ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ଭାରତ ପାଇଁ ଖୁସି ଖବର, ଶାମି ଆରମ୍ଭ କଲେ ଅଭ୍ୟାସ

ଭାରତୀୟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ମଇଦାନକୁ ଫେରିବେ ଦ୍ରୁତ ବୋଲର ମହମ୍ମଦ ଶାମି । ରବିବାର ଦିନ ଶାମି ବିନା କୌଣସି ସମସ୍ୟାରେ ପଡିଆରେ ୧ ଘଣ୍ଟା ଯାଏଁ ଅଭ୍ୟାସ କରିଥିଲେ । ବର୍ଷେ ହେଲାଣି ହୋଇଥିବା ସର୍ଜରୀରୁ ବାହାରିବା ପାଇଁ ଶାମି ଚେଷ୍ଟା କରୁଛନ୍ତି । ଶାମି ଶେଷ ମ୍ୟାଚ ୨୦୨୩ ଦିନିକିଆ ବିଶ୍ୱକପ ବେଳେ ଖେଳିଥିଲେ ।

ଶାମି ବୋଲିଂ କୋଚ ମୋର୍ନି ମାକେର୍ଲଙ୍କ ତତ୍ତ୍ୱାବଧାନରେ ବୋଲିଂ କରିଥିଲେ । ଏହି ସମୟରେ ଭାରତୀୟ ଟିମର ଆସିଷ୍ଟାଣ୍ଟ କୋଚ ଅଭିଷେକ ନାୟର ବ୍ୟାଟିଂ କରିଥିଲେ । ଶାମି ବାମ ଗୋଡରେ ପଟି ବାନ୍ଧି ଥିଲେ । ପ୍ରଥମେ ଛୋଟ ରନ୍‌ଅପ ସହିତ ବୋଲିଂ କରିଥିବା ବେଳେ ପରେ ପୁରା ରନଅପ୍‌ ସହିତ ଭଲ ବୋଲିଂ କରିଥିଲେ । ଶାମି ନିଜର ସ୍ୱିଂଗ ବୋଲିଂରେ ନାୟରଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲେ । ଏହି ସମୟରେ ଫିଲ୍ଡିଂ ଅଭ୍ୟାସ ମଧ୍ୟ କରିଥିଲେ ଶାମି ।

ପୂର୍ବରୁ ରୋହିତ ଶର୍ମା କହିଥିଲେ କି, ଶାମି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ ହୋଇନାହାନ୍ତି । ତେଣୁ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ନେବା ରିସ୍କ ନେବା ଭଳି ହେବ । ତେବେ ବର୍ତ୍ତମାନ ଶାମି ଅଷ୍ଟ୍ରେଲିଆ ସିରିଜ ପାଇଁ ସମ୍ପୂର୍ଣ୍ଣ ଫିଟ୍‌ ହୋଇପାରୁଛନ୍ତି କି ନାହିଁ ତାହା ଜଣାପଡିବ । ନଭେମ୍ବରରୁ ଜାନୁଆରୀ ମଧ୍ୟରେ ଖେଳାଯିବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫି ପାଇଁ ଶାମି ଶ୍ରେଷ୍ଠ ବୋଲର ।

ସୂଚନାଯୋଗ୍ୟ, ଶାମି ଭାରତ ପାଇଁ ୨୦୨୩ରେ ବିଶ୍ୱକପ ଫାଇନାଲ ମ୍ୟାଚ ଖେଳିଥିଲେ । ଏହାପରେ ଆହତଜନିତ ସମସ୍ୟା ଯୋଗୁଁ ଟିମରୁ ବାଦ୍‌ ପଡିଥିଲେ । ଟିମରୁ ବାଦ୍‌ ପଡିବା ପରେ ଶାମି ଗୋଇଠି ସର୍ଜରୀ କରିଥିଲେ । ଶାମି ଭାରତ ପାଇଁ ୩ଟି ଫର୍ମାଟରେ ବୋଲିଂ କରିଛନ୍ତି । ସେ ଏପର୍ଯ୍ୟନ୍ତ ୬୪ ଟେଷ୍ଟ, ୧୦୧ ଦିନିକିଆ ଏବଂ ୨୩ଟି ଟି୨୦ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ୨୨୯ ଓ୍ୱିକେଟ ନେଇଥିବା ବେଳେ ଦିନିକିଆରେ ୧୯୫ ଏବଂ ଟି୨୦ରେ ୨୩ଟି ମ୍ୟାଚ ଖେଳି ୨୪ ଓ୍ୱିକେଟ ନେଇଛନ୍ତି ।