ରଉଫଙ୍କ ବିସ୍ଫୋରକ ବଲ୍‌ରେ ଗୁରୁତର ଆହତ ନେଦରଲାଣ୍ଡ ବ୍ୟାଟ୍ସମ୍ୟାନ; ଆଖି ପାଖରୁ ଧାର ଧାର ରକ୍ତ ବୋହିବାରୁ ଛାଡ଼ିଲେ ପଡ଼ିଆ

ପର୍ଥରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ, ନେଦରଲାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ ସମୟରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ପାକିସ୍ତାନୀ ବୋଲର ହାରିସ ରଉଫଙ୍କ ବିସ୍ଫୋରକ ବାଉନ୍ସର ବଲରେ ବାସ୍ ଡି ଲିଡେ ଗୁରୁତର ଆହତ ହୋଇଛନ୍ତି। ନେଦରଲାଣ୍ଡର ଡି ଲିଡେଙ୍କ ଆଖି ପାଖରେ ଜୋର୍‌ରେ ଆଘାତ ଲାଗିବାରୁ ଧାର ଧାର ରକ୍ତ ବୋହିବା ଆରମ୍ଭ କରିଥିଲା, ଯେଉଁ କାରଣରୁ ସେ ରିଟାୟର ହର୍ଟ ହୋଇଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥିରେ ତାଙ୍କ ଆଖି ବହୁତ ଅଧିକ ପ୍ରଭାବିତ ହୋଇ ନାହିଁ। ଆଖି ପାଖରେ ଆଘାତ ଲାଗିଛି।

ନେଦରଲାଣ୍ଡ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ବ୍ୟାଟ୍ସମ୍ୟାନ୍ ବାସ୍‌ ଡି ଲିଡେ ନମ୍ବର ୩ରେ ବ୍ୟାଟିଂ କରିବାକୁ ଆସିଥିଲେ। ଏହି ସମୟରେ ଷଷ୍ଠ ଓଭରର ବଲ୍‌ ହାରିସ ରଉଫ ପକାଉଥିଲେ। ତାଙ୍କ ଓଭରର ପଞ୍ଚମ ବଲ୍ ଶର୍ଟ ଏବଂ ବହୁତ ଦ୍ରୁତ ଥିଲା। ଏହି ବଲ୍ ବ୍ୟାଟକୁ ଛୁଇଁ ଡି ଲିଡେଙ୍କ ଆଖିର ଅତି ନିକଟରେ ବାଜିଥିଲା। ବଲ୍ ବାଜୁ ବାଜୁ ରକ୍ତ ବାହାରିବାକୁ ଲାଗିଥିଲା। ଏହା ଦେଖି ସେଠାରେ ଉପସ୍ଥିତ ସମସ୍ତ ଖେଳାଳି ଡି ଲିଡେଙ୍କ ପାଖରେ ପହଞ୍ଚିଥିଲେ ଏବଂ ଏହାପରେ ତାଙ୍କୁ ପଡ଼ିଆରୁ ବାହାରକୁ ପଠାଯାଇଥିଲା। ସେ ରିଟାୟର ହର୍ଟ ହୋଇ ପାଭେଲିୟନକୁ ଫେରିଥିଲେ।

ମ୍ୟାଚରେ ନେଦରଲାଣ୍ଡକୁ ୬ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ନେଦରଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ବିନିୟମରେ ୯୧ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ ୧୩.୫ ଓଭରରେ ୪ ୱିକେଟ୍ ହରାଇ ମ୍ୟାଚ ଜିତିଥିଲା। ପାକିସ୍ତାନ ପାଇଁ ମହମ୍ମଦ ରିଜୱାନ ୪୯ ରନର ଇନିଂସ ଖେଳିଥିଲେ।