ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) :  କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ପୁଣି କମ୍ପିବ ବାରବାଟୀ ଷ୍ଟାଡିୟମ  । ୩ ବର୍ଷ ପରେ ବାରବାଟୀରେ ଖେଳାଯିବ ଅନ୍ତର୍ଜାତୀୟ ମ୍ୟାଚ । ଭାରତ-ଇଂଲଣ୍ଡ ଭିତରେ ହେବ ଦିନିକିଆ ମ୍ୟାଚ । ୨୦୨୫ ମସିହା ଫେବ୍ରୁଆରୀ ୯ ତାରିଖରେ ଏହି ମ୍ୟାଚ ହେବ । ଇଣ୍ଡିଆ-ଇଂଲଣ୍ଡ ସିରିଜର ଦ୍ଵିତୀୟ ଏକ ଦିବାସୀୟ ମ୍ୟାଚ ବାରବାଟୀରେ ଖେଳାଯିବ ।

ଭାରତ-ଇଂଲଣ୍ଡ ମଧ୍ୟରେ ମୋଟ ୪ଟି ଟି-20 ଓ ୩ଟି ୱାନ ଡେ ଖେଳାଯିବ ।   ପିଚ, ଫିଲଡ଼, ଲାଇଟ ନୂଆ କରି ଲଗାଯାଇଛି । ଗ୍ୟାଲେରୀ ମରାମତି କାମ ଆଗେଇ ଚାଲିଛି । ରାଜ୍ୟ ସରକାର ସହଯୋଗ କରିବେ । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ବାରବାଟୀ ଷ୍ଟାଡିୟମରେ ଏବେ ୪୪ ହଜାର ଦର୍ଶକ ବସି ମ୍ୟାଚ ଦେଖି ପାରିବେ ।

ସମସ୍ତ ଗ୍ୟାଲେରୀ ପ୍ରସ୍ତୁତ ରହିଛି ।  ବାରବାଟୀରେ ଏ ପର୍ଯ୍ୟନ୍ତ ୩ଟି ଟେଷ୍ଟ, ୨୭ଟି ଦିନିକିଆ ଓ ୩ଟି ଅନ୍ତର୍ଜତୀୟ ଟି ଟ୍ବେଣ୍ଟି ଖେଳାଯାଇଛି । ୧୯୮୭ ଓ ୧୯୯୫ରେ ଟେଷ୍ଟ ମ୍ୟାଚ ବାରବାଟୀରେ ଖେଳାଯାଇଥିଲା  । ୧୯୯୫ ପରଠାରୁ ବାରବାଟୀରେ ଟେଷ୍ଟ ମ୍ୟାଚ୍ ଖେଳାଯାଇନାହିଁ  । ବାରବାଟୀରେ ୧୯୮୨ରେ ଖେଳାଯାଇଥିଲା ପ୍ରଥମ ଦିନିକିଆ ।

ବାରବାଟୀର ପ୍ରଥମ ଦିନିକିଆରେ ଭାରତ- ଇଂଲଣ୍ଡ ମୁହାଁମୁହିଁ ହୋଇଥିଲେ । ଶେଷ ଥର ୨୦୧୯ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ ହୋଇଥିଲା । ଏବେ ଛଅ ବର୍ଷ ପରେ ବାରବାଟୀରେ ଦିନିକିଆ ହେବାକୁ ଯାଉଛି । ୨୦୨୨ ଜୁନ ୧୨ ରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ବାରବାଟୀରେ ଖେଳାଯାଇଥିଲା ।

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଟି-ଟ୍ବେଣ୍ଟି ମ୍ୟାଚ୍ । ଅର୍ଥାତ ୩ ବର୍ଷ ପରେ ଏକ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାରବାଟୀରେ ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବରୁ ଇଂଲଣ୍ଡ ବାରବାଟୀରେ ୫ଟି ଦିନିକିଆ ଖେଳିଛି । ଏବେ ଷଷ୍ଠ ଥର ଲାଗି ଇଂଲଣ୍ଡ ଓଡ଼ିଶାମାଟିରେ ଖେଳିବାକୁ ଯାଉଛି ।

You might also like