
ଭୁବନେଶ୍ୱର (କେନ୍ୟୁଜ୍) : ହକି ବିଶ୍ୱ କପ୍ର ଆଜି ଦ୍ୱିତୀୟ ମ୍ୟାଚ୍ରେ ଫ୍ରାନ୍ସକୁ ୨-୧ ଗୋଲ୍ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ ।
ପୁଲ୍ ‘ଏ’ର ଆଜି ଖେଳା ଯାଇଥିବା ଏହି ଦ୍ୱିତୀୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପକ୍ଷରୁ କେନ୍ ରସେଲ୍ ୧୭ ମିନିଟରେ ପ୍ରଥମ ଗୋଲ୍ ସ୍କୋର କରିଥିଲେ । ମଧ୍ୟାନ୍ତର ପର୍ଯ୍ୟନ୍ତ ଏହି ୧-୦ରେ ଆଗୁଆ ରହିଥିଲା । ତୃତୀୟ କ୍ୱାର୍ଟର ମଧ୍ୟ ସମାନ ଗଲା ।
ହେଲେ ଶେଷ ୫ ମିନିଟ୍ରେ ଖେଳର ଗତି ବଦଳି ଗଲା । ଖେଳ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା । ୫୬ ମିନିଟ୍ରେ ଷ୍ଟିଫେନ୍ ଜେନିସ ଗୋଟିଏ ଗୋଲ୍ ଦେବା ଯୋଗୁଁ ସ୍କୋର ୨-୦ ହୋଇଥିଲା । ସେତିକି ବେଳେ ଫ୍ରାନ୍ସ ଗୋଲ୍ ଦେବାକୁ ପୂରା ଦମ୍ ଲଗାଇ ଦେଇଥିଲା । ହେଲେ ପେନାଲ୍ଟି କର୍ଣ୍ଣର ପାଇ ମଧ୍ୟ ଦୁଇ ଦୁଇଥର ମିସ୍ କରିଥିଲା । ତେବେ ଖେଳ ଶେଷ ହେବାକୁ ଆଉ ଗୋଟିଏ ମିନିଟ୍ ବାକି ଥିବା ବେଳେ ଭିକ୍ଟର ଚାର୍ଲେଟ୍ ପେନାଲଟି କର୍ଣ୍ଣରରୁ ଗୋଟିଏ ଗୋଲ୍ କରି ବ୍ୟବଧାନ କମାଇଥିଲେ ସିନା ହେଲେ ଫ୍ରାନ୍ସର ପରାଜୟକୁ ରୋକି ପାରି ନଥିଲେ । ଜେନିସ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
କାଲିର ମ୍ୟାଚ୍
ଆସନ୍ତାକାଲି ପୁଲ୍ ‘ବି’ର ଦୁଇଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ସନ୍ଧ୍ୟା ୫ଟାରେ ଅଷ୍ଟ୍ରେଲିଆ ଓ ଆୟର୍ଲାଣ୍ଡ ଏବଂ ଦ୍ୱିତୀୟ ମ୍ୟାଚ୍ ରାତି ୭ଟାରେ ଇଂଲଣ୍ଡ ଓ ଚୀନ୍ ମଧ୍ୟରେ ଖେଳାଯିବ ।