ଟିମକୁ ଖୁବଶୀଘ୍ର ଫେରୁଛନ୍ତି ମହମ୍ମଦ ଶାମି, ଆରମ୍ଭ କଲେ ଅଭ୍ୟାସ

କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଭାରତୀୟ ଟିମର ଷ୍ଟାର ବୋଲର ମହମ୍ମଦ ଶାମି ଆଘାତଜନିତ ସମସ୍ୟାରୁ ବାହାହରି ବୋଲିଂ କରିବା ଆରମ୍ଭ କରିଦେଇଛନ୍ତି । ଦୀର୍ଘ ୮ ମାସ ହେଲାଣି ଆଘାତଜନିତ ସମସ୍ୟା ଯୋଗୁଁ ମଇଦାନରୁ ଦୂରେଇ ଥିଲେ ଶାମି । ହେଲେ ଏବେ ନେଟସରେ ବୋଲିଂ କରିବା ଆରମ୍ଭ କରିଦେଇଛନ୍ତି । ଯାହା ଭିଡିଓ ସୋସିଆଲ ମିଡିଆରେ ସେୟାର ହୋଇଛି ।
ଭାରତୀୟ ଟିମର ଅନୁଭବୀ କ୍ରିିକେଟର ମହମ୍ମଦ ଶାମି ନିଜେ ଫ୍ୟାନ୍ସଙ୍କୁ ଖୁସିଖବର ଦେଇଛନ୍ତି । ଆଘାତଜନିତ ସମସ୍ୟାରୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଇନଷ୍ଟାରେ ସେୟାର ହୋଇଥିବା ଭିଡିଓରେ ଶାମି ବୋଲିଂ କରୁଥିବାର ନଜର ଆସିଛନ୍ତି । ସର୍ଜରୀ ପରେ ଅଧିକ ଜୋର ନ ଲଗାଇ ବୋଲିଂ କରୁଛନ୍ତି । ତେବେ ଶାମିଙ୍କ ଅଭ୍ୟାସ ଦେଖି ଆଗକୁ ଭାରତ ଖେଳିବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ଠିକ୍ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ୨୦୨୩ ଦିନିକିଆ ବିଶ୍ୱକପ୍ ସମୟରେ ଷ୍ଟାର ଫାଷ୍ଟ ବୋଲର ଶାମିଙ୍କ ଗୋଇଠିରେ ଆଘାତ ଲାଗିଥିଲା । ଫଳରେ ସେ ଗତ ବର୍ଷ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଏବଂ ଜାନୁଆରୀରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିପାରିନଥିଲେ । ଫେବୃଆରୀରେ ତାଙ୍କର ସର୍ଜରୀ ହୋଇଥିଲା । ଏଥିପାଇଁ ସେ ୨୦୨୪ ଆଇପିଏଲ୍ ଏବଂ ଟି- ୨୦ ବିଶ୍ୱକପ୍ ଖେଳିନଥିଲେ । ବର୍ତ୍ତମାନ ତାଙ୍କର ଟିମକୁ ଫେରିବାର ନେଇ ଚର୍ଚ୍ଚା ହେଉଛି ।
ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ, ଶାମି ବାଂଲାଦେଶ ବିପକ୍ଷ ଟି୨୦ ସିରିଜ ପାଇଁ ସେପ୍ଟେମ୍ବର ୨୦୨୪ରେ ପ୍ରତ୍ୟାବର୍ତ୍ତନ କରିବେ ।
୩୩ ବର୍ଷୀୟ ମହମ୍ମଦ ଶାମି ଭାରତ ପାଇଁ ଗତବର୍ଷ ବିଶ୍ୱକପ ଫାଇନାଲରେ ଖେଳିଥିଲେ । ବିଶ୍ୱକପର ପ୍ରଥମ ୪ଟି ମ୍ୟାଚରେ ତାଙ୍କୁ ସୁଯୋଗ ମିଳିନଥିଲା । ଏହାପରେ ବାକି ୭ଟି ମ୍ୟାଚ ଖେଳି ୨୪ଟି ଓ୍ଵିକେଟ ହାସଲ କରିଥିଲେ । ବିଶ୍ୱକପ ପରେ ଟିମରୁ ବାଦ୍ ପଡିଥିଲେ ।