ନୀତାଙ୍କ ଆଖିରୁ ଝରିଲା ଲୁହ, ଅନନ୍ତ-ରାଧିକାଙ୍କ ସଙ୍ଗୀତ ସମାରୋହରେ ହେଲା ଭାରତୀୟ ଟିମର ବିଜୟ ଉତ୍ସବ

ଅନନ୍ତ- ରାଧିକାଙ୍କ ବିବାହକୁ ନେଇ ଜୋର ଧରିଛି ଚର୍ଚ୍ଚା । ଦୁହିଁଙ୍କ ବିବାହ ଉତ୍ସବରେ ବଲିଉଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଭାରତୀୟ କ୍ରିକେଟ ଟିମ୍ ର ସମସ୍ତ ସଦସ୍ୟ ସାମିଲ ହୋଇଛନ୍ତି । ଗତ ଶୁକ୍ରବାର ଦିନ ଏହି ଯୋଡ଼ିଙ୍କ ସଙ୍ଗୀତ ସମାରୋହ ହୋଇଥିଲା । ଯେଉଁଥିରେ ବଲିଉଡ ସେଲିବ୍ରିଟିଙ୍କ ସହ ଭାରତୀୟ କ୍ରିକେଟ ଟିମର ସମସ୍ତ ସଦ୍ୟସଙ୍କୁ ଦେଖିବାକୁ ମିଳିଥିଲା । ଟି-୨୦ ଓ୍ଵାର୍ଲ୍ଡ କପ୍ ଜିତିବା ପରେ ଭାରତୀୟ ଦଳକୁ ଶୁଭେଚ୍ଛାର ସୁଅ ଛୁଟୁଛି । ବିଜୟର ଖୁସି ସାରା ଦେଶରେ ଦେଖିବାକୁ ମିଳିଛି । ଏହାରି ଭିତରେ ଅନନ୍ତଙ୍କ ସଙ୍ଗୀତ ସମାରୋହରେ ମଧ୍ୟ ଭାରତୀୟ କ୍ରିକେଟ ଟିମ୍ ର ସଦସ୍ୟଙ୍କୁ ଭିନ୍ନ ଢଙ୍ଗରେ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଛି । ଭାରତୀୟ ଦଳର ସମସ୍ତ ସଦସ୍ୟଙ୍କୁ ନୀତା ଅମ୍ବାନୀ ଶୁଭେଚ୍ଛା ଜଣାଇଛନ୍ତି । ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ସଙ୍ଗୀତ ସମାରୋହରେ ବିଶ୍ୱକପ୍ ବିଜୟ ଉତ୍ସବ ଧୁମଧାମରେ ପାଳନ କରାଯାଇଛି ।
ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ନୀତା ଭାରତୀୟ କ୍ରିକେଟ ଟିମର ସଦସ୍ୟଙ୍କୁ ଭିନ୍ନ ଢ଼ଙ୍ଗରେ ପାଛୋଟି ଥିଲେ । ପ୍ରଥମେ ଭଗବାନଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଷ୍ଟେଜରେ ଭାରତୀୟ କ୍ରିକେଟ୍ ଟିମ୍ ର ସଦସ୍ୟଙ୍କୁ ଅଦ୍ଭୁତ ପୂର୍ବେ ଭାବେ ଶୁଭେଚ୍ଚା ଜଣାଇଥିଲେ ନୀତା ।
ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବ ଅନନ୍ତ-ରାଧିକାଙ୍କ ସଙ୍ଗୀତ ସମାରୋହରେ ଯୋଗ ଦେଇଥିଲେ। ଏହି ସମୟରେ ତିନିଜଣଙ୍କୁ ଭିନ୍ନ ଢଙ୍ଗରେ ସ୍ୱାଗତ କରାଯାଇଥିଲା । ନୀତା ଅମ୍ବାନୀ ତିନିଜଣଙ୍କୁ ମଞ୍ଚ ଉପରକୁ ଡାକି ସମସ୍ତଙ୍କର ପ୍ରଶଂସା କରିଥିଲେ । ଏହି ସମୟରେ ଅତିଥିଙ୍କ କରତାଳିରେ କମ୍ପି ଉଠିଥିଲା ମଞ୍ଚ ।
ନୀତା ଅମ୍ବାନୀ ପ୍ରଥମେ ରୋହିତ ଶର୍ମାଙ୍କୁ ମଞ୍ଚ ଉପରକୁ ଡାକିଥିଲେ। ରୋହିତ ମଞ୍ଚରେ ପହଞ୍ଚିବା ପରେ ସମସ୍ତ ଅତିଥି ଠିଆ ହୋଇ ଜୋରରେ ତାଳି ମାରିଥିଲେ। ଏହି ସମୟରେ ନୀତା ଭାବ ବିହ୍ଵଳ ହୋଇଥିଲେ ଏବଂ ତାଙ୍କ ଆଖିରୁ ଲୁହ ଆସି ଯାଇଥିଲା । ସେ ରୋହିତଙ୍କୁ ଆଲିଙ୍ଗନ କରିବା ସହ ତାଙ୍କର ପ୍ରଶଂସା କରିଥିଲେ।
ଏହା ପରେ ନୀତା ଅମ୍ବାନୀ ସୂର୍ଯ୍ୟକୁମାର ଯାଦବଙ୍କୁ ମଞ୍ଚ ଉପରକୁ ଡାକିଥିଲେ। ଶେଷ ଓଭରରେ ସୁର୍ଯ୍ୟକୁମାର ଯାଦବଙ୍କ ଦ୍ୱାରା ନିଆଯାଇଥିବା ଚମତ୍କାର କ୍ୟାଚକୁ ନୀତା ପ୍ରଶଂସା କରିଥିଲେ। ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଞ୍ଚ ଉପରକୁ ଡକାଯାଇଥିଲା । ନୀତା ହାର୍ଦିକଙ୍କୁ ବହୁତ ପ୍ରଶଂସା କରିଥିଲେ । ଏହି ଭାବପ୍ରବଣ ମୂହୁର୍ତ୍ତରେ ନୀତାଙ୍କ ସହ ଅନ୍ୟମାନେ ମଧ୍ୟ ଭାରତୀୟ ଟିମକୁ ପ୍ରଶଂସା କରିଥିଲେ । ମୁକେଶ ଅମ୍ବାନୀ ମଧ୍ୟ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ । ନୀତା ସମସ୍ତଙ୍କୁ ଆଲିଙ୍ଗନ କରି ଆଖିରୁ ଲୁହ ଝରାଇବା ପରେ ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।