ମହିଳା ଫୁଟବଲ ଟିମ୍‌ର ଏହି ଖେଳାଳିଙ୍କୁ ପ୍ରତିଦ୍ୱନ୍ଦ୍ୱୀ ଟିମ୍‌ କହିଲା ପୁରୁଷ, ତୁରନ୍ତ ଲିଙ୍ଗ ଯାଞ୍ଚ କରିବାକୁ ଦାବି

ଇରାନର ରାଷ୍ଟ୍ରୀୟ ମହିଳା ଫୁଟବଲ ଟିମ୍‌ରେ ଜଣେ ପୁରୁଷ ଖେଳାଳି ଖେଳୁଛନ୍ତି। ଏହି ଖେଳାଳି ଜଣକ ମ୍ୟାଚ୍‌ ସମୟରେ ଗୋଲକିପରର ଭୂମିକା ନିଭାଇଥିଲେ। ଇରାନ ଉପରେ ଏଭଳି ଅଭିଯୋଗ ଆଣିଛି ଏହାର ନିଟକତମ ପ୍ରତିଦ୍ୱନ୍ଦ୍ୱୀ ଜୋର୍ଡାନ। ଜୋର୍ଡାନ ଫୁଟବଲ ଆସୋସିଏଶନ ଅଧ୍ୟକ୍ଷ ପ୍ରିନ୍ସ ଅଲୀ ବିନ୍‌ ଅଲ-ହୁସୈନ ଇରାନ ମହିଳା ଟିମରେ ଥିବା ଜଣେ ପୁରୁଷ ଖେଳାଳିଙ୍କ ଲିଙ୍ଗ ଯାଞ୍ଚ କରିବାକୁ ଦାବି କରିଛନ୍ତି। ରିପୋର୍ଟ ମୁତାବକ, ଇରାନ ଟିମ୍‌ର ଗୋଲକିପର ୩୨ ବର୍ଷୀୟ ଜୋହରେହ କୌଡେଇ ୨୫ ସେପ୍ଟେମ୍ବରରେ ଜୋର୍ଡାନ ବିପକ୍ଷ ଫୁଟବଲ ମ୍ୟାଚରେ ଦୁଇଟି ପେନାଲ୍ଟି ବଞ୍ଚାଇଥିଲେ। ଇରାନ ମହିଳା ଟିମ୍‌ ଜୋର୍ଡାନକୁ ୪-୨ରେ ହରାଇ ଏସିଆ କପ୍‌ ପାଇଁ କ୍ୱାଲିଫାଇ କରିଥିଲା। ମ୍ୟାଚ୍‌ ପରେ ଏବେ ଜୋର୍ଡାନ ଜୋହରେହ କୌଡେଇଙ୍କୁ ପୁରୁଷ କହି ତାଙ୍କର ଲିଙ୍ଗ ଯାଞ୍ଚ କରିବାକୁ ଦାବି କରିଛି।

ଗୋଲକିପରଙ୍କ ଜେଣ୍ଡରକୁ ନେଇ ପ୍ରଶ୍ନ

ଜୋର୍ଡାନ ଫୁଟବଲ ଆସୋସିଏଶନ, ଇରାନ ଟିମ୍‌ର ଗୋଲକିପର ଜୋହରେହ କୌଡେଇଙ୍କ ଜେଣ୍ଡର ଉପରେ ପ୍ରଶ୍ନ ଉଠାଇଛି। ଏ ନେଇ ଆସୋସିଏଶନ ଏସିଆ ଫୁଟବଲ ମହାସଙ୍ଘ (ଏଏଫ୍‌ସି) ନିକଟରେ ଅଭିଯୋଗ କରିଛି। ଜୋର୍ଡାନ, ଜୋହରେହ କୌଡେଇଙ୍କ ଲିଙ୍ଗ ଯାଞ୍ଚ କରିବାକୁ ଅନୁରୋଧ କରି ଏକ ଟ୍ଵିଟ୍‌ ମଧ୍ୟ କରିଛି, ଯାହା ପରେ ଏଏଫ୍‌ସିର ଜଣେ ପ୍ରବକ୍ତା କହିଛନ୍ତି, ‘ତଦନ୍ତ ଚାଲିଛି। ଏବେ ଏହା ଉପରେ କୌଣସି ଟିପ୍ପଣୀ ଦେବାକୁ ଆମେ ଚାହୁଁ ନାହୁଁ, ସେ ଅଭିଯୋଗ ବାସ୍ତବିକ ହେଉ କି ସମ୍ଭାବିତ’। ସେହିପରି ଫିଫାର ପୂର୍ବତନ ଉପାଧ୍ୟକ୍ଷ ପ୍ରିନ୍ସ ଅଲୀ କହିଛନ୍ତି, ଯଦି ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ବହୁତ ଗମ୍ଭୀର ପ୍ରସଙ୍ଗ’।

ସେପଟେ ଇରାନ ଟିମ୍‌ ମ୍ୟାନେଜର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି କି, ଜୋର୍ଡାନ ଟିମ୍‌ ମ୍ୟାଚ୍‌ ହାରିବା ପରେ ଏବେ ବାହାନା ଖୋଜୁଛି। ଜୋହରେହ ଏଥି ପୂର୍ବରୁ ୨୦୦୮ ଏବଂ ୨୦୧୦ରେ ଏସିଆ କପ୍‌ କ୍ୱାଲିଫାୟରରେ ନିଜ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିଲେ। ସବୁ ଥର ମେଡିକାଲ ଯାଞ୍ଚ ହେଉଛି। ଆମେ ଏସିଆ ଫୁଟବଲ ସଙ୍ଘକୁ ସମସ୍ତ ଦସ୍ତାବିଜ ପ୍ରଦାନ କରିବୁ। ଜୋର୍ଡାନ ଆହୁରି ମଧ୍ୟ ଅଭିଯୋଗ ଆଣିଛି କି, ଇରାନ ମହିଳା ଟିମ୍‌ର ଲିଙ୍ଗ ଏବଂ ଡୋପିଙ୍ଗ୍‌ ବିବାଦର ଇତିହାସ ରହିଛି। ଏହି ପରିପ୍ରେକ୍ଷୀରେ ଜୋର୍ଡାନ ଫୁଟବଲ ଆସୋସିଏଶନ କିଛି ପୁରୁଣା ମାମଲା ବିଷୟରେ ଉଲ୍ଲେଖ କରିଛି। ଏଥିରେ ଦର୍ଶାଯାଇଛି କି, କିପରି ଇରାନର ରାଷ୍ଟ୍ରୀୟ ମହିଳା ଫୁଟବଲ ଟିମ୍‌ରେ ମହିଳାଙ୍କ ରୂପରେ ୪ ପୁରୁଷ ଖେଳାଳି ଖେଳୁଥିବାର ଅଭିଯୋଗ ହୋଇଥିଲା ଏବଂ ଯେଉଁ କାରଣରୁ ସମ୍ପୃକ୍ତ ଖେଳାଳିମାନଙ୍କ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.