ତେଲେଙ୍ଗାନାରୁ ଜାତୀୟସ୍ତରର କ୍ରିକେଟ ପ୍ରତିଯୋଗିତାରେ ଓଡିଆ ଝିଅ ପ୍ରିୟାଂସି

ରେଙ୍ଗାଳି / କଣିଁହା : ଓଡ଼ିଶା ମାଟିର କୁନିଝିଅ ପ୍ରିୟାଂସି , ବୟସ ମାତ୍ର ୧୩ । ଏହି ବୟସରୁ ବାପାମାଆଙ୍କ ନାମ ସହ ଓଡିଶାର ଗୌରବ ଆଣିଛି । ତେଲେଙ୍ଗାନା ରାଜ୍ୟରୁ UNDER-17 GIRLS SGF CRICKET ରେ ମନୋନିତ ହୋଇଛନ୍ତି ପ୍ରିୟାଂସି ମହାରଣା । ଅନୁଗୁଳ ଜିଲ୍ଲା କଣିଁହା ବ୍ଳକ ରେଙ୍ଗାଳି ପ୍ରୋଜେକ୍ଟ ଅଞ୍ଚଳର ସନ୍ତୋଷ ମହାରଣାଙ୍କ ବଡ ଝିଅ ପ୍ରିୟାଂସି । ମଧ୍ୟବିତ୍ତ ପରିବାରର ଝିଅ ପ୍ରିୟାଂସି । ବାପା-ମାଆଙ୍କ ସହ ସେ ତେଲେଙ୍ଗାନାରେ ରହୁଥିବାବେଳେ ପରିବାରର ଅନ୍ୟ ସଦସ୍ଯମାନେ ରୁହନ୍ତି ରେଙ୍ଗାଳିରେ ।
ଛୋଟ ବେଳୁ କ୍ରିକେଟ ପ୍ରେମୀ କୁନି ଝିଅ ପ୍ରିୟାଂସି । ତେଲେଙ୍ଗାନା ରାଜ୍ୟରୁ ମନୋନୀତ ହେଇ ମଧ୍ଯ ଓଡ଼ିଶାର ଟେକ ରଖିଛନ୍ତି ସେ । ବାପା ସନ୍ତୋଷ ମହାରଣା ତେଲେଙ୍ଗାନାରେ କାର୍ଯ୍ୟରତ ଥିବାବେଳେ ସେହିଠାରେ ବାପାମାଆଙ୍କ ସହିତ ରହି ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି ପ୍ରିୟାଂସି ।
ବାଳିକାସ୍ତରୀୟ ଜୁନିୟର – ୧୭ କ୍ରିକେଟରେ ତେଲେଙ୍ଗାନା ତରଫରୁ ଖେଳି ମ୍ୟାନ ଅଫ୍ ଦି ମ୍ୟାଚ ହେବା ପରେ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାପାଇଁ ୧୬ ଜଣିଆ ତେଲେଙ୍ଗାନା ରାଜ୍ୟ ଦଳରେ ଖେଳିବାକୁ ଯାଇଛନ୍ତି ପ୍ରିୟାଂସି ମହାରଣା ହରିୟାଣାର ପଞ୍ଚକୁଲା । ପରିବାର ଏବଂ ରେଙ୍ଗାଳି ଅଞ୍ଚଳବାସୀଙ୍କ ମନରେ ଖୁସି ଫୁଟାଇ ପାରିଛନ୍ତି ପ୍ରିୟାଂସି । ଏଥିସହ ପ୍ରିୟାଂସି କୁହନ୍ତି ସେ ଅନ୍ୟ ରାଜ୍ୟରେ ଥିଲେ ମଧ୍ଯ ମନ ରହିଛି ତାଙ୍କର ଓଡ଼ିଶାରେ । ଯଦି ଓଡ଼ିଶା ପାଇଁ ଖେଳିଥାନ୍ତେ ଆହୁରି ଖୁସି ହେଇଥାନ୍ତେ ସେ । ପରିବାର ଲୋକ ପ୍ରିୟାଂସିଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଆଶା ରଖିଛନ୍ତି ।