରି ପୂର୍ବରୁ ପାକିସ୍ତାନ ତା ଦଳର ମେଣ୍ଟର ଭାବେ ନିଯୁକ୍ତି ଦେଇଛି ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ମାଥ୍ୟୁ ହେଡେନ୍‌ଙ୍କୁ । ପୂର୍ବତନ ଓପ୍ନର ହେଡେନ୍‌ ଜଣେ ଆକ୍ରମଣାତ୍ମକ ବ୍ୟାଟର । ଏପଟେ ଟି-୨୦ ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ଖେଳା ଯିବାକୁ ଥିବାରୁ ହେଡେନ୍‌ଙ୍କ ପରାମର୍ଶ ଦଳ ପାଇଁ ଖୁବ୍‌ ଉପଯୋଗୀ ହେବ ବୋଲି ମନେ କରାଯାଉଛି । ତେଣୁ ପାକିସ୍ତାନ ଥିଙ୍କଟ୍ୟାଙ୍କ ଏସବୁକୁ ଚିନ୍ତା କରି ହେଡେନଙ୍କୁ ନିଯୁକ୍ତି ଦେଇଛନ୍ତି ।

ହେଡେନ୍‌ ଅକଟୋବର ୧୫ ତାରିଖରେ ପାକ୍‌ ଦଳ ସହ ଯୋଗ ଦେବେ । ଏହି ନିଯୁକ୍ତି ପରେ ହେଡେନ୍‌ କହିଛନ୍ତି କି ପାକିସ୍ତାନ ଏକ ବଢ଼ିଆ ଟିମ୍‌ । ସେମାନଙ୍କର ବିଶ୍ୱକପ୍‌ ଜିତିବାର କ୍ଷମତା ମଧ୍ୟ ରହିଛି । ତେବେ ମୁଁ ଅଷ୍ଟ୍ରେଲିଆ ପରିବେଶ ସହିତ ବେଶ୍‌ ଅଭ୍ୟସ୍ତ ଥିବାରୁ ସେମାନଙ୍କୁ ବିଶ୍ୱ କପ୍‌ ବେଳେ ଆଉ ଟିକେ ସହାୟତା କରି ପାରିବି ।
ଏବେ ଏସିଆ କପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ପାକିସ୍ତାନ ଟିମ୍‌ ଟି-୨୦ ବିଶ୍ୱ କପ୍‌ରେ ପ୍ରଥମ ତାର ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ଭାରତକୁ ଭେଟିବ । ତା ପୂର୍ବରୁ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ଟି-୨୦ ତ୍ରିରାଷ୍ଟ୍ରୀୟ ସିରିଜ ଖେଳି ଅଷ୍ଟ୍ରେଲିଆକୁ ଆସିବ । ଅକଟୋବର ୨୩ରେ ମେଲବର୍ଣ୍ଣ ଠାରେ ଏହାର ଭାରତ ସହ ମୁକାବିଲା ହେବ । ତା ପୂର୍ବରୁ ପାକିସ୍ତାନ ଦଳ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଇଂଲଣ୍ଡ ଓ ଆଫଗାନିସ୍ତାନ ସହିତ ଖେଳିବ ।

ଚଳିତ ଏସିଆ କପ୍‌ରେ ତାର ପ୍ରଥମ ମ୍ୟାଚ୍‌ ଭାରତ ଠାରୁ ହାରିବା ପରେ ପାକିସ୍ତାନ ଲଗାତାର ଭଲ ପ୍ରଦର୍ଶନ କରି ବିଜୟୀ ହୋଇ ଚାଲିଛି । ପୂର୍ବ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ୧ ଓ୍ଵିକେଟ୍‌ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି । ଆଜି ଶ୍ରୀଲଙ୍କା ସହିତ ଲଢ଼େଇ ହେବ । ତେବେ ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା ଫାଇନାଲ୍‌ରେ ପହଞ୍ଚି ସାରିଛନ୍ତି । ଆସନ୍ତା ରବିବାର ଦିନ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ।

ସୂଚନା ଅନୁସାରେ ହେଡେନ୍‌ ଦ୍ୱିତୀୟ ଥର ପାଇଁ ପାକିସ୍ତାନ ଦଳର ମେଣ୍ଟର ଭାବେ ନିଯୁକ୍ତି ପାଇଛନ୍ତି । ସେ ଗତ ଟି-୨୦ ବିଶ୍ୱକପ୍‌ରେ ମଧ୍ୟ ଏହି ଦାୟିତ୍ୱ ତୁଲାଇ ଥିଲେ । ତେଣୁ ପାକିସ୍ତାନ ଟିମ୍‌ କର୍ତ୍ତୃପକ୍ଷ ପୁଣି ଥରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.