ୟୁସୁଫ ପଠାନଙ୍କୁ ଧକ୍କା ମାରିବା ମିଶେଲ ଜନସନଙ୍କୁ ପଡିଲା ମହଙ୍ଗା: ଏବେ ଦେବାକୁ ପଡିବ ଜରିମାନା, ମିଳିଲା ଚେତାବନୀ

ଲିଜେଣ୍ଡ ଲିଗ୍‌ କ୍ରିକେଟରେ ୟୁସୁଫ ପଠାନଙ୍କୁ ଧକ୍କା ମାରିବା ମିଶେଲ ଜନସନଙ୍କୁ ମହଙ୍ଗା ପଡିଛି। ଇଣ୍ଡିଆ କ୍ୟାପିଟାଲ୍ସ ଏବଂ ଭିଲବାଡା କିଙ୍ଗସ ମଧ୍ୟରେ ମ୍ୟାଚ୍‌ ଚାଲିଥିବା ବେଳେ ଏହି ଘଟଣା ଦେଖିବାକୁ ମିଳିଥିଲା। ଫଳରେ ମିଶେଲ ଜନସନଙ୍କୁ ଜରିମାନା ଦେବାକୁ ପଡିବ। ମିଶେଲ ଜନସନଙ୍କୁ ମ୍ୟାଚର ୫୦ ପ୍ରତିଶତ ଜରିମାନା ଲାଗିଛି। ତା’ ସହିତ ଚେତାବନୀ ମଧ୍ୟ ମିଳିଛି।

ଏହି ଘଟଣାର ଯାଞ୍ଚ ପରେ ଲିଗର ଆୟୁକ୍ତ ରବି ଶାସ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା। ଯେଉଁଥିରେ ଜନସନଙ୍କୁ ଦଣ୍ଡିତ କରାଯିବ ସହିତ ଅଫିସିଆଲି ଚେତାବନୀ ମଧ୍ୟ ଦିଆଯାଇଛି। ଏହି ଲିଗରେ ପ୍ରତିସ୍ପର୍ଦ୍ଧା କ୍ରିକେଟକୁ ଅଗ୍ରଣୀ କରିବା ପାଇଁ ଏହାକୁ ଆୟୋଜନ କରାଯାଇଛି। କିନ୍ତୁ କ୍ରିକେଟ ମଇଦାନରେ ଏମିତି କିଛି ଘଟଣା ଘଟିବା ଅଶୋଭନୀୟ ବୋଲି ଲିଗର ସହ ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରମନ ରହେଜା କହିଛନ୍ତି।

ସୂଚନାଯୋଗ୍ୟ, ଲିଜେଣ୍ଡସ ଲିଗର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ ଇଣ୍ଡିଆ କ୍ୟାପିଟାଲ୍ସ ଏବଂ ଭିଲବାଡା କିଙ୍ଗସ ମଧ୍ୟରେ ଯୋଧପୁରରେ ଖେଳାଯାଇଥିଲା। ଏହି ମ୍ୟାଚକୁ ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ଇଣ୍ଡିଆ କ୍ୟାପିଟାଲ୍ସ ୪ ଓ୍ଵିକେଟରେ ଜିତି ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଏହି ମ୍ୟାଚରେ ଏମିତି କିଛି ଘଟିଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଥିଲା। ଏହି ମ୍ୟାଚରେ ଭିଲବାଡା କିଙ୍ଗସର ୟୁସୁଫ ପଠାନ ଇଣ୍ଡିଆ କ୍ୟାପିଟାଲ୍ସର ଦ୍ରୁତ ବୋଲର ମିଶେଲ ଜନସନଙ୍କ ସହିତ ଝଗଡା କରୁଥିବା ଦେଖିବାକୁ ମିଳିଥିଲେ। ଝଗଡା ଏତେ ଅଧିକ ଥିଲା ଯେ, ଦୁହେଁ ପରସ୍ପର ଉପରେ ହାତ ଉଠାଇବାକୁ ପଛାଇ ନଥିଲେ।

ଭାଇରଲ ଭିଡିଓରେ ପ୍ରଥମେ ୟୁସୁଫ ପଠାନ ଏବଂ ମିଶେଲ ଜନସନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। କିଛି ସେକେଣ୍ଡ ପରେ ଦୁହେଁ ପରସ୍ପର ପାଖାକୁ ଆସିଥିଲେ। ତା’ ପରେ ଜନସନ ପଠାନଙ୍କୁ ଧକ୍କା ଦେଇଥିଲେ। ଧକ୍କା ଦେବା ପରେ ଜନସନ ହସି ସେଠାରୁ ଚାଲିଯାଇଥିଲେ। କିନ୍ତୁ ଏହି ସମୟରେ ଟିମର ଅନ୍ୟ ଖେଳାଳି ଏବଂ ଅମ୍ପାୟର ଦୁହିଁଙ୍କୁ ରୋକିଥିଲେ।

ଏହି ମ୍ୟାଚରେ ରସ୍‌ ଟେଲର (୮୪) ରନ୍‌ ଏବଂ କ୍ୟାରିବିଆଇ ଧୁରନ୍ଧର ଏଶ୍ଲେ ନର୍ସ(୬୦) ରନ୍‌ କରିଥିଲେ। ଯୋଧପୁରର ବାରକାଟୁଲ୍ଲା ଖାନ ଷ୍ଟାଡିୟମରେ ଲିଜେଣ୍ଡସ ଲିଗ୍ କ୍ରିକେଟ୍ କ୍ୱାଲିଫାୟରରେ ଏକ ରୋମାଞ୍ଚକର ମ୍ୟାଚରେ ଇଣ୍ଡିଆ କ୍ୟାପିଟାଲ୍ସ ଭିଲବାଡା କିଙ୍ଗସକୁ ୪ ଓ୍ଵିକେଟରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା। ପ୍ରଥମେ ବ୍ୟାଟିଂ କରି ଭିଲବାଡା କିଙ୍ଗସ୍ ୫ ଓ୍ଵିକେଟରେ ୨୨୬ ରନ୍‌ କରିଥିଲା। ଇଣ୍ଡିଆ କ୍ୟାପିଟାଲ୍ସର ୩ଟି ବଲ ବାକି ଥାଇ ୬ ଓ୍ଵିକେଟ ହରାଇ ମ୍ୟାଚ୍‌ ଜିତିନେଇଥିଲା।

Also Read : ଭାରତ ଏବଂ ସାଉଥ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ ବେଳେ ପଡିଆକୁ ପଶିଲା ସାପ, ୧୦ ମିନିଟ୍‌ ପାଇଁ ହୋଇଥିଲା ମ୍ୟାଚ୍‌ ବନ୍ଦ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.