ଟି୨୦ ବିଶ୍ୱକପ : ଓମାନକୁ ସୁପର ଓଭରରେ ହରାଇଲା ନାମ୍ବିଆ, କଲା ସୁପର ଓଭରରେ ବଡ ସ୍କୋର
ଟି୨୦ ବିଶ୍ୱକପ ଆରମ୍ଭ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ତୃତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଓମାନ ଏବଂ ନାମ୍ବିଆ । ଏହି ମ୍ୟାଚକୁ ନାମ୍ବିଆ ସୁପର ଓଭରରେ ଜିତିଥିଲା । ନାମ୍ବିଆ ସୁପର ଓଭରରେ ସବୁଠାରୁ ବଡ ସ୍କୋର କରିଥିଲା, ଯାହା କେବେ ବି ୱେଷ୍ଟଇଣ୍ଡିଜ କିମ୍ବା ନ୍ୟୁଜିଲାଣ୍ଡ କରିପାରିନାହିଁ ।
ନାମ୍ବିଆ ଅଧିନାୟକ ଡାଭିଡ ୱିଜିଙ୍କ ଦମଦାର ପ୍ରଦର୍ଶନ ବଳରେ ମ୍ୟାଚ ଉପରେ କବଜା କରିଛି । ସୁପର ଓଭରରେ ପରାଜୟ ସାମନା କରିଛି ଓମାନ୍ । ଓମାନ ତରଫରୁ ମେହରାନ୍ ଖାନଙ୍କ ଦମଦାର ଓଭର(୨୦) ପାଇଁ ଏହି ମ୍ୟାଚ ସୁପର ଓଭରରେ ପହଞ୍ଚିଥିଲା ।
ପ୍ରଥମେ ବ୍ୟାଟିଂ କରି ଓମାନ୍ ୧୦୯ ରନର ଲକ୍ଷ୍ୟ ଦେଇଥିବା ବେଳେ ଜବାବରେ ନାମ୍ବିଆ ମଧ୍ୟ ଏହି ମ୍ୟାଚରେ ୧୦୯ ରନ୍ କରିଥିଲା । ଫଳରେ ମ୍ୟାଚର ରେଜଲ୍ଟ ପାଇଁ ସୁପର ଓଭର ଖେଳାଯାଇଛି । ଏହି ସୁପର ଓଭରରେ ବାଜି ମାରିଛି ନାମ୍ବିଆ । ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରିଥିବା ନାମ୍ବିଆ ତରଫରୁ ଡାଭିଡ ୱିଜି ଏବଂ ଅଧିନାୟକ ଗେରହାର୍ଡ ଇରାସ୍ମସ ଓପନିଙ୍ଗ କରି ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ବିଲାଲ ଖାନଙ୍କ ସୁପର ଓଭରର ପ୍ରଥମ ଦୁଇଟି ବଲରେ ୱିଜି ଗୋଟିଏ ଚୌକା ଏବଂ ଛକା ସହ ୧୦ ରନ୍ କରିଥିବା ବେଳେ ଶେଷ ଦୁଇଟି ବଲରେ ଅଧିନାୟକ ଗେରହାର୍ଡ ଇରାସ୍ମସ ୨ଟି ଚୌକା ସହ ଦଳର ସ୍କୋର ୨୧ ରନରେ ପହଞ୍ଚାଇଥିଲେ ।
ଓମାନ ପାଇଁ ସୁପର ଓଭରରେ ୨୨ ରନର ଲକ୍ଷ୍ୟ ରହିଥିଲା । ନାମ୍ବିଆ ତରଫରୁ ଡାଭିଡ ୱିଜି ବୋଲିଂ କରିଥିଲେ । ନସୀମ ଖୁସି ଏବଂ ଜିଶାନ୍ ମକସୁଦ ଓମାନ ପାଇଁ ଓପନିଙ୍ଗ କରିଥିଲେ । ପ୍ରଥମ ବଲରେ ବଡ଼ ଶଟ୍ ଖେଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ମାତ୍ର ୨ ରନ୍ ହିଁ ମିଳିଥିଲା । ଏହାପରେ ତୃତୀୟ ବଲରେ ଖୁସିଙ୍କ ୱିକେଟ ଯାଇଥିଲା । ପରେ ଅଧିନାୟକ ଆକିବ ମଇଦାନକୁ ଆସିଥିଲେ ମଧ୍ୟ ଶେଷ ବଲରେ ୧୮ ରନ୍ ଆବଶ୍ୟକ ରହିଥିବା ବେଳେ ଆକିବ ଛକା ମାରିଥିଲେ । ଏହାସତ୍ତ୍ୱେ ମଧ୍ୟ ଓମାନ ପରାଜୟ ପାଇଥିଲା ।
ଟି୨୦ ବିଶ୍ୱକପରେ ମାତ୍ର ୩ ଥର ସୁପର ଓଭର ଖେଳାଯାଇଛି । କିନ୍ତୁ ଏତେ ବଡ ସ୍କୋର କେହି କରିନାହାନ୍ତି । ପ୍ରଥମ ସୁପର ଓଭର ୨୦୧୨ରେ ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୧୩ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ମାତ୍ର ୭ ରନ୍ କରିପାରିଥିଲା ।
ସେହିପରି ଦ୍ୱିତୀୟ ସୁପର ଓଭର ୨୦୧୨ରେ ହୋଇଥିଲା । ନ୍ୟୁଜିଲାଣ୍ଡ ଏବଂ େଓ୍ଵଷ୍ଟଇଣ୍ଡିଜ ଟିମ୍ ମଧ୍ୟରେ ହୋଇଥିଲା । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୧୯ ରନ୍ କରିଥିଲା, ନ୍ୟୁଜିଲାଣ୍ଡ ଟିବ୍ ୧୭ ରନ୍ କରିଥିଲା ।