ସେମିକୁ ଗଲେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ,ବାଦ୍‌ ପଡ଼ିଲା ପୂର୍ବ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ

(କେନ୍ୟୁଜ୍‌) : ଅଷ୍ଟ୍ରେଲିଆରେ ଚାଲି ଥିବା ଆଇସିସି ଟି-୨୦ ବିଶ୍ୱକପ୍‌ର ଟାଇଟଲ୍‌ ଦେଦାଡ଼ରୁ ବାଦ୍‌ ପଡ଼ିଛି ଆୟୋଜକ ତଥା ଗତଥର ଚାମ୍ପିଅନ୍‌ ଅଷ୍ଟ୍ରେଲିଆ । ଆଜି ସୁପର ୧୨ର ଗ୍ରୁପ୍‌-୧ ରେ ସବୁ ମ୍ୟାଚ୍‌ ଶେଷ ହୋଇଛି। ଗ୍ରୁପ୍‌-୧ ରୁ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଆଉ ବାଦ ପଡ଼ିଛି ଅଷ୍ଟ୍ରେଲିଆ । ଏହି ଗ୍ରୁପ୍‌ରେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଆୟାରଲାଣ୍ଡ ଏବଂ ଆଫଗାନିସ୍ତାନ ସମେତ ୬ଟି ଟିମ୍‌ ଅଛନ୍ତି ।
ଗତକାଲି ନ୍ୟୁଜିଲାଣ୍ଡ ଟିମ୍‌ ଆୟାରଲାଣ୍ଡକୁ ୩୫ ରନରେ ହରାଇ ସେମିକୁ ପ୍ରବେଶ କରିଥିଲା। ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ ହରାଇ ୧୮୫ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଆୟରଲାଣ୍ଡ ୨୦ ଓଭର ଶେଷ ସୁଦ୍ଧା ୯ଟି ଓ୍ଵିକେଟ ହରାଇ ମାତ୍ର ୧୫୦ ରନ କରିବାରେ ସକ୍ଷମ ହୋଇଥିଲା । ଆଉ ମ୍ୟାଚକୁ ନ୍ୟୁଜିଲାଣ୍ଡ ୩୫ ରନରେ ଜିତି ନେଇଥିଲା । ନ୍ୟୁଜିଲାଣ୍ଡ ସୁପର ୧୨ରେ ମୋଟ ୫ଟି ମ୍ୟାଚ୍‌ରୁ ୩ଟିରେ ବିଜୟ ଲାଭ କରିଥିଲା ଗୋଟିଏ ମ୍ୟାଚ ହାରିଥିଲା ବେଳେ ଆଉ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁଁ ବାଧା ପ୍ରାପ୍ତ ହୋଇଥିଲା । ନ୍ୟୁଜିଲାଣ୍ଡର ମୋଟ ୭ ପଏଣ୍ଟ ସହିତ ୨.୧୧୩ ନେଟ୍‌ ରନ ରେଟ୍‌ରେ ସେମିକୁ ପ୍ରବେଶ କରିଛି ।

ଇଂଲଣ୍ଡ ୪ ଓ୍ଵିକେଟ୍‌ରେ ହରାଇଲା ଶ୍ରୀଲଙ୍କାକୁ

ଅନ୍ୟପଟେ ଇଂଲଣ୍ଡ ଆଜିର ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୪ ଓ୍ଵିକେଟରେ ପରାସ୍ତ କରିି ସେମିଫାଇନାଲ୍‌ରେ ପ୍ରବେଶ କରିଛି । ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା । ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୮ଟି ଓ୍ଵିକେଟ ହରାଇ ୧୪୧ ରନର ଟାର୍ଗେଟ ଦେଇଥିଲା ଇଂଲଣ୍ଡକୁ ।

ଇଂଲଣ୍ଡ ଦଳ ଶ୍ରୀଲଙ୍କାର ୧୪୨ ରନର ଲକ୍ଷ୍ୟକୁ ପିଛା କରି ୧୯.୪ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା । ତା ସହିତ ଦ୍ୱିତୀୟ ଟିମ୍‌ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଇଂଲଣ୍ଡ ୫ଟି ମ୍ୟାଚ୍‌ରୁ ୩ଟି ମ୍ୟାଚ ଜିତି ଥିଲା ବେଳେ ଗୋଟିଏ ମ୍ୟାଚ୍‌ ବର୍ଷାରେ ବାତିଲ ହୋଇ ଯାଇଥିଲା । ଆଉ ଗୋଟିଏ ମ୍ୟାଚ୍‌ରେ ପରାଜିତ ହୋଇଥିଲା । ଇଂଲଣ୍ଡ ୫ଟି ମ୍ୟାଚରୁ ମୋଟ ୭ ପଏଣ୍ଟ ସଂଗ୍ରହ କରି ୦.୪୭୩ ରନ ରେଟ୍‌ରେ ସେମି ଫାଇନାଲରେ ପହଞ୍ଚିଛି ।
ଅପର ପକ୍ଷରେ ଇଂଲଣ୍ଡ ଜିତିବା ପରେ ଅଷ୍ଟ୍ରେଲିଆର ସେମି ଫାଇନାଲ ଆଶା ମଉଳି ଯାଇଛି। ଯଦି ଆଜିର ମ୍ୟାଚ୍‌ରେ ଶ୍ରୀଲଙ୍କା ଇଂଲଣ୍ଡକୁ ପରାସ୍ତ କରିଥାନ୍ତା ତେବେ ଅଷ୍ଟ୍ରେଲିଆ ସେମିଫାଇନାଲକୁ ଯାଇ ପାରିଥାନ୍ତା । ତେଣୁ ଶ୍ରୀଲଙ୍କା ହାରିବା ପରେ କଙ୍ଗାରୁ ଦଳ ସମ୍ପୂର୍ଣ୍ଣ ନିରାଶ ହୋଇଛି । ସେହିପରି ନିରାଶ ହୋଇଛନ୍ତି ସ୍ଥାନୀୟ ଦର୍ଶକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.