ମନର ଯନ୍ତ୍ରଣା ସେୟାର କଲେ ମୋହିତ ଶର୍ମା, ଆଇପିଏଲ ସରିବା ପରେ ରାତି ସାରା ଚିନ୍ତାରେ ଶୋଇପାରିନଥିଲି
ଆଇପିଏଲ୍ ଫାଇନାଲରେ ଶେଷ ଓଭର ପକାଇଥିବା ମୋହିତ ଶର୍ମା ନିଜର ମନର ଯନ୍ତ୍ରଣା ସେୟାର କରିଛନ୍ତି । ଚେନ୍ନାଇ ମ୍ୟାଚ ଜିତିବା ପରେ ରାତିସାରା କେମିତି ବୋଲିଂ କରିଥିଲେ ଭଲ ହୋଇଥାନ୍ତା ବୋଲି ଭାବିଥିଲେ ମୋହିତ ଶର୍ମା ।
ଆଇପିଏଲ୍୨୦୨୩ର ଫାଇନାଲ ମ୍ୟାଚ୍ ରୋମାଞ୍ଚ ଭରା ରହିଥିଲା । ଫାଇନାଲ ମ୍ୟାଚ୍ ପାଇଁ ଫ୍ୟାନ୍ସ ଯେମିତି ରୋମାଞ୍ଚିତ ହୋଇ ରହିଥିଲେ, ସେଭଳି ମ୍ୟାଚ୍ ହୋଇଥିଲା । ଶେଷ ଦୁଇ ବଲରେ ସଂପୂର୍ଣ୍ଣ ମ୍ୟାଚର ଭାଗ୍ୟ ପରିବର୍ତ୍ତନ ହୋଇଯାଇଥିଲା । ରବୀନ୍ଦ୍ର ଜାଡେଜାଙ୍କ ଛକା ଏବଂ ଚଉକା ଗୁଜରାଟ ଟାଇଟନ୍ସ ଠାରୁ ବିଜୟ ଚଢାଇ ଆଣିଥିଲା । ଗୁଜରାଟ ଟାଇଟନ୍ସର ଶେଷ ଓଭର ବୋଲର ମୋହିତ ଶର୍ମା ବୋଲିଂ କରୁଥିଲେ । ଆଉ ମ୍ୟାଚ ସରିବା ପରେ ରାତି ସାରା ଶୋଇପାରିନଥିଲେ ମୋହିତ ।
ଚେନ୍ନାଇ ଏବଂ ଗୁଜରାଟ ମଧ୍ୟରେ ଚାଲିଥିବା ଫାଇନାଲ ମ୍ୟାଚର ଶେଷ ଓଭର ଗୁଜରାଟ ବୋଲର ମୋହିତ ଶର୍ମା ପକାଇଥିଲେ । ଆଉ ଚେନ୍ନାଇ ଜିତିବା ପରେ ଶେଷ ଓଭର ବୋଲିଂ କରିଥିବା ମୋହିତ ନିଜର ଅନୁଭୂତି ସେୟାର କରିଛନ୍ତି । ସେ କହିଛନ୍ତି, ‘ ମୁଁ ସେ ରାତିରେ ଶୋଇପାରିନଥିଲି । କେମିତି ବୋଲିଂ କରିଥିଲେ ଆମେ ମ୍ୟାଚ ଜିତିପାରିଥାନ୍ତୁ, ସେ ବିଷୟରେ ରାତି ସାରା ଭାବୁଥିଲି । ମୋତେ ବହୁତ କଷ୍ଟ ଲାଗିଲା । କିନ୍ତୁ ସବୁକିଛି ଭୁଲି ଆଗକୁ ବଢିବାକୁ ଚେଷ୍ଟା କରୁଛି ।
ମୋହିତ ଶର୍ମାଙ୍କ ଶେଷ ବୋଲର ରବୀନ୍ଦ୍ର ଜାଡେଜା ଚଉକା ମାରି ଚେନ୍ନାଇଙ୍କୁ ଟ୍ରଫି ଜିତାଇଥିଲେ । ଏହାକୁ ନେଇ ମୋହିତ କହିଛନ୍ତି, ଜାଡେଜା ଯେଉଁ ବଲ୍ରେ ଚଉକା ମାରିଥିଲେ, ସେ ବଲ୍ ୟର୍କର ପକାଇବାକୁ ଶତ ପ୍ରତିଶତ ଚେଷ୍ଟା କରିଥିଲି । କିନ୍ତୁ ଏମିତି ହେଲାନି । ବଲ୍ ଯେଉଁଠି ପଡିବା କଥା ପଡିଲା ନାହିଁ ଆଉ ଜାଡେଜା ଏହାର ଫାଇଦା ଉଠାଇଥିଲେ ।
We are not crying, you are 🥹
The Legend continues to grow 🫡#TATAIPL | #Final | #CSKvGT | @msdhoni | @ChennaiIPL pic.twitter.com/650x9lr2vH
— IndianPremierLeague (@IPL) May 30, 2023
ସୂଚନାଯୋଗ୍ୟ, ଆଇପିଏଲ୍ ୨୦୨୩ ଫାଇନାଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ୫ମ ଟାଇଟଲ ବାଜି ମାରିନେଇଥିଲା । ଶେଷ ଓଭରେ ୧୩ ରନ୍ ଦରକାର ଥିବା ବେଳେ ଗୁଜରାଟ ଟାଇଟନ୍ସ ବୋଲର ମୋହିତ ଶର୍ମା ପ୍ରଥମ ୪ଟି ବଲ ୟର୍କର ପକାଇ ମାତ୍ର ୩ ରନ୍ ଦେଇଥିଲେ। ଆଉ ଶେଷ ଦୁଇ ବଲରେ ୧୦ ରନ୍ ଦରକାର ଥିଲା । ୫ମ ବଲରେ ଜାଡେଜା ଛକା ଏବଂ ୬ଷ୍ଠ ବଲରେ ଚଉକା ମାରି ଚେନ୍ନାଇକୁ ଟାଇଟଲ ଜିତାଇଥିଲେ ।