ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ଜିତିବା ପରେ ବଡ ନିଷ୍ପତ୍ତି ନେଲେ ନୀରଜ ଚୋପ୍ରା, ଚାଲିଗଲେ ଜର୍ମାନୀ

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ସମାପ୍ତ ହେବା ପରେ ବଡ ନିଷ୍ପତ୍ତି ନେଇଛନ୍ତି ନୀରଜ ଚୋପ୍ରା । ସେ ଭାରତ ଫେରିବା ପରିବର୍ତ୍ତେ ଜର୍ମାନୀ ଚାଲିଯାଇଛନ୍ତି । ଅଲିମ୍ପିକ୍ସ ଉଦ୍‌ଯାପନୀ ସମାରୋହ ସମାପ୍ତ ହୋଇଥିବା ପରେ ବି ଭାରତର ଡବଲ ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଘର ବାହୁଡ଼ା ବିଳମ୍ବ ହୋଇଛି । ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିବା ନୀରଜ ସେଠାରୁ ଭାରତ ଆସିବା ପରିବର୍ତ୍ତେ ଜର୍ମାନୀ ଚାଲି ଯାଇଛନ୍ତି । ଦୀର୍ଘଦିନ ଧରି ଜଙ୍ଘରେ ଆହତ ଜନିତ ସମସ୍ୟା ଦେଇ ଗତି କରୁଥିବା ନୀରଜ ଜର୍ମାନୀରେ ଡାକ୍ତରଙ୍କ ପରାମର୍ଶ ଯାଇଛନ୍ତି । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିବାରେ ଅସଫଳ ହୋଇଗଲେ । ଫାଇନାଲରେ ପାକିସ୍ତାନର ଅର୍ଶଦ ନଦିମ ୯୨.୯୭ ମିଟର ଜାଭେଲିନ ଥ୍ରୋ କରି ସ୍ୱର୍ଣ୍ଣ ପଦକ ହାତେଇଥିଲେ ।

ଖବର ମୁତାବକ, ଜର୍ମାନୀରେ ନୀରଜ ପ୍ରାୟ ଏକମାସ ଧରି ରହିବେ । ଜଙ୍ଘରେ ଆହତ ସମସ୍ୟା କେତେ ଗୁରୁତର ତା’ର ଯାଞ୍ଚ କରିବେ । ଡାକ୍ତରଙ୍କ ପରାମର୍ଶ କରିବା ପରେ ସେ ଡାଇମଣ୍ଡ ଲିଗ ସମେତ ଅନ୍ୟ ଇଭେଣ୍ଟରେ ଭାଗ ନେବେ କି ନାହିଁ, ସେକଥା ଘୋଷଣା କରିବେ । ଏହି ଇଭେଣ୍ଟ ପୂର୍ବରୁ ନୀରଜ ଜଙ୍ଘର ଭିତରି ଭାଗ ମାଂସପେଶୀରେ ସମସ୍ୟା ଥିବା ଅନୁଭୂତ କରୁଥିଲେ ।

ନୀରଜ ଚୋପ୍ରାଙ୍କ ଦାଦା ଭୀମ ଚୋପ୍ରା କହିଛନ୍ତି, ନୀରଜ ପ୍ୟାରିସରୁ ଜର୍ମାନୀ ଯାଇଛନ୍ତି । ସେଠାରେ ସେ ସର୍ଜରୀ ହେବ କି ନାହିଁ ସେନେଇ ଡାକ୍ତରଙ୍କ ସହ ଆଲୋଚନା କରିବେ । ତାଙ୍କ ଆହତ ସମସ୍ୟାର ସର୍ଜରୀ ୧୨ ମାସ ହେଲା ବିଳମ୍ବିତ ହୋଇ ଚାଲିଛି । ସେ ଡାକ୍ତରଙ୍କ ସହ ବିସ୍ତୃତ ଭାବେ ସର୍ଜରୀ ସମ୍ପର୍କରେ ଆଲୋଚନା କରିବେ । ସେଠାରେ ସେ ଗୋଟିଏ ମାସରୁ ଅଧିକ ଦିନ ରହିବେ ବୋଲି ଜଣାପଡିଛି ।

ତେବେ ଫାଇନାଲ ପରେ ନୀରଜ ନିଜର ଆହତ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ । ଅଲିମ୍ପିକ୍ସ ପୂର୍ବରୁ ସେ ଜର୍ମାନୀରେ ମଧ୍ୟ ଅଭ୍ୟାସ କରୁଥିଲେ।

ନୀରଜ ପ୍ୟାରିସ ଅଲିମ୍ପିକ୍ସରେ ୮୯.୪୫ ମିଟର ଥ୍ରୋ କରି ରୌପ୍ୟ ଜିତିଛନ୍ତି । ନୀରଜ ତାଙ୍କ ପ୍ରଥମ ପ୍ରୟାସରେ ଫାଉଲ ମାରି ନିରାଶରୁ ଅଭିଯାନ ଆରମ୍ଭ କରିଥିଲେ ।  ଦ୍ବିତୀୟ ପ୍ରୟାସରେ କିନ୍ତୁ ୮୯.୪୫ ମିଟରକୁ ଜାଭଲିନ୍ ଫିଙ୍ଗି ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଥିଲେ । ସେହିପରି ୯୨.୯୭ ମିଟର ଜାଭେଲିନ ଥ୍ରୋ କରି ସ୍ୱର୍ଣ୍ଣ ଜିତିଛନ୍ତି ପାକିସ୍ତାନର ନଦିମ । ପାକିସ୍ତାନର ଅର୍ଶଦ ନଦୀମ ଅଲିମ୍ପିକ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ । ସେ ୯୨.୯୭ ମିଟର ଫିଙ୍ଗିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.