ମହମ୍ମଦ ଶାମି ପୁଣି ଆହତ, ଫୁଲିଛି ଆଣ୍ଠୁ ଭଲ ହେବା ପାଇଁ ଲାଗିବ ସମୟ !

ଭାରତୀୟ ଟିମର ଷ୍ଟାର ବୋଲର ମହମ୍ମଦ ଶାମି ଖୁବଶୀଘ୍ର ଟିମକୁ ଫେରିବେ ବୋଲି ଫ୍ୟାନ୍ସ ଆଶା କରୁଛନ୍ତି । ହେଲେ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର ସାମ୍ନାକୁ ଆସିଛି । ରିପୋର୍ଟ ମୁତାବକ, ଆହତଜନିତ ସମସ୍ୟାରୁ ମୁକୁଳିବା ପାଇଁ ରିହାବରେ ଥିବା ଶାମି ପୁଣିଥରେ ଆହତ ହୋଇଛନ୍ତି ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବରରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଶାମି ମଇଦାନକୁ ଫେରିବେ ବୋଲି ଆକଳନ କରାଯାଉଥିଲା । ଗତବର୍ଷ ନଭେମ୍ବରରେ ବିଶ୍ୱକପ ଖେଳିଥିଲେ ଶାମି । ଏହାପରେ ଗୋଇଠି ସର୍ଜରୀ କରାଇଥିଲେ ।

ଗୋଇଠି ସର୍ଜରୀ ପରେ ରିହାବରେ ଏଥିରୁ ବାହାରିବା ପାଇଁ ଚେଷ୍ଟା କରୁଥିବା ବେଳେ ପୁଣିଥରେ ଆହତ ହୋଇଛନ୍ତି । ପୁଣି ଶାମିଙ୍କ ଆଣ୍ଠୁ ଫୁଲିଥିବା ଖବର ମିଳିଛି । ଶାମି ବୋଲିଂ ଅଭ୍ୟାସ ଆରମ୍ଭ କରିଥିଲେ । ଟ୍ରାକକୁ ଫେରିବାକୁ ଚେଷ୍ଟା କରୁଥିବା ଶାମି ପୁଣି ଆହତ ହୋଇଛନ୍ତି । ବିସିସିଆଇର ମେଡିକାଲ ଟିମ୍‌ ଆହତ ସମସ୍ୟା ବିଷୟରେ ଆକଳନ କରୁଛି । ଏଥିପାଇଁ କିଛି ସମୟ ଲାଗିପାରେ ବୋଲି ଜଣାପଡିଛି ।

୩୩ ବର୍ଷୀୟ ମହମ୍ମଦ ଶାମି ଭାରତ ପାଇଁ ଗତବର୍ଷ ବିଶ୍ୱକପ ଫାଇନାଲରେ ଖେଳିଥିଲେ । ବିଶ୍ୱକପର ପ୍ରଥମ ୪ଟି ମ୍ୟାଚରେ ତାଙ୍କୁ ସୁଯୋଗ ମିଳିନଥିଲା । ଏହାପରେ ବାକି ୭ଟି ମ୍ୟାଚ ଖେଳି ୨୪ଟି ଓ୍ଵିକେଟ ହାସଲ କରିଥିଲେ । ବିଶ୍ୱକପ ପରେ ଟିମରୁ ବାଦ୍‌ ପଡିଥିଲେ ।

ଶାମି ଭାରତ ପାଇଁ ୩ଟି ଫର୍ମାଟରେ ବୋଲିଂ କରିଛନ୍ତି । ସେ ଏପର୍ଯ୍ୟନ୍ତ ୬୪ ଟେଷ୍ଟ, ୧୦୧ ଦିନିକିଆ ଏବଂ ୨୩ଟି ଟି୨୦ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ୨୨୯ ଓ୍ୱିକେଟ ନେଇଥିବା ବେଳେ ଦିନିକିଆରେ ୧୯୫ ଏବଂ ଟି୨୦ରେ ୨୩ଟି ମ୍ୟାଚ ଖେଳି ୨୪ ଓ୍ୱିକେଟ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like