୨୭ ବର୍ଷ ପରେ ମୁମ୍ବାଇ ଜିତିଲା ଇରାନୀ କପ୍‌, ସରଫରାଜଙ୍କ ଦମଦାର ଅପରାଜିତ ଦ୍ୱିଶତକ

ଇରାନୀ କପ ବିଜେତା ହୋଇଛି ମୁମ୍ବାଇ । ମୁମ୍ବାଇ ଟିମ୍‌ ରେଷ୍ଟ ଅଫ ଇଣ୍ଡିଆକୁ ହରାଇ ୨୭ ବର୍ଷ ପରେ ଇରାନୀ କପ ବିଜେତା ହୋଇଛି । ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଟିମ୍‌ ଇରାନୀ କପ୍‌ ୨୦୨୪ ଜିତିଛି ।

ପ୍ରଥମ ଇନିଂସରେ ମୁମ୍ବାଇ ସରଫରାଜ ଖାନଙ୍କ ଦମଦାର ଅପରାଜିତ ୨୨୨ ରନ ବଳରେ ବିଶାଳ ୫୩୭ ରନ କରିଥିଲା । ଅଜିଙ୍କ୍ୟ ରାହାଣେ ୯୭ ରନ, ଶ୍ରେୟସ ଆୟର ୬୪ ରନ, ତନୁଷ କୋଟିୟାନ ୬୪ ରନ୍‌ କରିଥିଲେ । ଏହାର ଜବାବରେ ରେଷ୍ଟ ଅଫ ଇଣ୍ଡିଆ ଟିମ୍‌ ୪୧୬ ରନରେ ଅଲଆଉଟ ହୋଇଥିଲା । ଧ୍ରୁବ ଜୁରେଲ ମଧ୍ୟ ୯୩ ରନର ଇନିଂସ ଖେଳିଥିଲେ।

ଫଳରେ ମୁମ୍ବାଇକୁ ୧୨୧ ରନର ଗୁରୁତ୍ୱପୂର୍ଣ୍ଣ ଲିଡ ମିଳିଥିଲା । ଦ୍ୱିତୀୟ ଇନିଂସର ପୃଥ୍ୱୀ ଶ’ଙ୍କ ୭୬ ଓ ତନୁଶ କୋଟିୟାନଙ୍କ ଅପରାଜିତ ୧୧୪ ରନ ବଳରେ ମୁମ୍ବାଇ ଶେଷ ଦିନର ଚା’ ବିରତି ଯାଏ ବ୍ୟାଟିଂ କରିଥିଲା । ଦଳର ସ୍କୋର ୩୨୯/୮ ଥିବା ବେଳେ ରାହାଣେ ପାଳି ଘୋଷଣା କରିଥିଲେ । ପ୍ରଥମ ଇନିଂସ ଲିଡ ଆଧାରରେ ମୁମ୍ବାଇ ଇରାନୀ ଟ୍ରଫି ଚାମ୍ପିୟନ ହୋଇଥିଲା ।

ମୁମ୍ବାଇ ଏଥରକୁ ମିଶାଇ ୧୫ଥର ପାଇଁ ଇରାନୀ କପ ଜିତିଛି । କିନ୍ତୁ ୨୭ ବର୍ଷ ପରେ ଦଳ ଇରାନୀ କପ୍‌ ଜିତିଛି । ଦଳ ଶେଷ ଥର ପାଇଁ ୧୯୯୭/୯୮ରେ ଇରାନୀ କପ ଜିତିଥିଲା । ଚଳିତ ବର୍ଷ ରଣଜୀ ଟ୍ରଫି ଜିତିବା ପରେ ମୁମ୍ବାଇ ଇରାନୀ କପ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like