୨୦୨୨ ଡିସେମ୍ବର ୩୦ । ଏଇଦିନ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ ଭାରତୀୟ ଷ୍ଟାର ୱିକେଟ୍ କିପର ଋଷଭ ପନ୍ତ । ଦୁର୍ଘଟଣା ଯେଭଳି ଥିଲା ସେଥିରେ ପନ୍ତଙ୍କ ଜୀବନ ରକ୍ଷା ପାଇଯିବା ଏକ ଅଲୌକିକ ଘଟଣା ବୋଲି କହି ହେବ । ତେବେ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ପନ୍ତ ପରେ ଆଶ୍ଚର୍ଯ୍ୟଜନକ ଭାବେ ସୁସ୍ଥ ହୋଇ ଚଳିତ ବର୍ଷ ପୁଣି ଅନ୍ତର୍ଜତୀୟ କ୍ରିକେଟକୁ ଫେରିଛନ୍ତି । ଖାଲି ଭାରତୀୟ ଦଳକୁ ଫେରି ନାହାନ୍ତି ଚମତ୍କାର ପ୍ରଦର୍ଶନ କରି ଚାଲିଛନ୍ତି ।
ନିଜ ଘର ରୁଡ଼କିକୁ ଫେରିବା ବେଳେ ପନ୍ତଙ୍କ କାର୍ ରାସ୍ତା ଡିଭାଇଡରରେ ପିଟି ହୋଇ ଯାଇଥିଲା । ଆଉ ଗାଡ଼ିରେ ନିଆଁ ମଧ୍ୟ ଲାଗି ଯାଇଥିଲା । ତେବେ ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ଅଳ୍ପକେ ରକ୍ଷା ପାଇ ଯାଇଥିଲେ ଏହି ଖେଳାଳି । ଏହି ଦୁର୍ଘଟଣାକୁ ଦୁଇ ବର୍ଷ ପୂରିବାକୁ ଯାଉଛି । ଏହି ଅବସରରେ ପନ୍ତ ତାଙ୍କୁ ପ୍ରଥମେ ଦୁର୍ଘଟଣା ସ୍ଥଳରେ ଦେଖି ଉଦ୍ଧାର କରିଥିବା ଦୁଇ ଜଣ ଯୁବକଙ୍କୁ ଦୁଇଟି ସ୍କୁଟର ଉପହାର ସ୍ବରୂପ ଭେଟି ଦେଇଛନ୍ତି । ସେ କହିଛନ୍ତି କି ମୁଁ ଚିରଦିନ ତୁମ ପାଖରେ ଋଣୀ। ଏହି ଦୁଇ ଯୁବକ ହେଲେ ରଜତ ଓ ନିଶୁ । ଏକଥା ନିଜ ଇନଷ୍ଟାଗ୍ରାମରେ ପନ୍ତ ଲେଖିଛନ୍ତି । ସ୍କୁଟର ଦୁଇଟିରେ ଋଷଭ ପନ୍ତଙ୍କ ନାଁ ଲେଖା ଯାଇଛି ।
ଏହି ଖବର ଜଣାପଡ଼ିବା ପରେ ପନ୍ତଙ୍କୁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି ।