୨୦୨୪ ବର୍ଷ ପାଇଁ ଓସଜା ପୁରସ୍କାର ପାଇବେ ମହମ୍ମଦ ସହିଦ ଜବାର ଓ ପ୍ରତ୍ୟାଶା ରାୟ
ଭୁବନେଶ୍ବର (କେନ୍ୟୁଜ୍) : ଘୋଷଣା ହୋଇଛି ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ ବା ଓସ୍ଜାର ବାର୍ଷିକ ପୁରସ୍କାର । ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ସଫଳ ଫୁଟବଲ କୋଚ ମହମ୍ମଦ ସହିଦ ଜବାର ଏବଂ ଓଡ଼ିଶା ସନ୍ତରଣର ସଫଳତମ ଖେଳାଳି ପ୍ରତ୍ୟାଶା ରାୟ ଚଳିତ ବର୍ଷର ଓସ୍ଜାର ପୁରସ୍କାର ହାସଲ ପାଇବେ। ଗତ ବର୍ଷ ଅନେକ ସଫଳତା ଅର୍ଜନ କରିଥିବା ପ୍ରତ୍ୟାଶା ରାୟଙ୍କୁ ୨୦୨୪ ବର୍ଷର ଶ୍ରେଷ୍ଠ କ୍ରୀଡାବିତ୍ ଏବଂ ଭାରତୀୟ ମହିଳା ଫୁଟବଲ ଦଳର ସଫଳତାରେ ବିଶେଷ ଯୋଗଦାନ ଦେଇଥିବା ସହିଦ ଜବାରଙ୍କୁ ଜୀବନବ୍ୟାପି ସେବା ପାଇଁ ପୁରସ୍କାର ପ୍ରଦାନ କରାଯିବ। ଜାନୁଆରି ୧୯ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଥିବା ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା)ର ବାର୍ଷିକ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଓସଜା ସଭାପତି ସନ୍ଦୀପ ମିଶ୍ର ସୂଚନା ଦେଇଛନ୍ତି।
ବିଶିଷ୍ଟ ଫୁଟବଲର ଅବ୍ଦୁଲ ଜବାରଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ମହମ୍ମଦ ସହିଦ ଜବାର ଓଡ଼ିଶା ଫୁଟବଲ ଦଳ ପକ୍ଷରୁ ଅନେକ ବର୍ଷ ପ୍ରତିନିଧିତ୍ୱ କରିଥିଲେ। ଅବଦୁଲ ଜବାରଙ୍କ ପୁଅ ହେଉଛନ୍ତି ସହିଦ ଜବାର । ସେ ଜାତୀୟ ଜୁନିୟର ଏବଂ ଜାତୀୟ ସିନିୟର ସନ୍ତୋଷ ଟ୍ରଫିରେ ଓଡ଼ିଶା ପକ୍ଷରୁ ଅନେକ ବର୍ଷ ଖେଳିବା ସହ ଦୀର୍ଘ ୧୫ ବର୍ଷ ଧରି ଓଡ଼ିଶା ପୋଲିସ୍ ଦଳର ସଦସ୍ୟ ଭାବରେ ସର୍ବଭାରତୀୟ ପୋଲିସ ଫୁଟବଲ ପ୍ରତିଯୋଗିତାରେ ଭାଗ ନେଇ ଥିଲେ। ଖେଳାଳି ଭାବେ ଅବସର ନେବା ପରେ କୋଚିଂ ପ୍ରତି ଧ୍ୟାନ ଦେଇଥିବା ସହିଦ ଜବାର ଅନେକ ବର୍ଷ ଧରି ଭାରତୀୟ ମହିଳା ଫୁଟବଲ ଦଳର ମୁଖ୍ୟ କୋଚ୍ ରହିଥିଲେ। ତାଙ୍କ ଅଧୀନରେ ସାଫ୍ ଚାମ୍ପିଅନସିପ୍ ଏବଂ ଅନେକ ବଡ଼ ବଡ଼ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବା ସହ ଟାଇଟଲ ଜିତିଥିଲା ଭାରତୀୟ ମହିଳା ଦଳ। ଏଥିସହ ସେ ଓଡ଼ିଶାର ବିଭିନ୍ନ ବୟସ ବର୍ଗର ଉଭୟ ପୁରୁଷ ଓ ମହିଳା ଦଳର କୋଚ୍ ଭାବେ ମଧ୍ୟ ଦାୟିତ୍ୱ ସଂପାଦନ କରିଛନ୍ତି। ଏସିଆନ୍ ଫୁଟବଲ ସଂଘର କୋଚିଂ ତାଲିମ ପୂର୍ଣ୍ଣ କରିଥିବା ସହିଦ ଜବାର ଏବେ ବି କୋଚ୍ ଏବଂ ଫୁଟବଲ ପ୍ରଶାସକ ଭାବେ ସକ୍ରିୟ ଅଛନ୍ତି ।
ସେହିପରି ଓଡ଼ିଶା ସନ୍ତରଣର ମାର୍ଗଦର୍ଶକ ଭାବେ ପରିଚିତ ପ୍ରତ୍ୟାଶା ରାୟ ୨୦୨୪ରେ ଅନେକ ସଫଳତା ହାସଲ କରିଥିଲେ। ସେ ଗତବର୍ଷ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏଥିସହ ୨୦୨୪ରେ ଆନ୍ତର୍ଜାତିକସ୍ତରରେ ମଧ୍ୟ ପଦକ ଜିତିଥିଲେ । ୨୦୨୪ରେ ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆରେ ଅନୁଷ୍ଠିତ ପ୍ରିମିୟର ପ୍ରାଦେଶିକ ସନ୍ତରଣ ପ୍ରତିଯୋଗିତାରେ ୩ଟି ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିବାର ସୁଯୋଗ ପାଇଥିଲେ। ଏଥିସହ ଉତ୍କଳ ବିଶ୍ୱବିଦ୍ୟାଳୟ ଦଳର ପ୍ରତିନିଧିତ୍ୱ କରି ଖେଲୋ ଇଣ୍ଡିଆ ଗେମ୍ସରେ ୪ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୨୦୨୪ ମସିହାର ଏକଲବ୍ୟ ପୁରସ୍କାର ମଧ୍ୟ ମିଳିଥିଲା ପ୍ରତ୍ୟାଶା ରାୟଙ୍କୁ।
ଉଭୟ ସହିଦ ଜବାର ଏବଂ ପ୍ରତ୍ୟାଶା ରାୟଙ୍କୁ ଓସ୍ଜା ବାର୍ଷିକ ପୁରସ୍କାର ଆକାରରେ ନଗଦ ୨୫ ହଜାର ଟଙ୍କା, ପ୍ରଶସ୍ତିପତ୍ର, ଉତ୍ତରୀୟ ଏବଂ ବିଶେଷ ଟ୍ରଫି ପ୍ରଦାନ କରାଯିବ।
ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ସହ ଅନୁବନ୍ଧିତ ଓସ୍ଜା ବା ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ ୨୦୧୮ମସିହାରୁ ବାର୍ଷିକ ପୁରସ୍କାର ପ୍ରଦାନ କରି ଆସୁଛି। ପ୍ରଥମ ବର୍ଷର ବିଜେତା ଥିଲେ ଆଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ ଓ ଫୁଟବଲର ଦେବ ସିଂହ। ୨୦୧୯ରେ ହକି ତାରକା ଅମିତ ରୋହିଦାସ ଓ ଦ୍ରୋଣାଚାର୍ଯ୍ୟ ବିଜେତା ବକ୍ସିଂ କୋଚ୍ ବ୍ରଜଭୂଷଣ ମହାନ୍ତି। ୨୦୨୦ରେ ପାରା-ଆଥଲେଟ୍ ପ୍ରମୋଦ ଭଗତ ଓ ବିଶିଷ୍ଟ ଆଥଲେଟିକ୍ସ କୋଚ ପଞ୍ଚାନନ ଗନ୍ତାୟତ, ୨୦୨୧ରେ ଚେସ୍ ଗ୍ରାଣ୍ଡ ମାଷ୍ଟର ସ୍ୱୟଂସ୍ ମିଶ୍ର ଓ ଆଥଲେଟିକ୍ସ କୋଚ ଅରୁଣ ଦାସ, ୨୦୨୨ ମସିହାରେ ବିଶିଷ୍ଟ ବାସ୍କେଟବଲ ଖେଳାଳି ଅରୂପାନନ୍ଦ ରାଉତରାୟ ଓ ହକି ଅଲିମ୍ପିଆନ୍ ବିରେନ୍ଦ୍ର ଲାକ୍ରା, ୨୦୨୩ମସିହାରେ ସାଇକ୍ଲିଷ୍ଟି ସ୍ୱସ୍ତି ସିଂ ଓ ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ ହକି ଖେଳାଳି ପିଟର ତିର୍କୀ ତଥା ୨୦୨୪ମସିହାରେ ଜାଭେଲିନ୍ ଷ୍ଟାର କିଶୋର କୁମାର ଜେନା ଏବଂ ଅର୍ଜୁନ ପୁରସ୍କାର ବିଜେତା ଭାରୋଉତ୍ତଳକ ବିଜୟ ଶତପଥିଙ୍କୁ ଓସ୍ଜା ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଥିଲା ।