୨୨ ବର୍ଷ ପରେ ବିରଳ ‘ଟେନ୍‌ କ୍ଲବ୍‌’ରେ ସାମିଲ ହେଲେ ନ୍ୟୁଜିଲାଣ୍ଡ କ୍ରିକେଟର ଏଜାଜ୍‌ ପଟେଲ

କୁହାଯାଏ ରେକର୍ଡ଼ ହୋଇଥାଏ ଭାଙ୍ଗିବା ପାଇଁ । ସେ ଦିନକରେ ହେଉ ଅବା ବର୍ଷ ବର୍ଷ ପରେ । ରେକର୍ଡ଼ କେବେ ଅତୁଟ ରହେ ନାହିଁ । କ୍ରିକେଟ ଇତିହାସରେ ଏମିତି ଏକ ବିରଳ ରେକର୍ଡ କରିଛନ୍ତି ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲ। କମାଲ କରି ଦେଖାଇଛନ୍ତି ଏହି ଭାରତୀୟ ବଂଶୋଭବ ସ୍ପିନର । ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ସୁପର ସୋ ଦେଖାଇ ଟିମ ଇଣ୍ଡିଆର ସମସ୍ତ ୧୦ଟି ଯାକ ୱିକେଟ ଅକ୍ତିଆର କରି ନେଇଛନ୍ତି ଏହି ସୁପର ବୋଲର । ମୁମ୍ବାଇରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବାମହାତୀ ସ୍ପିନର ଏଜାଜ ଆଜି ଦେଖାଇଛନ୍ତି ଅଜବ କମାଲ । ୱାଙ୍ଖଡେ ଷ୍ଟାଡିୟମ୍‌ରେ ଲେଖିଛନ୍ତି ନୂଆ ଇତିହାସ ।
ଏହା ସହ ଭାରତର ମହାନ ସ୍ପିନର ଅନୀଲ କୁମ୍ବଲେ ଏବଂ ଇଂଲଣ୍ଡର ଜିମ୍‌ ଲେକରଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ପଟେଲ । ଆଜି ମହମ୍ମଦ ସିରାଜଙ୍କ ଓ୍ଵିକେଟ୍‌ ନେବା ସହ ବିରଳ ରେକର୍ଡ଼ର ଅଧିକାରୀ ହୋଇଥିଲେ ପଟେଲ ।

ପୂର୍ବରୁ ଏହି ତାଲିକାର ପ୍ରଥମରେ ରହିଥିଲେ ଇଂଲଣ୍ଡର ଜିମ ଲେକର ଓ ଦ୍ୱିତୀୟରେ ଭାରତର ଅନିଲ କୁମ୍ବଲେ । ଜିମ ଲେକର ୧୯୫୬ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ପାଳିରେ ୧୦ଟି ଯାକ ୱିକେଟ ନେଇଥିଲେ । ଜିମ ଲେକର ୫୧.୨ ଓଭର ବୋଲି କରି ୨୩ ମେଡେନ ଓଭର ସହ ୫୩ ରନ ଦେଇ ଏହି ୧୦ ଓ୍ଵିକେଟ୍‌ ଦଖଲ କରିଥିଲେ । ଏହାର ୪୩ ବର୍ଷ ପରେ ୧୯୯୯ ମସିହାରେ କୁମ୍ବଲେ ସେହି ସଫଳତାକୁ ଦୋହରାଇ ଥିଲେ । ଦିଲ୍ଲୀର ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ କୁମ୍ବଲେ ଏହି ବଡ଼ ସଫଳତା ହାସଲ କରିଥିଲେ । ସେ ୨୬ ଓଭର ଆଉ ୩ଟି ବଲ୍‌ ବୋଲିଂ କରି ୭୪ ରନ୍‌ ଦେଇ ପାକିସ୍ତାନର ୧୦ ଜଣ ବ୍ୟାଟର୍‌ଙ୍କୁ ଆଉଟ୍‌ କରିଥିଲେ ।

ଆଉ ଏବେ ଏଜାଜ ପଟେଲ ୧୧୯ ରନ ଦେଇ ଭାରତର ସମସ୍ତ ୧୦ଟି ଯାକ ୱିକେଟ ନେଇଛନ୍ତି । ଏଜାଜଙ୍କର ଇଏ ହେଉଛି ମାତ୍ର ଦଶମ ଟେଷ୍ଟ । ସେ ଏହି ଇନିଂସ୍‌ରେ ଦୁଇଜଣ ଖେଳାଳିଙ୍କୁ କ୍ଲିନ୍‌ ବୋଲଡ୍‌ କରିଥିବା ବେଳେ ୩ ଜଣଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ କରିଛନ୍ତି । ୫ ଜଣ ଭାରତୀୟ ଖେଳାଳିଙ୍କୁ କ୍ୟାଚ୍‌ ଆଉଟ୍‌ କରାଇଛନ୍ତି ।

ତେବେ ଏଜାଜ୍‌ଙ୍କ ସଫଳତା ଲେକର ଏବଂ କୁମ୍ବଲେଙ୍କ ଠାରୁ ଟିକେ ଅଲଗା । ଲେକର ମ୍ୟାଚ୍‌ର ତୃତୀୟ ଇନିଂସ୍‌ରେ ଏବଂ କୁମ୍ବଲେ ମ୍ୟାଚ୍‌ର ଚତୁର୍ଥ ଇନିଂସ୍‌ରେ ୧୦ ଓ୍ଵିକେଟ୍‌ ନେଇଥିଲେ । ଯେତେବେଳେ କି ପିଚ୍‌ ସ୍ପନରଙ୍କୁ ଅଧିକ ସୁହାଇଥିଲା । ହେଲେ ଏଜାଜ ପଟେଲ ପ୍ରଥମ ଇନିଂସ୍‌ରେ ଏହି ବଡ଼ ସଫଳତାକୁ ହାତେଇ ନେଇଛନ୍ତି । ସେହିପରି ପ୍ରଥମ ଦୁଇ ଜଣ ଡାହାଣାହାତୀ ବୋଲର ଥିବା ବେଳେ ଏଜାଜ ହେଉଛନ୍ତି ବାମହାତୀ । ଏହି ସଫଳତା ପରେ ଏଜାଜ୍‌ଙ୍କୁ ପ୍ରଶଂସା ଓ ଅଭିନନ୍ଦନର ସୁଅ ଛୁଟୁଛି । ଟୁଇଟ୍‌ କରି ଅନେକ ଭାରତୀୟ ଖେଳାଳିଙ୍କ ଠାରୁ ଆରମ୍ଭ କରି ଅନ୍ୟ ଦେଶର ଖେଳାଳି, ଆଇସିସି ଓ ବିସିସିଆଇ ମଧ୍ୟ ତାଙ୍କୁ ବଧେଇ ଜଣାଇଛନ୍ତି ।

କିଏ ଏହି ଭାରତୀୟ ବଂଶୋଦ୍ଭବ

ଏବେ ଆସନ୍ତୁ ଜାଣିବା ଏହି କରିତକର୍ମା ବୋଲରଙ୍କ ବିଷୟରେ । ତାଙ୍କ ପୂରା ନାମ ହେଉଛି ଏଜାଜ ୟୁନୁସ ପଟେଲ । ଯିଏକି ନ୍ୟୁଜିଲାଣ୍ଡର ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ପକ୍ଷରୁ ଘରୋଇ କ୍ରିକେଟ୍‌ ଖେଳିଛନ୍ତି । ପରେ ଅକଲାଣ୍ଡ ତରଫରୁ ଖେଳୁଛନ୍ତି । ୧୯୮୮ ମସିହା ଅକଟୋବର ୨୧ ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ତେବେ ୧୯୯୬ରେ ନିଜ ପରିବାର ସହ ସେ ନ୍ୟୁଜିଲାଣ୍ଡ ଚାଲି ଆସିଥିଲେ ।

୨୦୧୮ ମସିହା ନଭେମ୍ବର ୧୬ ତାରିଖରେ ପାକିସ୍ତାନ ସହ ଖେଳି ତାଙ୍କ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ ଏଜାଜ । ୨୭୪ ନମ୍ବର ଖେଳାଳି ଭାବେ ନ୍ୟୁଜିଲାଣ୍ଡର ପ୍ରତିନିଧିତ୍ୱ କରିଛନ୍ତି । ତାଙ୍କ କୋଚ୍‌ ହେଉଛନ୍ତି ନ୍ୟୁଜିଲାଣ୍ଡ ଦଳର ପୂର୍ବତନ ସ୍ପିନର ଦୀପକ ପଟେଲ । ଲଗାତର ତିନି ବର୍ଷ ଧରି ସେ ଘରୋଇ କ୍ରିକେଟ୍‌ ପ୍ରତିଯୋଗିତାରେ ସର୍ବାଧିକ ଓ୍ଵିକେଟ୍‌ ଦଖଲ କରିଥିଲେ । ଏହାପରେ ତାଙ୍କ ଜାତୀୟ ଦଳରୁ ଡାକରା ଆସିଥିଲା ୨୦୧୮ରେ । ସେହି ବର୍ଷ ସେ ୨୧.୫୨ ରନ୍‌ ହାରରେ ୪୮ଟି ଓ୍ଵିକେଟ୍‌ ଦଖଲ କରିଥିଲେ । ନ୍ୟୁଜିଲାଣ୍ଡ ତରଫରୁ ଜାତୀୟ ଦଳରେ ଖେଳିବାରେ ସେ ହେଉଛନ୍ତି ପଞ୍ଚମ ଭାରତୀୟ ବଂଶୋଦ୍ଭବ କ୍ରିକେଟର୍‌ ।

ପୂର୍ବରୁ ସେ ସମୁଦାୟ ୧୦ଟି ମ୍ୟାଚ୍‌ ଖେଳି ୧୦ଟି ଓ୍ଵିକେଟ୍‌ ନେଇଥିଲେ । ତେବେ ୧୧ ମ୍ୟାଚ୍‌ରେ ଏକାଥରେ ହାତେଇ ନେଲେ ୧୦ଟି ଓ୍ଵିକେଟ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.