ଫିଫା ବିଶ୍ୱକପ ୨୦୨୨: ନେମାରଙ୍କ ଅନୁପସ୍ଥିତି ବ୍ରାଜିଲ ଉପରେ କିଛି ପ୍ରଭାବ ପକାଇବ ନାହିଁ; ୱେନ୍ ରୁନେ

କେନ୍ୟୁଜ୍: ବ୍ରାଜିଲର ପ୍ରମୁଖ ଖେଳାଳି ଷ୍ଟ୍ରାଇକର ନେମାର ଆହତ ହେବା ପରେ ଦଳ ଏବେ ଚିନ୍ତାରେ ପଡ଼ିଛି । ଏହି ସମୟରେ ଇଂଲଣ୍ଡର ପୂର୍ବତନ ଖେଳାଳି ଏବଂ ମଞ୍ଚେଷ୍ଟର ୟୁନାଇଟେଡ୍ର ଲିଜେଣ୍ଡ ୱେନ୍ ରୁନେ କହିଛନ୍ତି, ‘ନେମାରଙ୍କ ଅନୁପସ୍ଥିତି ବ୍ରାଜିଲ ଟିମ ପାଇଁ କିଛି ପ୍ରଭାବ ପକାଇବ ନାହିଁ । ଦଳରେ ଅନେକ ଅନୁଭବି ଖେଳାଳି ଅଛନ୍ତି । ନେମାରଙ୍କ ସ୍ଥାନ ପୂରଣ କରିବା ପାଇଁ ଦଳ ପୁରା ପ୍ରସ୍ତୁତ ଅଛି’ ।
ବ୍ରାଜିଲ- ସର୍ବିଆ ମ୍ୟାଚ୍ରେ ଆହତ ହୋଇଥିଲେ ନେମାର:
ଗୁରୁବାର ଦିନ ଖେଳା ଯାଇଥିବା ସର୍ବିଆ ବିପକ୍ଷ ମ୍ୟାଚ୍ରେ ବ୍ରାଜିଲ ୨-୦ ରେ ମ୍ୟାଚ୍କୁ ଜିତି ନେଇଥିଲେ ମଧ୍ୟ ଆହତ ସମସ୍ୟାରୁ ୨ ଜଣ ଖେଳାଳିଙ୍କୁ ଦଳରୁ ବାହାର ହେବାକୁ ପଡ଼ିଛି । ଦୁଇ ଜଣ ଷ୍ଟାର ପ୍ଲେୟାର ନେମାର ଏବଂ ଡେନିଲୋ ଗଭୀର ଭାବରେ ଆହତ ହୋଇଛନ୍ତି । ମ୍ୟାଚ୍ର ଶେଷ ସମୟରେ ନେମାର ୯ ଥର ଫାଉଲ ମାରିବା ପରେ ତାଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା । ସେ ଆହତ ହେବା ପରେ ୧୧ ମିନିଟ୍ ପର୍ଯ୍ୟନ୍ତ ପଡ଼ିଆରେ ରହିଥିଲେ । ତା ପରେ ତାଙ୍କ ବଦଳରେ ଜଣେ ଖେଳାଳି ଖେଳିଥିଲେ । ନେମାରଙ୍କ ସହିତ ଆଉ ଜଣେ ବ୍ରାଜିଲିଆନ ଖେଳାଳି ଡେନିଲୋ ମଧ୍ୟ ଆହତ ହୋଇ ବାଦ ପଡ଼ିଛନ୍ତି ।
ବ୍ରାଜିଲ ଟିମ୍ର ଡକ୍ଟରଙ୍କ ଅପଡେଟ୍:
ଆସନ୍ତା ୨୮ ତାରିଖ ସୋମବାର ଦିନ ସ୍ୱିଜରଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ୍ ଥିବା ବେଳେ ଏହି ଦୁଇ ଜଣ ମ୍ୟାଚ୍ ଓ୍ଵିନର ଦଳରୁ ବାଦ ପଡ଼ିବା ପରେ ଦଳ ଏବେ ଚିନ୍ତାରେ ଅଛି । ବ୍ରାଜିଲ ଟିମ୍ର ଡକ୍ଟର ରୋଡ୍ରିଗୋ ଲେସ୍ମର କହିଛନ୍ତି, ଖେଳର ସରିବା ପରେ ତୁରନ୍ତ ଏହି ଦୁଇ ଜଣଙ୍କର ଚିକିତ୍ସା ଆରମ୍ଭ ହୋଇ ଯାଇଥିଲା । ନେମାରଙ୍କର ଡାହାଣ ଗୋଡ଼ରେ ହାଡ଼ ଏବଂ ମାସଂପେଶୀରେ ଗଭୀର ଆଘାତ ଲାଗିଛି । ସେ ଆହୁରି କହିଥିଲେ ପ୍ରତି ଦିନ ତାଙ୍କର ଇନ୍ଜୁରୀର ନଜର ରଖୁଛୁ ଏବଂ ଉନ୍ନତି ହେଉଛି କି ନାହି ଦେଖୁଛୁ । ଲେସ୍ମର ଶେଷରେ କହିଥିଲେ, ନେମାର ବିଶ୍ୱକପରେ ଖେଳିବେ କି ନାହିଁ ତାହା ଏବେ ସ୍ଥିର ହୋଇ ନାହିଁ ।