ଅଲିମ୍ପିକ୍ସ ହକି: ୨-୩ ଗୋଲରେ ଜର୍ମାନୀ ଠାରୁ ହାରିଲା ଭାରତ

ପ୍ୟାରିସ୍ ଅଲିମ୍ପିକ୍ସ ସେମିରେ ଲଢେଇ କରି ହାରିଲା ଭାରତ ।  ୨-୩ ଗୋଲରେ ଜର୍ମାନୀ ଠାରୁ ହାରିଛି ହର୍ମନପ୍ରୀତଙ୍କ ଦଳ ।  ଆସନ୍ତାକାଲି ସ୍ବର୍ଣ୍ଣ ପଦକ ପାଇଁ ଜର୍ମାନୀ-ନେଦରଲାଣ୍ଡସ ଓ ବ୍ରୋଞ୍ଜ ପାଇଁ ଭାରତ-ସ୍ପେନ୍ ମୁକାବିଲା ହେବ ।  ଗତକାଲି ପ୍ରଥମ କ୍ବାର୍ଟରରୁ ହିଁ ଭାରତ ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲା । ସପ୍ତମ ମିନିଟରେ ହର୍ମନପ୍ରୀତ୍ ସିଂହଙ୍କ ସୁନ୍ଦର ଡ୍ରାଗ୍ ଫ୍ଲିକ୍ ଭାରତକୁ ପ୍ରଥମ ଗୋଲ୍ ଦେଇଥିଲା ।  ପ୍ରଥମ କ୍ବାର୍ଟରକୁ ଭାରତ ୧-୦ରେ ଶେଷ କରିଥିଲେ ମଧ୍ୟ ୨୩ ତମ ମିନିଟ୍ ରେ ଗଞ୍ଜାଲୋ ପିଲାଟ୍ ଙ୍କ ଶକ୍ତିଶାଳୀ ସଟ୍ ମ୍ୟାଚକୁ ବରାବର ସ୍ତରକୁ ଚାଲି ଆସିଥିଲା ।

୨୭ତମ ମିନିଟ୍ ରେ ରୁର୍ ଙ୍କ ଆକ୍ରମଣାତ୍ମକ ସଟ୍ ଶ୍ରୀଜେଶଙ୍କ ଡାହାଣ ପଟେ ଗୋଲ୍ ପୋଷ୍ଟ ଭିତରକୁ ଚାଲିଯିବାରୁ ଭାରତ ୧-୨ରେ ପଛୁଆ ହୋଇ ଚାପରେ ପଡ଼ିଥିଲା । ତୃତୀୟ କ୍ବାର୍ଟର ପ୍ରାରମ୍ଭରୁ ଭାରତ ଏକାଧିକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ ରେ ପରିଣତ କରିବାରେ ବିଫଳ ହୋଇଥିଲା। ୩୬ତମ ମିନିଟରେ ଅଭିଷେକ ଆଉ ଏକ ପିସି ଅର୍ଜନ କରିଥିଲେ । ହର୍ମନପ୍ରୀତ୍ ଙ୍କ ହିଟ୍ ଫେରି ଆସୁଥିବାବେଳେ ସୁଖଜିତ୍ ସିଂହ ଏହାକୁ ଗୋଲ୍ ରେ ପରିଣତ କରି ମ୍ୟାଚ୍ କୁ ବରାବର ସ୍ତରକୁ ଆଣିବା ସହ ରୋମାଞ୍ଚ ବଢ଼ାଇଥିଲେ । ତେବେ ମାର୍କୋ ମିଲଟା ୫୪ ମିନିଟରେ ଗୋଲ୍ ଦେଇ ୧୪୫ କୋଟି ଭାରତୀୟଙ୍କ ସ୍ବର୍ଣ୍ଣିମ ଗୌରବ ଫେରିବାର ସ୍ବପ୍ନକୁ ଚୁରମାର କରି ଦେଇଥିଲା। ଆସନ୍ତାକାଲି ବ୍ରୋଞ୍ଜ ପାଇଁ ଭାରତ-ସ୍ପେନ୍ ମୁକାବିଲା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like