୧୦ କୋଟିରେ ନିଲାମୀ ଦରରେ ପହଞ୍ଚିଲା ପାରାଅଲିମ୍ପିକରେ ରୌପ୍ଯ ଜିତିଥିବା ଏଲ ସୁହାସଙ୍କ ରାକେଟ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ। ଏହି ଅବସରରେ ମୋଦିଙ୍କୁ ଅଲଗା ଅଲଗା ସ୍ଥାନରେ ମିଳିଥିବା ଉପହାରକୁ ନିଲାମ ପ୍ରକ୍ରିୟା ଆରମ୍ଭ କରିଦିଆଯାଇଛି। ଏହି ଉପହାର ମଧ୍ୟରେ ନିକଟରେ ଖେଳାଯାଇଥିବା ଅଲିମ୍ପିକ ଏବଂ ପାରାଲିମ୍ପିକ ଖେଳରେ ପଦକ ବିଜେତାଙ୍କ କିଟ୍ ଓ ଉପକରଣ ମଧ୍ୟ ରହିଛି। ଆଜିଠାରୁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇ ୭ ଅକ୍ଟୋବର ପର୍ଯ୍ଯନ୍ତ ଚାଲିବ।

ପାରା ଅଲିମ୍ପିକ୍ସ ଖେଳରେ ସିଲଭର ମେଡାଲ ଜିତିଥିବା ନୋଏଡାର ଡିଏମ୍ ସୁହାସ ନିଲାମ ପ୍ରକ୍ରିୟା ଆଗରେ ରହିଛନ୍ତି। ଗତ ୧୨ ଦିନ ପୂର୍ବେ ପାରାଅଲିମ୍ପିକ୍ସ ଖେଳାଳିଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ ହୋଇଥିଲା। ଏହି ସମୟରେ ସୁହାସ ନିଜର ବ୍ଯାଡମିଣ୍ଟନ ରାକେଟକୁ ପ୍ରଧାନମନ୍ତ୍ରୀଙ୍କୁ ଉପହାର ସ୍ବରୂପ ଦେଇଥିଲେ। ନିଲାମୀରେ ଏହାର ଦାମ ୫୦ ଲକ୍ଷ ଟଙ୍କା ରଖାଯାଇଥିଲା। କିନ୍ତୁ ନିଲାମୀର କିଛି ଘଣ୍ଟା ପରେ ଏହି ରାକେଟର ଦାମ୍ ୧୦ କୋଟିରେ ପହଞ୍ଚିଲାଣି।

ଏହି ନିଲାମୀ ପ୍ରକ୍ରିୟାରେ ଯେଉଁ ଅର୍ଥ ରାଶି ମିଳିବ, ତାହାକୁ ନମାମୀ ଗଙ୍ଗା ପ୍ରୋଜେକ୍ଟରେ ବିନିଯୋଗ କରାଯିବ। ଅନଲାଇନରେ ହେବାକୁ ଥିବା ନିଲାମୀ https://pmementos.gov.in/ ୱେବସାଇଟ ଜରିଆରେ କରାଯାଉଛି। ଏହି ନିଲାମୀ ପ୍ରକ୍ରିୟା ୭ ଅକ୍ଟୋବର ପର୍ଯ୍ଯନ୍ତ ଚାଲିବ।