ଅବସର ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ଧୋନୀ, ଅବସର ସମ୍ପର୍କରେ ଭାବି ନାହିଁ

ଅବସର ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ଧୋନୀ। ଏବେ ଖେଳୁଛି । ଅବସର ସମ୍ପର୍କରେ ଭାବି ନାହିଁ। ଏବର୍ଷ ଖେଳି ସାରିବା ପରେ ଅବସର ସମ୍ପର୍କରେ ଚିନ୍ତା କରିବି ବୋଲି ଧୋନୀ ଏକ ପଡକାଷ୍ଟରେ କହିଛନ୍ତି। ତେବେ ମୁଁ ନୁହେଁ, ମୋ ଶରୀର ଅବସର ସମ୍ପର୍କରେ ନିଷ୍ପତ୍ତି ନେବ ବୋଲି ଧୋନୀ କହିଛନ୍ତି। ସେହିପରି ପଡକାଷ୍ଟରେ ଧୋନୀ କହିଛନ୍ତି ଏବେ ମୋତେ ୪୩ ବର୍ଷ ହୋଇଛି। ଚଳିତ ସିଜିନ ସରିବା ବେଳକୁ ୪୪ ବର୍ଷ ହୋଇଥିବ। ତେଣୁ ଏବେ ନୁହେଁ ଆଉ ୧୦ ମାସ ପରେ ଅବସର କଥା ଚିନ୍ତା କରିବି ବୋଲି ଧୋନୀ କହିଛନ୍ତି।
ଚଳିତ ଆଇପିଏଲ ସିଜିନରେ ଚେନ୍ନାଇ ସୁପରକିଙ୍ଗସର ପ୍ରଦର୍ଶନ ଖରାପ ରହିଛି। ଏବେ ସୁଦ୍ଧା ୪ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ମ୍ୟାଚରେ ସିଏସକେ ଜିତିଛି। ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ଫର୍ମରେ ନଥିବାରୁ ତାଙ୍କ ଅବସର ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ଆଇପିଏଲର ଦିଲ୍ଲୀ- ସିଏସକେ ମ୍ୟାଚ ଦେଖିବାକୁ ଧୋନୀଙ୍କ ବାପା,ମା, ତାଙ୍କ ସ୍ତ୍ରୀ ଓ ଝିଅ ଷ୍ଟାଡିୟମରେ ବସିଥିବାର ଦେଖିବାକୁ ମିଳିଥିଲା। ପ୍ରଥମଥର ଧୋନୀଙ୍କ ବାପା, ମାଆ ଖେଳ ଦେଖିବାକୁ ଆସିଥିବାରୁ ଏହା ଧୋନୀଙ୍କ ଶେଷ ମ୍ୟାଚ ବୋଲି ଚର୍ଚ୍ଚା ହୋଇଥିଲା। ସେପଟେ ଚେନ୍ନାଇ ସୁପର କିଙ୍ଗସର କୋଚ ଷ୍ଟିଫେନ ଫ୍ଲେମିଂ ମଧ୍ୟ ଧୋନୀଙ୍କ ଅବସର ନେଇ କୌଣସି ଆଲୋଚନା ହୋଇନଥିବା କହିଛନ୍ତି।