ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ କ୍ରିକେଟର ଗିରଫ, ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା ବନ୍ଧୁ

ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ କ୍ରିକେଟର ଶିବାଲିକ ଶର୍ମାଙ୍କୁ ଗିରଫ କରିଛି ପୋଲିସ । ଆଇପିଏଲ ଖେଳିଥିବା ପୂର୍ବତନ କ୍ରିକେଟର ଉପରେ ମହିଳା ବନ୍ଧୁଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଲାଗିଛି । ଯୁବତୀ ଜଣକ ତାଙ୍କ ସହିତ ନିର୍ବନ୍ଧ କରିଥିବା ମଧ୍ୟ ଖବର ମିଳିଛି । ରାଜସ୍ଥାନର ଯୋଧପୁର କୁଣ୍ଡି ଭଗତାସନୀ ହାଇସିଂ ବୋର୍ଡ ପୋଲିସ ଗିରଫ କରିଛି ।
ଅଭିଯୋଗ କରିଥିବା ଯୁବତୀ ଏବଂ କ୍ରିକେଟରଙ୍କ ମଧ୍ୟରେ ବନ୍ଧୁତା ଇନଷ୍ଟାଗ୍ରାମରୁ ହୋଇଥିଲା । ଏହା ପରେ ଦୁହିଁ ମଧ୍ୟରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଶିବାଲିକ ଅନେକ ଥର ଯୁବତୀଙ୍କ ସହିତ ଦେଖା କରିବା ପାଇଁ ଯୋଧପୁର ମଧ୍ୟ ଯାଇଛନ୍ତି । ଶିବାଲିକ ଯୁବତୀଙ୍କୁ ବିବାହ କରିବା ପାଇଁ କଥା ଦେଇ ଶାରୀରିକ ସଂପର୍କ ମଧ୍ୟ ରଖିଛନ୍ତି । ଦୁହିଁଙ୍କର ନିର୍ବନ୍ଧ ମଧ୍ୟ ହୋଇଛି ।
ପୀଡିତାଙ୍କ କହିବାନୁଯାୟୀ, ଦୁହେଁ ପରସ୍ପର ସହିତ ୧ ବର୍ଷ ରହିବା ପରେ ଶିବାଲିକଙ୍କ ପରିବାର ଲୋକ ବିବାହ କରିବାକୁ ମନା କରିଦେଇଥିଲେ । ଏହାପରେ ଯୁବତୀ ଜଣକ ଶିବାଲିକ ଏବଂ ତାଙ୍କ ପରିବାର ବିରୋଧରେ କୁଡି ଥାନାରେ ଏତଲା ଦେଇଥିଲେ । ଯୁବତୀଙ୍କ ଏଭଳି ଅଭିଯୋଗ କରେ ଶିବାଲିକଙ୍କୁ ବଦୋଦରାର ଅଟଲାଦରା ଥାନା ଅଞ୍ଚଳରୁ ଗିରଫ କରାଯାଇଛି । ତାଙ୍କୁ ଯୋଧପୁର କୋର୍ଟରେ ହାଜର କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି ।
ଶିବାଲିକ ଶର୍ମା ୨୦୨୪ରେ ଆଇପିଏଲରେ ଖେଳୁଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା । କିନ୍ତୁ ସେ କୌଣସି ଗୋଟିଏ ମ୍ୟାଚ ମଧ୍ୟ ଖେଳିନାହାନ୍ତି । ଚଳିତବର୍ଷ କୌଣସି ଟିମ୍ ଶିବାଲିକଙ୍କୁ କିଣିନାହିଁ ।
ଘରୋଇ ଟୁର୍ଣ୍ଣାମେଣ୍ଟରେ ବଦୋଦରା କ୍ରିକେଟ ଟିମ ପାଇଁ ଖେଳୁଥିବା ଶିବାଲିକ ୧୮ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୧୦୮୭ ରନ କରିଛନ୍ତି । ଏହାରି ମଧ୍ୟରେ ୩ଟି ଶତକ ଏବଂ ୫ଟି ଅର୍ଦ୍ଧଶତକ ମାରିଛନ୍ତି । ଲିଷ୍ଟ ଏ ୧୩ଟି ମ୍ୟାଚରେ ୩୨୨ ରନ୍ କରିଛନ୍ତି । ସେ ୧୯ଟି ଟି୨୦ ମ୍ୟାଚ ଖେଳି ୩୪୯ ରନ୍ କରିଛନ୍ତି । ଚଳିତବର୍ଷ ଜାନୁଆରୀରେ ରଣଜୀ ମ୍ୟାଚ ମଧ୍ୟ ଖେଳିଥିଲେ ।
Also Read : ମହମ୍ମଦ ଶାମିଙ୍କୁ ହତ୍ୟା ଧମକ, ଥାନାରେ ମାମଲା ରୁଜୁ କଲେ କ୍ରିକେଟର