ରଣଜୀ ଲଢ଼େଇ : ଦ୍ୱିତୀୟ ଇନିଂସ୍ରେ ଗୋଆର ହାଲତ୍ ଖରାପ, ୨୨/୪

ଭୁବନେଶ୍ୱର (କେ ନ୍ୟୁଜ୍) : ଚଳିତ ରଣଜୀ ସିଜିନ୍ରେ ଆଉ ଏକ ବିଜୟ ପଥରେ ଓଡ଼ିଶା ଦଳ । ଗୋଆକୁ ୩୮୮ ରନ୍ର ବିଜୟଲକ୍ଷ୍ୟ ଦେଇ ମାତ୍ର ୧୧ ଓଭର ଭିତରେ ତାର ୪ଟି ଦ୍ୱିତୀୟ ଇନିଂସ୍ ଓ୍ଵିକେଟ୍ ଖସାଇ ଦେଇଛନ୍ତି ଓଡ଼ିଶା ବୋଲର୍ ।
ଦ୍ୱିତୀୟ ଇନିଂସ୍ରେ ଓଡ଼ିଶା ୧୫୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଦେବାଶିଷ ସାମନ୍ତରାୟ ୩୧ ଏବଂ ସୁଜିତ ଲେଙ୍କା ସର୍ବାଧିକ ୩୯ ରନ୍ ସ୍କୋର କରିଥିଲେ । ଗୋଆ ବୋଲର ଲକ୍ଷ୍ୟ ଗର୍ଗ ୫ଟି ଏବଂ କ୍ରିଷ୍ଣା ଦାସ ୪ଟି ଓ୍ଵିକେଟ୍ ଅକ୍ତିୟାର କରିଥିଲେ ।
ଏହା ପରେ ବସନ୍ତ ମହାନ୍ତି ଓ ରାଜେଶ ମହାନ୍ତି ୨ଟି ଲେଖାଏଁ ଓ୍ଵିକେଟ୍ ନେଇ ମାତ୍ର ୧୧ ଓଭର ଭିତରେ ଗୋଆର ପ୍ରମୁଖ ୪ ଜଣ ବ୍ୟାଟ୍ସମ୍ୟାନ୍ଙ୍କୁ ବିଦା କରି ଦେଇଛନ୍ତି । ଆଜି ମ୍ୟାଚ୍ର ତୃତୀୟ ଦିବସ ହୋଇଥିବାରୁ ଓଡ଼ିଶା ହାତରେ ଜିତିବା ପାଇଁ ପର୍ଯ୍ୟାପ୍ତ ସମୟ ରହିଛି ।
ସ୍କୋର : ଓଡ଼ିଶା ପ୍ରଥମ ଇନିଂସ୍-୩୫୨ । ଦ୍ୱିତୀୟ ଇନିଂସ୍-୧୫୧, ୪୩.୪ ଓଭର (ଅନୁରାଗ ଷଡ଼ଙ୍ଗୀ ୨୩, ଦେବାଶିଷ ସାମନ୍ତରାୟ ୩୧, ସୁଜିତ ଲେଙ୍କା ୩୯ । କ୍ରିଷ୍ଣା ଦାସ ୨୨-୧୦-୫୭-୪, ଲକ୍ଷ୍ୟ ଗର୍ଗ ୨୦-୫-୭୫-୫) । ଗୋଆ ପ୍ରଥମ ଇନିଂସ୍-୧୧୬ । ଦ୍ୱିତୀୟ ଇନିଂସ୍-୨୨/୪, ୧୧ ଓଭର ।