ଓଡ଼ିଶା ହକି ବିଶ୍ୱ କପ୍ ଫାଇନାଲ୍ରେ ନେଦରଲାଣ୍ଡସ୍-ବେଲଜିୟମ୍ ମୁକାବିଲା

ଭୁବନେଶ୍ୱର (କେ ନ୍ୟୁଜ୍) : ସଂଘର୍ଷର ଶେଷ ସୀମାରେ ପହଞ୍ଚିଥିଲା ଓଡ଼ିଶା ହକି ବିଶ୍ୱ କପ୍ର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ । ନିର୍ଦ୍ଧାରିତ ସମୟ ଭିତରେ ୨-୨ । ପୁଣି ପେନାଲଟି ସୁଟ୍ ଆଉଟ୍ରେ ୩-୩ ଗୋଲ୍ କରି ସମାନ ସ୍ଥିତିରେ ରହିଥିଲେ । ତେଣୁ ବିଜେତା ନିର୍ଣ୍ଣୟ ପାଇଁ ସଡନ୍ ଡେଥ୍ ହେଲା । ଏଥିରେ ନେଦରଲାଣ୍ଡସ୍ ଗୋଲ୍ କରିଥିବା ବେଳେ ଆଷ୍ଟ୍ରେଲିଆ ସଟ୍କୁ ରୋକି ନେଲେ ଗୋଲ୍ କିପର । ଆଉ ୪-୩ରେ ଜିତି ଫାଇନାଲ୍ରେ ପହଞ୍ଚିଲା ଡଚ୍ ଦଳ । ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ତିନି ଥର ଚାମ୍ପିଅନ୍ ନେଦରଲାଣ୍ଡସ ଓ ବେଲଜିୟମ୍ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ ।
ଦୁଇ ସମକକ୍ଷ ଦଳ
ଆରମ୍ଭରୁ ପୂରା ଦମ୍ରେ ଆକ୍ରମଣ କରିଥିଲା ନେଦରଲାଣ୍ଡସ୍ । ଗ୍ଲେନ୍ ସ୍କୁରମ୍ୟାନ୍ ମ୍ୟାଚ୍ର ନବମ ମିନିଟ୍ରେ ଆରମ୍ଭ କରିଥିଲେ ଦଳର ଗୋଲ୍ ଅଭିଯାନ । ପୁଣି ୨୦ ମିନିଟ୍ରେ ସ୍ୱେ ଭାନ୍ ଆସ୍ ଏହାକୁ ୨-୦ରେ ପରିଣତ କରିଥିଲେ । ବିରତି ପର୍ଯ୍ୟନ୍ତ ଏହି ସ୍ଥିତି ବଜାୟ ରହିଥିଲା । ତେବେ ୪୫ ମିନିଟ୍ରେ ଅଷ୍ଟ୍ରେଲିଆ ଦଳ ପାଇଥିବା ଏକ ପେନାଲଟି କର୍ଣ୍ଣରକୁ ଟିମ୍ ହାଓ୍ଵାର୍ଡ଼ ଗୋଲ୍ରେ ବଦଳାଇ ବ୍ୟବଧାନ କମାଇଥିଲା । ଏହା ପରେ ଜୋରସୋରରେ ଗୋଲ୍ ପରିଶୋଧ କରିବାକୁ ପ୍ରୟାସ କରିଥିଲା କଙ୍ଗାରୁ ଦଳ । ଘନ ଘନ ଆକ୍ରମଣ କରିଥିଲା ନେଦରଲାଣ୍ଡସ ଗୋଲ୍ପୋଷ୍ଟ ଉପରେ । ୫୨ତମ ମିନିଟ୍ରେ ଏକ ସୁଯୋଗ ମଧ୍ୟ ପାଇଥିଲା । ହେଲେ ନେଦରଲାଣ୍ଡସ ଖେଳାଳି ଏହାକୁ ବିଫଳ କରି ଦେଇଥିଲେ । ଗୋଟିଏ ମିନିଟ୍ ପରେ ପୁଣି ଗୋଲ୍ କିପର ସୁନ୍ଦର ଭାବେ ଅଟକାଇ ଦେବା ଯୋଗୁଁ ନେଦରଲାଣ୍ଡସ ଆଉ ଏକ ଗୋଲ୍ ଖାଇବାରୁ ବର୍ତ୍ତି ଯାଇଥିଲା । ପୁଣି ୫୭ ମିନିଟ୍ରେ ଏକ ପେନାଲଟି କର୍ଣ୍ଣର ପାଇ ସୁଦ୍ଧା ଅଷ୍ଟ୍ରେଲିଆ ଗୋଲ୍ କରି ପାରି ନଥିଲା । ତେବେ ଠିକ୍ ଶେଷ କ୍ଷଣରେ ଖେଳ ସରିବାକୁ ଆଉ ମାତ୍ର ୨୭ ସେକେଣ୍ଡ ବାକି ଥିବା ବେଳେ ଅଷ୍ଟ୍ରେଲିଆ ପକ୍ଷରୁ ଓକେଣ୍ଡେନ୍ ଇଡି ଗୋଲ୍ ଦେଇଦେକଲେ ।
ନିର୍ଦ୍ଧାରିତ ସମୟ ଭିତରେ ମ୍ୟାଚ୍ ୨-୨ ଗୋଲ୍ରେ ଅମୀମାଂସିତ ରହିବାରୁ ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲଟି ସୁଟ୍ ଆଉଟ୍ କରାଯାଇଥିଲା । ପ୍ରଥମ ସଟ୍ରେ ବିଫଳ ହୋଇ ପଛୁଆ ରହିବା ପରେ ପ୍ରତ୍ୟାବର୍ତ୍ତନ କରି ୩-୩ରେ ସମାନ ସ୍ଥିତିକୁ ଆସିଥଲା ନେଦରଲାଣ୍ଡସ ଦଳ । ଏଥିରେ ବି ମୀମାଂସା ନହେବାରୁ ଶେଷରେ ସଡନ୍ ଡେଥ୍ ହୋଇଥିଲା । ସଡନ୍ ଡେଥ୍ରେ ନେଦରଲାଣ୍ଡସ ଉଭୟ ସଟ୍ ମାରିବାରେ ଓ ସଟ୍ ରୋକିବାରେ ସଫଳ ହୋଇ ଫାଇନାଲ୍ରେ ପହଞ୍ଚିଥିଲା ।

ଟୁର୍ଣ୍ଣାମେଣ୍ଟର ସବୁଠୁ ସଂଘର୍ଷପୂର୍ଣ୍ଣ ମ୍ୟାଚ୍
ବେଲଜିୟମ-ଇଂଲଣ୍ଡ ଏକତରଫା ମ୍ୟାଚ୍ ପରେ ଦ୍ୱିତୀୟ ସେମିଫାଇନାଲ୍ ଉତ୍କଣ୍ଠାର ଚରମ ସୀମାରେ ପହଞ୍ଚିଥିଲା । ଚଳିତ ବିଶ୍ୱ କପ୍ର ଏହା ଥିଲା ସବୁଠାରୁ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ । ନିର୍ଦ୍ଧାରିତ ସମୟ ଖେଳ ପରେ ମ୍ୟାଚ୍ କାହା ପକ୍ଷକୁ ଯିବ କହିବା ମୁସ୍କିଲ ଥିଲା । ନେଦରଲାଣ୍ଡସ ସିନା ଫାଇନାଲ୍ରେ ପହଞ୍ଚିଲା ହେଲେ ଆଷ୍ଟ୍ରେଲିଆ ଯେଭଳି ଲଢ଼େଇ କରି ପ୍ରତ୍ୟାବର୍ତ୍ତନ କରିଥିଲା ତାହା ଅତ୍ୟନ୍ତ ପ୍ରଶଂସନୀୟ । ବିଶ୍ୱର ଏକ ନମ୍ବର କଙ୍ଗାରୁ ଦଳ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ କାଲି ତାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡକୁ ଭେଟିବ ।
ନେଦରଲାଣ୍ଡସ ଖେଳାଳି ପିରମିନ୍ ବ୍ଲାକ ଦ୍ୱିତୀୟ ସେମିଫାଇନାଲ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।