୧୮ ରୁ ୨୧ ମାର୍ଚ୍ଚ କଳିଙ୍ଗ ଷ୍ଟାଡିୟମରେ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍, ଓଡ଼ିଶାରୁ ଅଂଶଗ୍ରହଣ କରିବେ ୪୦ ଦଳ

ଭୁବନେଶ୍ୱର : ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୧୮ ରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ହେବ ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୬ ।  ଭାରତୀୟ ପାରାଅଲିମ୍ପିକ୍ କମିଟି, ଓଡ଼ିଶା ସରକାର ଓ ପାରା ସ୍ପୋର୍ଟ୍ସ ଆସୋସିଏସନ୍‌ଙ୍କ ମିଳିତ ପ୍ରୟାସରେ ଏହି ଆୟୋଜନ କରାଯାଉଛି ।  ୧୮ ମାର୍ଚ୍ଚ ଅପରାହ୍ନ ୪ଟାରେ ହେବ ଉଦଘାଟନୀ ଉତ୍ସବ ।  କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନସିପ୍‌ର ଶୁଭାରମ୍ଭ କରିବେ।

ଦେଶର ୨୮ଟି ରାଜ୍ୟରୁ ପ୍ରାୟ ୧୪୦୦ ରୁ ଅଧିକ ପାରା ଖେଳାଳି ୧୪୫ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ ।  ପ୍ରତିଯୋଗିତା ୧୯ ରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ସକାଳ ୯ଟା ରୁ ୧୧ଟା ଏବଂ ସନ୍ଧ୍ୟା ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୁଇଟି ସେସନରେ ହେବ ।  ଓଡ଼ିଶାରୁ ୪୦ ଜଣ ଦଳ ଅଂଶଗ୍ରହଣ କରୁଥିବାବେଳେ, ଦଳର ନେତୃତ୍ୱ ନେଉଛନ୍ତି ଜାତୀୟ ରେକର୍ଡ ଧାରୀ ସୁଚିତ୍ରା ପରିଡା ।

ଚାମ୍ପିଅନସିପ୍‌ରେ ଅନେକ ଖ୍ୟାତନାମା ପାରାଲିମ୍ପିଆନ୍‌ ଅଂଶଗ୍ରହଣ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।  ଏହି ଅବସରରେ କ୍ରୀଡା ବିଭାଗର ଅତିରିକ୍ତ ସଚିବ ବି.କେ. ସ୍ୱାଇଁ, ପାରା ସ୍ପୋର୍ଟ୍ସ ଆସୋସିଏସନ୍‌ର ସଭାପତି କମଳାକାନ୍ତ ରଥ, ପାରାଲିମ୍ପିଆନ୍‌ ମାର୍କଣ୍ଡା ରେଡ୍ଡୀ ଓ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।  ଏହି ଚାମ୍ପିଅନସିପ୍‌ ପାରା କ୍ରୀଡା ପ୍ରତି ସଚେତନତା ବଢ଼ାଇବା ସହ ଅଧିକ ଲୋକଙ୍କୁ କ୍ରୀଡା ଦିଗରେ ପ୍ରେରିତ କରିବ ବୋଲି ଆଶା କରାଯାଉଛି।