କ୍ରୀଡ଼ା ସଚିବଙ୍କୁ ଭେଟିଲେ ଓସ୍‌ଜା ପ୍ରତିନିଧି ଦଳ, ବିଭିନ୍ନ ଦାବି ନେଇ ଆଲୋଚନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର ଏକ ପ୍ରତିନିଧି ଦଳ ଆଜି ବିଭିନ୍ନ ଦାବି ନେଇ କ୍ରୀଡ଼ା ବିଭାଗ ସଚିବ ବିଶାଲ ଦେବଙ୍କୁ ଭେଟିଛନ୍ତି । ଓଡ଼ିଶା ଏବେ ଦେଶର କ୍ରୀଡ଼ା ରାଜଧାନୀ ପାଲଟିଥିବା ବେଳେ ରାଜ୍ୟ ସରକାର ମଧ୍ୟ କ୍ରୀଡ଼ାର ବିକାଶ ଦିଗରେ ଜୋରସୋର ପ୍ରୟାସ ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ସରକାର ଏବଂ ରାଜ୍ୟରେ ନିଷ୍ଠା ସହ କାର୍ଯ୍ୟରତ କ୍ରୀଡ଼ା ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ରାଜ୍ୟରେ ହେଉଥିବା ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଖବର ସଂଗ୍ରହ ବେଳେ ଆୟୋଜକଙ୍କ ସହିତ ସମନ୍ଵୟ ରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ପ୍ରତିନିଧିମାନେ ସଚିବଙ୍କୁ ଅବଗତ କରାଇଥିଲେ । ଏ ନେଇ ନିର୍ଦ୍ଦିଷ୍ଟ ଭାବେ ଏକ ବ୍ୟବସ୍ଥା ଗ୍ରହଣ କରାଯିବା ଦରକାର । ଯାହାଫଳରେ କ୍ରୀଡ଼ା ସାମ୍ବାଦିକମାନେ ସେମାନଙ୍କ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ପାରିବେ । ଏହି ପ୍ରସଙ୍ଗ ସମେତ ବିଜୁ ପଟ୍ଟନାୟକ କ୍ରୀଡ଼ା ସାମ୍ବାଦିକ ପୁରସ୍କାର ପାଇଥିବା ସାମ୍ବାଦିକମାନଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ସ୍ୱୀକୃତି ପ୍ରଦାନ ଏବଂ ଅନ୍ୟ କେତେକ ବିଷୟରେ କ୍ରୀଡ଼ା ସଚିବଙ୍କ ସହ ଆଲୋଚନା ହୋଇଛି । କ୍ରୀଡ଼ା ସଚିବ ବିଶାଲ ଦେବ ମଧ୍ୟ ସକାରାତ୍ମକ ପ୍ରତିଶ୍ରୁତି ଦେଇ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି ।
ଆଜିର ଏହି ଆଲୋଚନା ବେଳେ ଓସ୍‌ଜାର ସଭାପତି ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି କେ. ରବି, ସମ୍ପାଦକ ସମ୍ବିତ ମହାପାତ୍ରଙ୍କ ସମେତ ଅନ୍ୟ ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ ।