ବଞ୍ଚାଇ ଦେଲେ ବିପ୍ଳବ : ଓଡ଼ିଶା-ହରିଆଣା ରଣଜୀ ମ୍ୟାଚ୍ ଡ୍ର

ଭୁବନେଶ୍ବର (କେନ୍ୟୁଜ୍) : ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କ ଅପରାଜିତ ଶତକ ଓଡ଼ିଶାକୁ ଘରୋଇ ପଡ଼ିଆରେ ରକ୍ଷା କରିଛି । ତାଙ୍କ ଶତକ ଯୋଗୁଁ ଏଠାକାର କିଟ୍ ଷ୍ଟାଡିୟମରେ ଖେଳା ଯାଇଥିବା ଓଡ଼ିଶା ଓ ହରିଆଣା ମଧ୍ୟର ରଣଜୀ ଟ୍ରଫି ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି । ଓଡ଼ିଶା ଦଳ ଦ୍ବିତୀୟ ଇନିଂସରେ ୭ ୱିକେଟରେ ୨୬୭ ରନ୍ କରିଥିବା ବେଳେ ଆଉ ଫଳାଫଳ ବାହାରିବାର ଆଶା ନଥିବାରୁ ଖେଳକୁ ଡ୍ର ରହିଲା ବୋଲି ଘୋଷଣା କରାଯାଇଥିଲା । ଚଳିତ ସିଜିନର ପ୍ରଥମ ମ୍ୟାଚରୁ ହରିଆଣା ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ଏବଂ ଓଡ଼ିଶା ୧ ପଏଣ୍ଟ ହାସଲ କରିଛନ୍ତି ।
ପ୍ରଥମ ଇନିଂସରେ ୧୧୮ ରନ୍ ପଛରେ ରହି ଘରୋଇ ଓଡ଼ିଶା ଦଳର ଦ୍ବିତୀୟ ପାଳି ଆରମ୍ଭ କରିଥିଲା । ଗତକାଲି ୩ୟ ଦିବସ ଶେଷ ସୁଦ୍ଧା ଗୋଟିଏ ୱିକେଟ ହରାଇ ୫୦ ରନ୍ କରିଥିଲା । ଆଜି ଚତୁର୍ଥ ତଥା ଶେଷ ଦିନରେ ୯୯ ରନ୍ ଭିତରେ ୪ଟି ପ୍ରମୁଖ ୱିକେଟ୍ ହରାଇବା ପରେ ଓଡ଼ିଶାର ତ୍ରାଣକର୍ତ୍ତା ସାଜିଥିଲେ ବିପ୍ଳବ । ତାଙ୍କ ସହିତ ଶୁଭ୍ରାଂଶୁ ସେନାପତି (୪୫) ଏବଂ ଦେବବ୍ରତ ପ୍ରଧାନ (୧୩) ମୂଲ୍ୟବାନ୍ ଯୋଗଦାନ ଦେଇଥିଲେ । ବିପ୍ଳବ ୨୧୦ଟି ବଲ ଖେଳି ତାଙ୍କ ଅପରାଜିତ ୧୦୩ ରନ୍ ମଧ୍ୟରେ ୧୪ଟି ଚୌକା ଓ ୨ଟି ଛକା ମାରିଥିଲେ । ବିପ୍ଳବଙ୍କର ଏହା ହେଉଛି ଷଷ୍ଠ ଶତକ ।
ତେବେ ଘରୋଇ ପଡ଼ିଆରେ ଖେଳି ହରିଆଣା ବିପକ୍ଷରେ ପଏଣ୍ଟ ହାତଛଡ଼ା କରିଛି ଓଡ଼ିଶା ଦଳ । ଆସନ୍ତା ନଭେମ୍ବର ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଗ୍ରୁପ୍ ‘ସି’ରେ ଓଡ଼ିଶା ତାର ପରବର୍ତ୍ତୀ ମ୍ୟାଚ୍ ଉତ୍ତର ପ୍ରଦେଶ ସହ ଖେଳିବ । ଏହି ମ୍ୟାଚ ମଧ୍ୟ କିଟରେ ଖେଳାଯିବ ।
ସ୍କୋର : ଓଡ଼ିଶା ପ୍ରଥମ ଇନିଂସ୍-୩୨୪ । ଦ୍ବିତୀୟ ଇନିଂସ- ୨୬୭/୭ (ଅନୁରାଗ ଷଡ଼ଙ୍ଗୀ ୨୯, ବିପ୍ଳବ ସାମନ୍ତରାୟ ଅପରାଜିତ ୧୦୩, ଶୁଭ୍ରାଂଶୁ ସେନାପତି ୪୫ । ହରିଆଣା ପ୍ରଥମ ଇନିଂସ୍-୪୪୨ ରନ୍ ।