୧୯ ମହଲାରୁ ଡେଇଁ ଜୀବନ ହାରିବାକୁ ଭାବିଥିଲେ ମହମ୍ମଦ ଶାମି, ଖୁଲାସା କଲେ ସାଙ୍ଗ

ଭାରତୀୟ କ୍ରିକେଟ ଟିମର ଷ୍ଟାର ବୋଲର ମହମ୍ମଦ ଶାମି ତାଙ୍କ କ୍ୟାରିୟର ମଧ୍ୟରେ ସଫଳତା ପାଇଛନ୍ତି ସତ କିନ୍ତୁ ବ୍ୟକ୍ତିଗତ ଜୀବନରେ ବହୁତ କିଛି ସହିଛନ୍ତି । ମ୍ୟାଚ୍‌ ଫିକ୍ସିଂ ଠାରୁ ଆରମ୍ଭ କରି ପତ୍ନୀଙ୍କ ଠାରୁ ଛାଡପତ୍ର ପର୍ଯ୍ୟନ୍ତ ଅନେକ ସମସ୍ରାର ସାମ୍ନା କରିଛନ୍ତି । ଏସବୁ ସମସ୍ୟା ତାଙ୍କୁ ଗଭୀର ଭାବେ ଆଘାତ ଦେଇଛି । ଆଉ ଜୀବନର ଏମିତି ସମୟରେ ଶାମି ଭାଙ୍ଗିପଡିଛନ୍ତି ମଧ୍ୟ ।

ଉତ୍ତର ପ୍ରଦେଶରେ ଜନ୍ମିତ ୩୩ ବର୍ଷୀୟ ଶାମି ଜୀବନରେ ଆସିଥିବା ଝଡଝଞ୍ଜାରେ ଛନ୍ଦି ହୋଇପଡିଥିଲେ । ଆଉ ନିଜ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାର ଖୁଲାସା ଶାମିଙ୍କ ବନ୍ଧୁ ଉମେଶ କୁମାର କରିଛନ୍ତି ।

ମହମ୍ମଦ ଶାମିଙ୍କ ବନ୍ଧୁ ଉମେଶ କୁମାର କହିଛନ୍ତି, ପାକିସ୍ତାନ ସହିତ ମିଶି ମ୍ୟାଚ ଫିକ୍ସିଂ କରିଥିବା ଖବର ତାଙ୍କ ମନରେ ଗଭୀର ଆଘାତ ଦେଇଥିଲା । ଶାମି ସବୁକିଛି ସହିପାରିବେ, କିନ୍ତୁ ଦେଶଦ୍ରୋହ ଅଭିଯୋଗ ଆସିବା ସମୟରେ ସେ ଅତ୍ୟନ୍ତ ଚାପରେ ରହିଥିଲେ। ଏପରି କି ସେ ଏକଦା ୧୯ ମହଲାରୁ ଡେଇଁ ଜୀବନ ହାରିବାକୁ ମଧ୍ୟ ଚିନ୍ତା କରୁଥିଲେ ।

ତେବେ ଏଭଳି ସମୟରେ ଶାମି ମୋ ଘରେ ରହୁଥିଲେ । ପାଖାପାଖି ୪ଟା ଭୋର ସମୟରେ ପାଣି ପିଇବା ପାଇଁ ଉଠିବା ବେଳେ ଶାମି ବାଲକୋନୀରେ ଠିଆ ହୋଇଥିବା ଦେଖିବାକୁ ପାଇଥିଲି । ଆମେ ୧୯ ମହଲାରେ ରହୁଥିଲି, ତେଣୁ ଶାମିଙ୍କୁ ସେଠାରେ ଦେଖି ସବୁକିଛି ବୁଝିସାରିଥିଲି । ସେହି ରାତି ଶାମିଙ୍କ ଜୀବନରେ ସବୁଠାରୁ ଲମ୍ବା ରାତି ଥିଲା ।

ଏହି ଘଟଣାର କିଛି ଦିନ ପରେ ଫୋନକୁ ଏକ ମେସେଜ ଆସିଥିଲା, ଯେଉଁଥିରେ ମ୍ୟାଚ୍‌ ଫିକ୍ସିଂ ମାମଲାରେ ଯାଞ୍ଚ କରୁଥିବା ସମିତି ଶାମିଙ୍କୁ କ୍ଲିନଚିଟ୍‌ ଦେଇଥିଲା । ଏହି ମେସେଜ ବିଶ୍ୱକପ ଜିତିବା ଭଳି ଖୁସି ଦେଇଥିଲା ।

ସୂଚନାଯୋଗ୍ୟ, ବିଶ୍ୱକପ ୨୦୨୩ ପରେ ଶାମି ଭାରତୀୟ ଟିମରୁ ବାଦ୍‌ ପଡିଛନ୍ତି । ତାଙ୍କ ଗୋଇଠିରେ ଆଘାତ ଲାଗିବା ଯୋଗୁଁ ସର୍ଜରୀ ହୋଇଥିଲା । ଫଳରେ ସେ ଗତ ବର୍ଷ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଏବଂ ଜାନୁଆରୀରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିପାରିନଥିଲେ । ଫେବୃଆରୀରେ ତାଙ୍କର ସର୍ଜରୀ ହୋଇଥିଲା । ଏଥିପାଇଁ ସେ ୨୦୨୪ ଆଇପିଏଲ୍ ଏବଂ ଟି- ୨୦ ବିଶ୍ୱକପ୍ ଖେଳିନଥିଲେ । ବର୍ତ୍ତମାନ ତାଙ୍କର ଟିମକୁ ଫେରିବାର ନେଇ ଚର୍ଚ୍ଚା ହେଉଛି । ସର୍ଜରୀ ସରିବା ପରେ ଏବେ ଶାମି ଅଭ୍ୟାସ କରୁଛନ୍ତି ।  ଦୀର୍ଘ ୮ ମାସ ହେଲାଣି ଆଘାତଜନିତ ସମସ୍ୟା ଯୋଗୁଁ ମଇଦାନରୁ ଦୂରେଇ ଥିଲେ ଶାମି । ହେଲେ ଏବେ ନେଟସରେ ବୋଲିଂ କରିବା ଆରମ୍ଭ କରିଦେଇଛନ୍ତି ।